jayashree

ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧, ରାଷ୍ଟ୍ରପତି ଭବନ : ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କାହାନୀ ରାଷ୍ଟ୍ରପତି ଭବନ କୀ ପୁସ୍ତକ ଉନ୍ମୋଚନ କଲେ ଶିବରାଜ ସିଂହ ଚୌହାନ

  • ଏହି ପୁସ୍ତକଗୁଡ଼ିକ ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ଅଭିବ୍ୟକ୍ତି, ଆମ ଗଣତନ୍ତ୍ର ପାଇଁ ଏକ ଅମୂଲ୍ୟ ସମ୍ପଦ : ଶ୍ରୀ ଚୌହାନ
  • ଏହି ପୁସ୍ତକଗୁଡ଼ିକ ଆଗାମୀ ପିଢ଼ି ପାଇଁ ଏକ ସଂକଳନ ଭାବେ କାମ କରିବ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍‌

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ୪ଟି ପୁସ୍ତକ- ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧ (ଇଂରାଜୀ ଏବଂ ହିନ୍ଦୀ), ରାଷ୍ଟ୍ରପତି ଭବନ : ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କହାନୀ ରାଷ୍ଟ୍ରପତି ଭବନ କୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ, ଆଜି ଉନ୍ମୋଚିତ ହୋଇଥିବା ପୁସ୍ତକଗୁଡ଼ିକ ଭାରତୀୟ ଗଣତନ୍ତ୍ରର ପ୍ରତୀକ ରାଷ୍ଟ୍ରପତି ଭବନର ଐତିହ୍ୟରେ ସମୃଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୂର୍ବ ଭାଷଣ ଗୁଡ଼ିକର ସଂକଳନ ଆମ ଗଣତନ୍ତ୍ର ଓ ସମଗ୍ର ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ । ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ବଞ୍ଚିତ ବର୍ଗ ସମୂହ, କୃଷକ, ସଶସ୍ତ୍ର ବାହିନୀ ଓ ଯୁବକଙ୍କ ସମେତ ସମଗ୍ର ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ପ୍ରତିଫଳନ ହେଉଛି ଏହି ସଂକଳନ । ଏହି ପୁସ୍ତକର ପ୍ରଚ୍ଛଦରେ ଥିବା ଚିତ୍ର ଏବଂ ଶୀର୍ଷକ ଆମ ଗଣତନ୍ତ୍ରର କାହାଣୀକୁ ପ୍ରତିଫଳିତ କରୁଛି । ପୁସ୍ତକଗୁଡ଼ିକରେ ଥିବା ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କୁ ଆଶା ଓ ଅଧିକ ଶୀର୍ଷ ସଫଳତା ପାଇଁ ଲକ୍ଷ୍ୟ ନେଇ ଯାତ୍ରା କରିବାକୁ ପ୍ରେରଣା ଦେବ । ଏହି ପୁସ୍ତକ ଗୁଡ଼ିକରେ ସେ କୃଷି ଓ ଗ୍ରାମ୍ୟ ଉନ୍ନୟନ ସମ୍ବନ୍ଧୀୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣମାନ ପାଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଶ୍ରୀ ଚୌହାନ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାଷଣର ଏହି ସଂକଳନକୁ ପାଠ କରିବା ଦ୍ୱାରା ଦେଶର ସାମାଜିକ – ଆର୍ଥିକ ଆହ୍ୱାନ ସମୂହ, ସଫଳତାର ଦିଗଗୁଡ଼ିକ ଏବଂ ଆତ୍ମନିର୍ଭରଶୀଳତା ଦେଖାଉ ଥିବା ପଦକ୍ଷେପଗୁଡ଼ିକ ଉପରେ ଆମର ଦୃଷ୍ଟିକୋଣ ବ୍ୟାପକ ହେବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏହି ପୁସ୍ତକଗୁଡ଼ିକ ପ୍ରକାଶ କରିଥିବାରୁ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଜନହିତକାରୀ ବିଭିନ୍ନ ବିଷୟଗୁଡ଼ିକ ଉପରେ ନିୟମିତ ଭାବେ ପୁସ୍ତକ ପ୍ରକାଶ କରୁଥିବାରୁ ଏହାକୁ ଶ୍ରେୟ ଦେଇଛନ୍ତି । ଉନ୍ମୋଚିତ ହେଉଥିବା ପୁସ୍ତକଗୁଡ଼ିକ ସମ୍ପର୍କରେ ସେ କହିଛନ୍ତି ଯେ, ଏହି ପୁସ୍ତକଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଚିନ୍ତାଧାରାର ସବୁଠାରୁ ପ୍ରାମାଣିକ ସଂକଳନ ଏବଂ ଆଗାମୀ ପିଢ଼ିମାନଙ୍କ ପାଇଁ ଏହା ଏକ ସାରତତ୍ତ୍ୱ ସଂକଳନ ଭାବେ କାର୍ଯ୍ୟ କରିବ । କାର୍ଯ୍ୟକ୍ରମ ପରେ ବିଶିଷ୍ଟ ବ୍ୟକ୍ତିମାନେ ପୁସ୍ତକର ଏକ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ।
ପୁସ୍ତକଗୁଡ଼ିକ ବିଷୟରେ:
‘ୱିଙ୍ଗସ୍ ଟୁ ଆୱାର ହୋପ୍ସ୍‌’ ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବାର ପ୍ରଥମ ବର୍ଷରେ ବିଭିନ୍ନ ସମୟରେ ଦେଇଥିବା ଭାଷଣଗୁଡ଼ିକ ରହିଛି । ଜୁଲାଇ ୨୦୨୨ରୁ ଜୁଲାଇ ୨୦୨୩ ମଧ୍ୟରେ ରାଷ୍ଟ୍ରପତି ମୁର୍ମୁ ନିଜର ସରଳତା, ଚିନ୍ତନଶୀଳତା ଏବଂ ବିଦ୍‌ବତ୍ତା ମାଧ୍ୟମରେ ଦେଶବାସୀଙ୍କ ନିକଟରେ ନିଜକୁ ଆକର୍ଷିତ କରିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ଚିନ୍ତାଧାରା ଗୁଡ଼ିକୁ ବାଣ୍ଟିଛନ୍ତି । ଦେଶର ଜୀବନର ବିଭିନ୍ନ ଦିଗଗୁଡ଼ିକୁ ସ୍ପର୍ଶ କରିବା ସହିତ ଏହି ଭାଷଣଗୁଡ଼ିକ ମଧ୍ୟ ଜନସାଧାରଣଙ୍କୁ ଏକ ଆଶାର ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଦେଶର ପ୍ରଥମ ନାଗରିକଙ୍କର ସେମାନଙ୍କ ନିକଟରେ ପହଞ୍ଚିବାର ଅନ୍ତର୍ନିହିତ ପ୍ରବୃତ୍ତିକୁ ସୂଚାଇ ଥାଏ । ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୭୫ଟି ଭାଷଣ ରହିଛି ଯଥା- ରାଷ୍ଟ୍ରକୁ ସମ୍ବୋଧିତ କରିବା, ଶିକ୍ଷା – ସଶକ୍ତିକରଣର ଚାବିକାଠି, କର୍ତ୍ତବ୍ୟ ପଥରେ ସରକାରୀ କର୍ମଚାରୀମାନଙ୍କୁ ମାର୍ଗଦର୍ଶନ କରାଇବା, ଆମ ସେନା ଆମ ଗୌରବ, ସମ୍ବିଧାନ ଓ ଆଇନର ଭାବନା, ଉତ୍କର୍ଷର ପୁରସ୍କାର, ବିଶ୍ୱସ୍ତରୀୟ ପହଞ୍ଚ, ବିବିଧତା ଏବଂ ସମୃଦ୍ଧ ସଂସ୍କୃତିର ପାଳନ, ନିରନ୍ତର ବିକାଶ ପାଇଁ ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା, ଅତୀତକୁ ସଂରକ୍ଷିତ ରଖିବା, ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହିତ କରିବା । ‘ରାଷ୍ଟ୍ରପତି ଭବନ : ହେରିଟେଜ୍ ମିଟସ୍ ଦି ପ୍ରେଜେଣ୍ଟ’ ହେଉଛି ରାଷ୍ଟ୍ରପତି ଭବନ ଉପରେ ଏକ ଗଭୀର ଅନୁସନ୍ଧାନ, ଯାହାର ଇତିହାସ, ପରମ୍ପରା ଏବଂ ସ୍ଥାପତ୍ୟ ମହିମାକୁ ଏଥିରେ ଅନୁଶୀଳନ କରାଯାଇଛି । ଏହି ପୁସ୍ତକରେ ପାଠକମାନଙ୍କୁ ରାଷ୍ଟ୍ରପତି ଭବନର ଭବ୍ୟତା, ଏହାର ଧାରଣା ଠାରୁ ଆରମ୍ଭ କରି ଭାରତର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଭାବରେ ଏହାର ସାମ୍ପ୍ରତିକ ସ୍ଥିତି ବିଷୟରେ ଏକ ନିବିଡ଼ ଅନୁଧ୍ୟାନ ପ୍ରଦାନ କରାଯାଇଛି । ଏହି ପୁସ୍ତକଟି ଭାରତର ଅନ୍ୟତମ ପ୍ରସିଦ୍ଧ ଐତିହାସିକ ସ୍ଥଳୀ ରାଷ୍ଟ୍ରପତି ଭବନ ପ୍ରତି ଏକ ଶ୍ରଦ୍ଧାର ନିଦର୍ଶନ, ଯାହା ଦେଶର ସମୃଦ୍ଧ ସ୍ଥାପତ୍ୟ ଐତିହ୍ୟ ଏବଂ ଏହାର ଚଳଚଞ୍ଚଳ ବର୍ତ୍ତମାନ ସମୟର ପ୍ରମାଣ ରୂପେ ଦଣ୍ଡାୟମାନ । ରାଷ୍ଟ୍ରପତି ଭବନର କୋଣ ଅନୁକୋଣକୁ ବିଶଦ ବର୍ଣ୍ଣନା ଏବଂ ଚମତ୍କାର ଫଟୋଚିତ୍ରଗୁଡ଼ିକ ମାଧ୍ୟମରେ ଜୀବନ୍ତ କରାଯାଇଛି । ଏହି ପୁସ୍ତକ ପାଠକମାନଙ୍କୁ ଭବନ ଭିତରେ ଥିବା ବିଭିନ୍ନ କୋଠରୀ ଏବଂ ହଲ୍‌ ଗୁଡ଼ିକର ପରିଦର୍ଶନରେ ନେଇଯାଏ, ଯେଉଁଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟିର ନିଜର ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଏବଂ ଇତିହାସ ରହିଛି । ଏଥିରେ ସମାବେଶିତ କରାଯାଇଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି :
• ଅଶୋକା ହଲ୍ : ଚମତ୍କାର ଭିତ୍ତିଚିତ୍ର (ଫ୍ରେସ୍କୋ) ଏବଂ ଝାଡ଼ (ଚାନ୍ଦେଲିଅର)ଗୁଡ଼ିକରେ ସଜ୍ଜିତ ଏକ ସୁନ୍ଦର ବଲ୍ ରୁମ୍ ।
• ଦରବାର ହଲ୍ : ଭବ୍ୟ ସମାରୋହ ହଲ୍ ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଇଥାଏ ।
• ଅମୃତ ଉଦ୍ୟାନ : ମୋଗଲ ଏବଂ ଇଂରାଜୀ ଲ୍ୟାଣ୍ଡସ୍କେପିଂ ଶୈଳୀର ସମ୍ମିଶ୍ରଣକୁ ପ୍ରଦର୍ଶିତ କରୁଥିବା ଏକ ଉତ୍କୃଷ୍ଟ ବଗିଚା ।
• ପାଠାଗାର : ଜ୍ଞାନ ଏବଂ ଐତିହାସିକ ଦସ୍ତାବିଜ ଗୁଡ଼ିକର ଭଣ୍ଡାର ।
• ବୈଠକଖାନା (ଡ୍ରଇଂ ରୁମ୍‌) ଏବଂ ସମ୍ମିଳନୀ ହଲ୍‌ : ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ଏବଂ ସଭା ସମିତି ଅନୁଷ୍ଠିତ କରିବା ପାଇଁ ଏକ ସ୍ଥାନ ।
• ରାଷ୍ଟ୍ରପତିଙ୍କ ଅଧ୍ୟୟନ ପ୍ରକୋଷ୍ଠ : ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ଷେତ୍ର ।
ଏହି ପୁସ୍ତକରେ ରାଷ୍ଟ୍ରପତି ଭବନରେ ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷମାନଙ୍କର ଏକ ମନୋମୁଗ୍ଧକର କାହାଣୀ ମଧ୍ୟ ଦିଆଯାଇଛି । ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ରାଷ୍ଟ୍ରପତିଙ୍କ ଯାତ୍ରାକୁ ଏଥିରେ ଦର୍ଶାଯାଇଛି । ଭାରତର ଗଣତନ୍ତ୍ର ଓ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅବଦାନ ଏବଂ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟି ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ଏଥିରେ ବର୍ଣ୍ଣନା କରାଯାଇଛି, ଯାହା ରାଷ୍ଟ୍ରପତି ଭବନର ଇତିହାସର ସମୃଦ୍ଧ ବିବରଣୀ ପ୍ରଦାନ କରିଥାଏ । ‘କାହାନୀ ରାଷ୍ଟ୍ରପତି ଭବନ କୀ’ ପୁସ୍ତକରେ ପିଲାମାନଙ୍କ ପାଇଁ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭବନ ସମ୍ବନ୍ଧୀୟ ସୂଚନା ରହିଛି । ‘ଆମ ରାଷ୍ଟ୍ରପତି’, ‘ରାଷ୍ଟ୍ରପତି ଭବନର ମୁଖ୍ୟ ଆକର୍ଷଣ’ ଏବଂ ‘ରାଷ୍ଟ୍ରପତି ଭବନ ମ୍ୟୁଜିୟମ୍ କମ୍ପ୍ଳେକ୍ସ’ ଶୀର୍ଷକରେ ତିନି ଗୋଟି ଅଧ୍ୟାୟରେ ବିଭକ୍ତ ଏହି ପୁସ୍ତକରେ ରାଷ୍ଟ୍ରପତି ଭବନର ପ୍ରାୟ ଶହେ ବର୍ଷର ଇତିହାସକୁ ସରଳ ଶବ୍ଦରେ ଉପସ୍ଥାପନ କରାଯାଇଛି । ରାଷ୍ଟ୍ରପତି ଭବନର ବିଭିନ୍ନ ଚିତ୍ରରେ ପରିପୂର୍ଣ୍ଣ ଏହି ପୁସ୍ତକକୁ ଆକର୍ଷଣୀୟ ଶୈଳୀରେ ଉପସ୍ଥାପିତ କରାଯାଇଛି ।

Leave A Reply

Your email address will not be published.