ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସକମା ପଞ୍ଚାୟତ ଅନ୍ତର୍ଗତ କୁଟୁରାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମହାଦେବ ବଡକା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣାଯାଇଛି । ନିଲମ୍ବନ ସମୟ ମଧ୍ୟରେ ସେ ଲର୍କିପାଲି ସ୍ଥିତ ଆର୍ ଆର୍ କଲୋନୀ ହାଇସ୍କୁଲରେ ନିୟମିତ ହାଜିରା ପକାଇବାକୁ ବଲାଙ୍ଗିର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ରାଙ୍କ ନଂ-୨୩୫୪ ଅନୁଯାୟୀ ନିର୍ଦ୍ଦେଶ ରହିଥିବା ଜଣାଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରୁ ସକମା ପଞ୍ଚାୟତ କୁଟୁରାପାଲି ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ କୋଠାଘର ନିର୍ମାଣ ପାଇଁ ଅନୁଦାନ ଆସିଥିଲା । ଆସିଥିବା ଟଙ୍କାର ଉପଯୁକ୍ତ ବିନିଯୋଗ କରାନଯାଇ ଶିକ୍ଷକ ଶ୍ରୀ ବଡକା ଅର୍ଥ ଆତ୍ମସାତ କରିଥିବା ନେଇ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ ପାଇଁ ବଲାଙ୍ଗିର ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଇଓ ଲୋକନାଥ ସୁନା ଏହାର ତଦନ୍ତ ପୂର୍ବକ ଶିକ୍ଷକ ଶ୍ରୀ ବଡ଼କାଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି । ଅନ୍ୟାଦେଶ ପୂର୍ବକ ମୁଖ୍ୟାଳୟ ନ ଛାଡ଼ିବାକୁ ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରାଯାଇ ଶ୍ରୀ ବଡକାଙ୍କୁ ଚାକିରୀରୁ ବହିଷ୍କାର କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।