ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୩.୦ର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ

  • ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଭବ୍ୟ ସ୍ୱାଗତ
  • ଗତ ଦୁଇଟି ଶିଖର ସମ୍ମିଳନୀରେ ମୁଁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଥିଲି
  • ମୁଁ ବହୁତ ଖୁସି ଯେ, ଚଳିତ ବର୍ଷ ଭାରତରେ ସାଧାରଣ ନିର୍ବାଚନ ପରେ ପୁଣି ଥରେ ଆପଣମାନେ ସମସ୍ତେ ଏହି ପ୍ଲାଟଫର୍ମରେ ଯୋଗ ଦେବାର ସୁଯୋଗ ପାଉଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ୨୦୨୨ରେ ଯେତେବେଳେ ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କଲା, ସେତେବେଳେ ଆମେ ସଂକଳ୍ପ ନେଇଥିଲୁ ଯେ, ଆମେ ଜି-୨୦କୁ ଏକ ନୂଆ ରୂପ ଦେବୁ । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ଏକ ପ୍ଲାଟଫର୍ମରେ ପରିଣତ ହୋଇଥିଲା ଯେଉଁଠାରେ ଆମେ ବିକାଶ ସମ୍ବନ୍ଧୀୟ ସମସ୍ୟା ଏବଂ ପ୍ରାଥମିକତା ଉପରେ ଖୋଲାଖୋଲି ଆଲୋଚନା କରିଥିଲୁ । ଭାରତ ଗ୍ଲୋବାଲ ସାଉଥର ଆଶା, ଆକାଂକ୍ଷା ଏବଂ ପ୍ରାଥମିକତା ଆଧାରରେ ଜି-୨୦ ଏଜେଣ୍ଡା ପ୍ରସ୍ତୁତ କରିଥିଲା ।
ଜି-୨୦କୁ ଏକ ସମାବେଶୀ ଓ ବିକାଶ ଭିତ୍ତିକ ଆଭିମୁଖ୍ୟ ସହ ଆଗେଇ ନେଇଥିଲା । ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି ସେହି ଐତିହାସିକ ମୁହୂର୍ତ୍ତ ଯେତେବେଳେ ଆଫ୍ରିକୀୟ ସଂଘ ଜି-୨୦ରେ ସ୍ଥାୟୀ ସଦସ୍ୟତା ନେଇଥିଲା । ଆମେ ଏଭଳି ସମୟରେ ପରସ୍ପରକୁ ଭେଟୁଛୁ ଯେତେବେ ସବୁଆଡେ ଅସ୍ଥିରତା ଲାଗି ରହିଛି । କୋଭିଡ୍‌ର ପ୍ରଭାବରୁ ବିଶ୍ୱ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ । ଅପରପକ୍ଷରେ ଯୁଦ୍ଧ ପରିସ୍ଥିତି ଆମ ବିକାଶ ଯାତ୍ରା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆମେ ଜଳବାୟୁ ପରିବର୍ତ୍ତନର ଆହ୍ୱାନର ସମ୍ମୁଖୀନ ହେଉଛୁ ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟ ସୁରକ୍ଷା, ଖାଦ୍ୟ ନିରାପତ୍ତା ଏବଂ ଶକ୍ତି ନିରାପତ୍ତା ବିଷୟରେ ଚିନ୍ତା ରହିଛି । ଆତଙ୍କବାଦ, ଉଗ୍ରବାଦ ଓ ବିଚ୍ଛିନ୍ନତାବାଦ ଆମ ସମାଜ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି । ଟେକ୍ନୋଲୋଜି ବିଭାଜନ ଏବଂ ଟେକ୍ନୋଲୋଜି ସହ ଜଡିତ ନୂତନ ଅର୍ଥନୈତିକ ଏବଂ ସାମାଜିକ ଆହ୍ୱାନ ମଧ୍ୟ ଉଭା ହେଉଛି । ବିଗତ ଶତାବ୍ଦୀରେ ଗଠିତ ବିଶ୍ୱ ଶାସନ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଏହି ଶତାବ୍ଦୀର ଆହ୍ୱାନର ମୁକାବିଲା କରିବାରେ ଅସମର୍ଥ ହୋଇଛନ୍ତି ।
ବନ୍ଧୁଗଣ :
ଦକ୍ଷିଣ ବିଶ୍ୱର ଦେଶଗୁଡ଼ିକ ଏକଜୁଟ ହୋଇ ଗୋଟିଏ ସ୍ୱରରେ ଏକାଠି ହୋଇ ପରସ୍ପରର ଶକ୍ତି ହେବା ସମୟର ଆବଶ୍ୟକତା । ଆମେ ପରସ୍ପରର ଅନୁଭୂତିରୁ ଶିଖିଥାଉ । ନିଜର ଦକ୍ଷତାକୁ ସେୟାର କରନ୍ତୁ । ଆମେ ମିଳିମିଶି ତୁମର ସଂକଳ୍ପକୁ ସଫଳତା ଦିଗରେ ନେବା ଉଚିତ୍ । ଆମେ ସମସ୍ତେ ମିଶି ମାନବିକତାର ଦୁଇ ତୃତୀୟାଂଶକୁ ଚିହ୍ନିପାରିବା । ଏବଂ ଦକ୍ଷିଣ ବିଶ୍ୱର ସମସ୍ତ ଦେଶ ସହ ନିଜର ଅଭିଜ୍ଞତା, ଆମର ସାମର୍ଥ୍ୟ ବାଣ୍ଟିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ । ଆମେ ପାରସ୍ପରିକ ବାଣିଜ୍ୟ, ଅନ୍ତର୍ଭୁକ୍ତ ଅଭିବୃଦ୍ଧି, ନିରନ୍ତର ବିକାଶ ଲକ୍ଷ୍ୟର ଅଗ୍ରଗତି ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ । ଗତ କିଛି ବର୍ଷ ମଧ୍ୟରେ ଭିତ୍ତିଭୂମି, ଡିଜିଟାଲ ଏବଂ ଶକ୍ତି ଯୋଗାଯୋଗ ଦ୍ୱାରା ଆମର ପାରସ୍ପରିକ ସହଯୋଗ ବୃଦ୍ଧି ପାଇଛି । ମିଶନ ଏଲ୍‌ଏଫ୍‌ଇ ଅଧୀନରେ ଆମେ କେବଳ ଭାରତରେ ନୁହେଁ ବରଂ ସହଯୋଗୀ ଦେଶମାନଙ୍କରେ ମଧ୍ୟ ଛାତ ଉପରେ ସୌର ଏବଂ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛୁ । ଆମେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଶେଷ ମାଇଲ ସେବା ପହଞ୍ଚାଇବାରେ ଆମର ଅଭିଜ୍ଞତା ବାଣ୍ଟିଛୁ । ଦକ୍ଷିଣ ବିଶ୍ୱର ବିଭିନ୍ନ ଦେଶକୁ ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଅର୍ଥାତ୍ ୟୁପିଆଇ ସହ ଯୋଡ଼ିବା ପାଇଁ ଆମେ ପଦକ୍ଷେପ ନେଇଛୁ । ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଦକ୍ଷତା କ୍ଷେତ୍ରରେ ଆମର ଭାଗିଦାରୀରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଗ୍ଲୋବାଲ ସାଉଥ୍ ୟଙ୍ଗ ଡିପ୍ଲୋମେଟ ଫୋରମ୍‌ ମଧ୍ୟ ଗତବର୍ଷ ଆରମ୍ଭ ହୋଇଥିଲା । ‘ସାଉଥ୍’ ଅର୍ଥାତ୍ ଗ୍ଲୋବାଲ୍ ସାଉଥ୍ ଏକ୍ସଲେନ୍ସ ସେଣ୍ଟର ଆମ ମଧ୍ୟରେ ଦକ୍ଷତା ବୃଦ୍ଧି, ଦକ୍ଷତା ଏବଂ ଜ୍ଞାନ ଆଦାନ ପ୍ରଦାନ ଉପରେ କାର୍ଯ୍ୟ କରୁଛି ।
ବନ୍ଧୁଗଣ :
ଡିଜିଟାଲ ପବ୍ଲିକ ଇନ୍‌ଫ୍ରାଷ୍ଟ୍ରକଚର ଅର୍ଥାତ୍ ଡିପିଆଇର ଅବଦାନ କୌଣସି ବିପ୍ଳବଠାରୁ କମ୍ ନୁହେଁ । ଆମର ଜି-୨୦ ଅଧ୍ୟକ୍ଷତାରେ ଗଠିତ ଗ୍ଲୋବାଲ ଡିପିଆଇ ରିପୋଜିଟୋରୀ, ଡିପିଆଇ ଉପରେ ଏହା ଥିଲା ପ୍ରଥମ ବହୁପାକ୍ଷିକ ସହମତି । ଆମେ ଖୁସି ଯେ, ଗ୍ଲୋବାଲ ସାଉଥର ୧୨ଟି ଅଂଶୀଦାରଙ୍କ ସହ “ଇଣ୍ଡିଆ ଷ୍ଟେକ୍” ଅଂଶୀଦାର କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦକ୍ଷିଣ ବିଶ୍ୱରେ ଡିପିଆଇକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ସାମାଜିକ ପ୍ରଭାବ ପାଣ୍ଠି ଗଠନ କରିଛୁ । ଏଥିପାଇଁ ଭାରତ ୨୫ ନିୟୁତ ଡଲାରର ପ୍ରାରମ୍ଭିକ ଅନୁଦାନ ପ୍ରଦାନ କରିବ ।
ବନ୍ଧୁଗଣ :
ସ୍ୱାସ୍ଥ୍ୟ ନିରାପତ୍ତା ପାଇଁ ଆମର ମିଶନ ହେଉଛି- ଗୋଟିଏ ବିଶ୍ୱ-ଗୋଟିଏ ସ୍ୱାସ୍ଥ୍ୟ । ଏବଂ ଆମର ଲକ୍ଷ୍ୟ ହେଉଛି – ‘ଆରୋଗ୍ୟ ମୈତ୍ରୀ’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ପାଇଁ ବନ୍ଧୁତା’ । ଆଫ୍ରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶମାନଙ୍କରେ ଡାକ୍ତରଖାନା, ଡାଏଲିସିସ୍ ମେସିନ୍, ଜୀବନ ରକ୍ଷାକାରୀ ଔଷଧ ଏବଂ ଜନ ଔଷଧି କେନ୍ଦ୍ର ସହ ମିଳିତ ଭାବେ ଆମେ ଏହି ବନ୍ଧୁତା ବଜାୟ ରଖିଛୁ । ମାନବିକ ସଙ୍କଟ ସମୟରେ ଭାରତ ଆମର ସହଯୋଗୀ ରାଷ୍ଟ୍ରମାନଙ୍କୁ ପ୍ରଥମ ପ୍ରତିକ୍ରିୟା ଭଳି ସାହାଯ୍ୟ କରୁଛି । ପାପୁଆ ନ୍ୟୁଗିନିରେ ଆଗ୍ନେୟଗିରି ବିସ୍ଫୋରଣ ହେଉ କିମ୍ବା କେନିଆରେ ବନ୍ୟା ଘଟଣା ହେଉ । ଗାଜା ଓ ୟୁକ୍ରେନ୍‌ ଭଳି ବିବାଦୀୟ ଅଞ୍ଚଳରେ ମଧ୍ୟ ଆମେ ମାନବିକ ସହାୟତା ପ୍ରଦାନ କରିଛୁ ।
ବନ୍ଧୁଗଣ :
ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ହେଉଛି ଏକ ପ୍ଲାଟଫର୍ମ ଯେଉଁଠାରେ ଆମେ ସେମାନଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ସ୍ୱର ଦେଉଛୁ, ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ହେୟଜ୍ଞାନ କରାଯାଇଛି । ମୁଁ ବିଶ୍ୱାସ କରେ ଯେ, ଆମର ଶକ୍ତି ଆମର ଏକତାରେ ରହିଛି ଏବଂ ଏହି ଏକତା ବଳରେ ଆମେ ଏକ ନୂତନ ଦିଗକୁ ଅଗ୍ରସର ହେବୁ । ଆସନ୍ତା ମାସରେ ଜାତିସଂଘରେ ଭବିଷ୍ୟତର ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଭବିଷ୍ୟତ ପାଇଁ ଚୁକ୍ତି ନେଇ ଆଲୋଚନା ହେଉଛି । ଆମେ ସମସ୍ତେ ମିଶି ଏକ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିପାରିବା ଯାହା ଦ୍ୱାରା ଏହି ଚୁକ୍ତିରେ ଦକ୍ଷିଣ ବିଶ୍ୱର ସ୍ୱର ସୁଦୃଢ଼ ହୋଇପାରିବ ? ଏହି ଚିନ୍ତାଧାରା ସହିତ ମୁଁ ବକ୍ତବ୍ୟ ଶେଷ କରୁଛି । ଏବେ ମୁଁ ଆପଣଙ୍କ ଚିନ୍ତାଧାରା ଶୁଣିବାକୁ ଅପେକ୍ଷା କରିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Leave A Reply

Your email address will not be published.