om academy

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା

jsm

● ମୋଟ ପରୀକ୍ଷଣ ୯ କୋଟି ଟପିଲା
● ୨୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାରଠାରୁ କମ

ନୂଆଦିଲ୍ଲୀ, (ପିଆଇବି) : ଜାନୁୟାରୀ ୨୦ରୁ ଗତକାଲି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫,୦୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯,୦୦,୯୦,୧୨୨ରେ ପହଞ୍ଚିଛି । ଦେଶର ୧୯୦୦ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ନମୁନା ପରୀକ୍ଷଣ ସାମର୍ଥ୍ୟ ବହୁଗୁଣିତ ହୋଇପାରିଛି । ଏବେ ଦୈନିକ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି । କ୍ରମବର୍ଦ୍ଧିଷ୍ଣୁ ନମୁନା ପରୀକ୍ଷା ଭିତ୍ତିଭୂମି ବିକାଶ ଯୋଗୁଁ ଏତେ ସଂଖ୍ୟକ ନମୁନା ଦୈନିକ ପରୀକ୍ଷା କରିବା ସମ୍ଭବ ହୋଇପାରିଛି । ଦେଶରେ ୧୧୧୨ଟି ସରକାରୀ ଓ ୮୨୩ଟି ବେସରକାରୀ ଏହିପରି ମୋଟ ୧୯୩୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।
ଦେଶବ୍ୟାପୀ ଅଧିକରୁ ଅଧିକ ପରୀକ୍ଷା ଫଳରେ ଜାତୀୟ ପଜିଟିଭ ହାର ମଧ୍ୟ ହ୍ରାସ ପାଇଛି । ସଂକ୍ରମଣ ହାର ବହୁ ପରିମାଣରେ ରୋକାଯାଇ ପାରିଥିବା ଏଥିରୁ ଜଣାପଡିଛି । ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପଜିଟିଭ ହାର ଜାତୀୟ ହାର ତୁଳନାରେ କମ ରହିଛି । ମୋଟ ପଜିଟିଭ ହାର ୮.୦୪ ପ୍ରତିଶତ ଥିବା ବେଳେ ଏହା ନିୟମିତଭାବେ ହ୍ରାସ ପାଇବାରେ ଲାଗିଛି । ଦେଶବ୍ୟାପୀ ଅଧିକ ନମୁନା ପରୀକ୍ଷଣ ଦୃଷ୍ଟିରୁ ପଜିଟିଭ ମାମଲାଗୁଡିକ ସଅଳ ଚିହ୍ନଟ ହେବା ସହ ତଥ୍ୟ ତଦାରଖ ଜରିଆରେ ସେଗୁଡିକୁ ସଠିକ ଠାବ କରିବା ତଥା ସମୟୋଚିତ ଉପଚାର (ଉଭୟ ହସ୍ପିଟାଲ ଓ ଘରୋଇ) ସମ୍ଭବ ହେଉଛି । ସେ ଦୃଷ୍ଟିରୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି ।
ନିକଟରେ ଦେଶରେ ଦେଖାଯାଇଥିବା ନୂତନ ସଂକ୍ରମଣ ମାମଲା ତୁଳନାରେ ଆରୋଗ୍ୟ ସଂଖ୍ୟା ମଧ୍ୟ ନୀରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ସେ ଦୃଷ୍ଟିରୁ ସକ୍ରିୟ ସଂକ୍ରମିତ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇ ୮,୨୬,୮୭୬ରେ ପହଞ୍ଚିଛି । ଏହା ମୋଟ ସଂକ୍ରମିତଙ୍କ ମାତ୍ର ଶତକଡା ୧୧.୪୨ ପ୍ରତିଶତ ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୪,୬୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩,୫୦୯ ଜଣ ସଂକ୍ରମିତ ହୋଇଛନ୍ତି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ସୁସ୍ଥତା ହାରରେ ଉନ୍ନତି ଘଟି ଏହା ୮୭.୦୫ ପ୍ରତିଶତରେ ପହଞ୍ଚିଛି । ମୋଟ ୬୩,୦୧,୯୨୭ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟଙ୍କ ମଧ୍ୟରେ ପାର୍ଥକ୍ୟ ୫୪,୭୫,୦୫୧ରେ ପହଚିଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ପାର୍ଥକ୍ୟ ସଂଖ୍ୟା ମଧ୍ୟ ନିୟମିତ ବୃଦ୍ଧି ପାଉଛି । ଶତକଡା ୭୯ ଭାଗ ନୂତନ ମାମଲା ୧୦ଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ, ଓଡିଶା ଏବଂ ଦିଲ୍ଲୀ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୫ ହଜାର ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୬୩,୫୦୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଶତକଡା ୭୭ ଭାଗ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ନୂତନ ମାମଲା ସଂଖ୍ୟାରେ କେରଳ ମହାରାଷ୍ଟ୍ରକୁ ଟପି ସବୁଠାରୁ ଆଗରେ ରହିଛି । କେରେଳ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ପ୍ରତ୍ୟେକ ୮ ହଜାର ଲେଖାଏଁ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରତ୍ୟେକ ୪ ହଜାରରୁ ଅଧିକ ମାମଲା ପଞ୍ଜୀକୃତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ପାଖାପାଖି ଶତକଡା ୮୦ ଭାଗ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ମୋଟ ମୃତକଙ୍କ ଶତକଡା ୨୫ ଭାଗ ଅର୍ଥାତ ୧୮୭ ଜଣଙ୍କର ମୃତ୍ୟୁ ଘଟିଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଊଣା ଅଧିକେ କୋଭିଡ-୧୯ ଦ୍ଵାରା ସଂକ୍ରମିତ ହୋଇଛନ୍ତି । ଆମ ଦେଶରେ ଋତୁ ଭିତ୍ତିକ ମହାମାରୀ ଯଥା ଡେଙ୍ଗୁ, ମାଲେରିଆ ଋତୁ ଭିତ୍ତିକ ସର୍ଦ୍ଦି କାଶ, ଲେପ୍ଟୋସୋରିଆସିସ, ଚିକିନଗୁନିଆ, ଆନ୍ତ୍ରିକ ଜ୍ଵର ଇତ୍ୟାଦି ଦେଖାଦେଇଥାଏ । ଏଗୁଡିକ କୋଭିଡ ମାମଲା ସହିତ ମିଶିକରି ରହିଥାଏ । ଏହା ପରୀକ୍ଷାଗାରରେ କୋଭିଡ ନିରୂପଣ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ, ଯାହାର ପ୍ରଭାବ କ୍ଲିନିକ ଓ ରୋଗୀଙ୍କ ଉପରେ ପଡିଥାଏ । ଏହି ଋତୁ ଭିତ୍ତିକ ସଂକ୍ରମଣ ଜନିତ ରୋଗୋଗୁଡିକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ-୧୯ ସହ ଅନ୍ୟ ସଂକ୍ରମଣ ସମ୍ପର୍କରେ ଏହାର ଚିକିତ୍ସା ଓ ନିୟମାବଳୀ ମାର୍ଗଦର୍ଶିକା ଜାରି କରିଛି ।

Leave A Reply

Your email address will not be published.