ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଉଦ୍ଦେଶ୍ୟମୂଳକ, ପକ୍ଷପାତିତାପୂର୍ଣ୍ଣ ଏବଂ ଅପରିପକ୍ୱ ଆଶଙ୍କା କରାଯାଉଛି : ଏସବିଆଇ ରିପୋର୍ଟ
● ଶେଷ ତ୍ରୈମାସର ଜିଡିପି ପରିସଂଖ୍ୟାନକୁ ଆଧାର କରି ଦେଶର ବିକାଶ ହାରକୁ ୮୦ ଦଶକ ପୂର୍ବର ରାଜ କ୍ରିଷ୍ଣାଙ୍କ ପରିଭାଷିତ ଅଭିବୃଦ୍ଧି ହାର ସହିତ ତୁଳନା କରିବା ଅନୁଚିତ୍
● ଗତ ତିନି ବର୍ଷ ମଧ୍ୟରେ ଭାରତର ହାରାହାରି ଜିଡିପିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅଭିବୃଦ୍ଧି ପରିଲକ୍ଷିତ
● ବିଗତ ଦଶନ୍ଧିରେ ନିବେଶ ଓ ସଞ୍ଚୟ ପରିମାଣ ବଢ଼ିଛି; ସକଳ ପୁଞ୍ଜି ସୃଷ୍ଟି ବୃଦ୍ଧି ପାଇବା ସହ ଆଇଓସିଆରରେ ସୁଧାର ଆସିଛି
● ଭବିଷ୍ୟତରେ ୭% ଜିଡିପିକୁ ଯେକୌଣସି ମାପଦଣ୍ଡ ଆଧାରରେ ଏକ ଉଚିତ ଅଭିବୃଦ୍ଧି ହାର ବୋଲି ଗ୍ରହଣ କରାଯିବା ଉଚିତ୍
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଓ ବିକାଶକୁ ନେଇ ବ୍ୟକ୍ତ କରାଯାଉଥିବା ଆଶଙ୍କା ଉଦ୍ଦେଶ୍ୟମୂଳକ, ପକ୍ଷପାତିତାପୂର୍ଣ୍ଣ ଏବଂ ଅପରିପକ୍ୱ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଇକୋରାପ୍ ରିପୋର୍ଟରେ କୁହାଯାଇଛି । ସଦ୍ୟ ସମାପ୍ତ ହୋଇଥିବା ତ୍ରୈମାସର ଜିଡିପି ହାରକୁ ଆଧାର କରି ଏବଂ ସଞ୍ଚୟ ଓ ନିବେଶ ଉପରେ ରହିଥିବା ତଥ୍ୟକୁ ଅଣଦେଖା କରି ଭାରତର ବାସ୍ତବ ବିକାଶ ହାରକୁ ନେଇ ନିର୍ଣ୍ଣାୟକ ମତପ୍ରକାଶ କରାଯିବା ଅମୂଳକ ବୋଲି ଏସବିଆଇ ରିପୋର୍ଟରେ କୁହୋଯାଇଛି ।
ଏସବିଆଇ ରିପୋର୍ଟରେ କୁହାଯାଇଛି ଯେ, ନିକଟରେ ଶେଷ ହୋଇଥିବା ତ୍ରୈମାସର ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନକୁ ଆଧାର କରି ଭାରତର ବିକାଶ ହାରକୁ ୧୯୮୦ ଦଶକ ପୂର୍ବର ରାଜକ୍ରିଷ୍ଣାଙ୍କ ପରିଭାଷିତ ଅଭିବୃଦ୍ଧି ହାର ସହିତ ତୁଳନା କରିବାର କୌଣସି ଅଧାର ନାହିଁ । ତ୍ରୈମାସିକ ଅଭିବୃଦ୍ଧି ସଂଖ୍ୟା ଅସ୍ପଷ୍ଟ ହୋଇପାରେ ଏବଂ ଏହାକୁ ଆଧାର କରି ଦେଶର ସାମଗ୍ରିକ ଅଭିବୃଦ୍ଧିକୁ ବ୍ୟାଖ୍ୟା କରିବା ଅନୁଚିତ୍ । ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଗତ ତିନି ବର୍ଷ ମଧ୍ୟରେ ଭାରତର ହାରାହାରି ଜିଡିପିରେ ୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ସଞ୍ଚୟ ଓ ନିବେଶ କ୍ଷେତ୍ରରେ ମିଳିଥିବା ତଥ୍ୟ ଏହାକୁ ପ୍ରମାଣିତ କରୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଏସବିଆଇ ଗ୍ରୁପର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର ସୌମ୍ୟ କାନ୍ତି ଘୋଷ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ବିଗତ ଦଶନ୍ଧିରେ ନିବେଶ ଓ ସଞ୍ଚୟ ତଥ୍ୟକୁ ଅନୁଶୀଳନ କଲେ ଏହି କ୍ଷେତ୍ରରେ ସକାରାତ୍ମକ ଅଭିବୃଦ୍ଧି ଦେଖିବାକୁ ମିଳିଛି । ୨୦୨୦-୨୧ରେ ସକଳ ପୁଞ୍ଜି ସୃଷ୍ଟି (ଜିସିଏଫ) ହାର ୧୦.୭% ଥିବା ବେଳେ ୨୦୨୧-୨୨ରେ ଏହା ୧୧.୮%କୁ ବୃଦ୍ଧି ପାଇଛି । ସମାନ ଅବଧିରେ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ପରିମାଣ ୧୦%ରୁ ୧୦.୮%କୁ ବଢ଼ିଛି । ବାସ୍ତବରେ, ଜିସିଏଫ ଠାରୁ ଆରମ୍ଭ କରି ସକଳ ଉତ୍ପାଦନ ଅନୁପାତ କିମ୍ବା ନୂଆ କ୍ଷମତା ସୃଷ୍ଟି ପାଇଁ ପାଣ୍ଠିର ପୁନଃନିବେଶର ତଥ୍ୟକୁ ଅନୁଧ୍ୟାନ କଲେ ୨୦୨୧-୨୨ରେ ସାର୍ବଜନୀନ ପ୍ରଶାସନ ଲାଗି ଏହି ଅନୁପାତ ନୂଆ ଶୀର୍ଷକୁ ଛୁଇଁଥିବା ଦେଖାଯାଇଛି । ବିଗତ କିଛି ବର୍ଷର ବଜେଟରେ ପୁଞ୍ଜି ବିନିଯୋଗ ଉପରେ ବିଶେଷ ଗୁରୁତ୍ବାରୋପ କରାଯିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସାମଗ୍ରିକ ସ୍ତରରେ ଦେଖିଲେ, ସକଳ ପୁଞ୍ଜି ସୃଷ୍ଟି ପରିମାଣ ୨୦୨୨-୨୩ ଆର୍ଥିକ ବର୍ଷରେ ୩୨% ଅତିକ୍ରମ କରିଯାଇଛି ଯାହାକି ୨୦୧୮-୧୯ ପରେ ସର୍ବୋଚ୍ଚ ସ୍ତର ।
ସକଳ ସଞ୍ଚୟ ପରିମାଣ ୨୦୨୦-୨୧ରେ ୨୯% ଥିବା ବେଳେ ୨୦୨୧-୨୨ରେ ୩୦%କୁ ବୃଦ୍ଧି ପାଇଛି । ଏହି ପରିମାଣ ୨୦୨୨-୨୩ରେ ୩୧% ଟପିଯିବ ବୋଲି ଅନୁମାନ କରାଯାଉଛି, ଯାହାକି ୨୦୧୮-୧୯ ଠାରୁ ସର୍ବୋଚ୍ଚ । ଜମା ବା ଡିପୋଜିଟ ଭଳି ଆର୍ଥିକ ସଞ୍ଚୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା କାରଣରୁ ମହାମାରୀ ଅବଧି ସମୟରେ ଘରୋଇ ସଞ୍ଚୟ ମଧ୍ୟ ବଢ଼ିଛି । ଅନ୍ୟପଟେ ଘରୋଇ ଆର୍ଥିକ ସଞ୍ଚୟ ପରିମାଣ ୨୦୨୦-୨୧ରେ ୧୫.୪% ଥିବା ବେଳେ ୨୦୨୨-୨୩ରେ ଏହା ୧୧.୧%କୁ କମିଛି । ତେବେ ଭୌତିକ ସମ୍ପତ୍ତି କ୍ଷେତ୍ରରେ ସଞ୍ଚୟ ୨୦୨୦-୨୧ରେ ୧୦.୭% ଥିବା ବେଳେ ୨୦୨୧-୨୨ରେ ୧୧.୮%କୁ ବୃଦ୍ଧି ପାଇଛି ।
ପ୍ରାଥମିକ ଦୃଷ୍ଟିରୁ, ଏକ ସତର୍କତା ପୂର୍ବକ ବିଶ୍ଳେଷଣରୁ ଏହା ଜଣାପଡ଼ିଥାଏ ଯେ ଉତ୍ପାଦନର ଅତିରିକ୍ତ ୟୁନିଟକୁ ଜାଣିବା ଲାଗି ଆବଶ୍ୟକ ହେଉଥିବା ଅତିରିକ୍ତ ପୁଞ୍ଜି (ନିବେଶ)ର ୟୁନିଟକୁ ମାପୁଥିବା ଇନକ୍ରିମେଣ୍ଟାଲ କ୍ୟାପିଟାଲ ଆଉଟପୁଟ ରେସିଓ (ଆଇସିଓଆର) ବା ବର୍ଦ୍ଧିତ ପୁଞ୍ଜି ଉତ୍ପାଦନ ଅନୁପାତରେ ସୁଧାର ଦେଖିବାକୁ ମିଳିଛି । ୨୦୧୨ ଆର୍ଥିକ ବର୍ଷରେ ଆଇସିଓଆର ୭.୫ ପ୍ରତିଶତ ଥିବା ବେଳେ ୨୦୨୨ରେ ଏଥିରେ ସୁଧାର ଆସି ୩.୫ ପ୍ରତିଶତରେ ପହଞ୍ଚିଛି । ସ୍ପଷ୍ଟ ଭାବେ ଦେଖିଲେ, ପରବର୍ତ୍ତୀ ଆଉଟପୁଟ ୟୁନିଟ୍ ପାଇଁ ଏବେ ପୁଞ୍ଜିର ମାତ୍ର ଅଧା ଭାଗ ଆବଶ୍ୟକ ହେଉଛି ।
ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆଇଓସିଆର ହ୍ରାସ ପାଇବା ପୁଞ୍ଜି ଦକ୍ଷତାରେ ଅପେକ୍ଷାକୃତ ବୃଦ୍ଧିକୁ ଦର୍ଶାଉଛି । ଆଇଓସିଆରକୁ ଅନୁଶୀଳନ କଲେ ଦେଶର ଅର୍ଥବ୍ୟବସ୍ଥା ଦୃଢ଼ ସ୍ଥିତିରେ ରହିଥିବା ସ୍ପଷ୍ଟ ହୋଇଥାଏ । ଶେଷରେ ଏସବିଆଇ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅର୍ଥବ୍ୟବସ୍ଥାର ସମ୍ଭାବ୍ୟ ଅଭିବୃଦ୍ଧି ହାର ପୂର୍ବାପେକ୍ଷା ସାମାନ୍ୟ କମ ଥିଲେ ମଧ୍ୟ ବୈଶ୍ବିକ ସ୍ଥିତି କାରଣରୁ ଏପରି ହୋଇଛି । ଏହି ଦୃଷ୍ଟିରୁ ଭବିଷ୍ୟତରେ ୭% ଜିଡିପି ହାରକୁ ଯେକୌଣସି ମାପଦଣ୍ଡ ଆଧାରରେ ଏକ ଉଚିତ ଅଭିବୃଦ୍ଧି ବୋଲି ଗ୍ରହଣ କରାଯିବା ଉଚିତ୍ ବୋଲି ରିପୋର୍ଟରେ କୁହାଯାଇଛି ।