ଚାଷୀ ପଞ୍ଜୀକରଣ ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାଷୀ ପଞ୍ଜୀକରଣ ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସଂଗଠନ ଋଷିକୂଲ୍ୟା ରୟତ ମହାସଭା ଏବଂ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସୋମବାର ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ସମସ୍ତ ଚାଷୀ ଓ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କରିବା ସହ ୩ ଦଫା ଦାବୀ ନେଇ ଋଷିକୁଲ୍ୟା ରୟତ ମହାସଭା ଓ ବହୁ କୃଷିଜୀବୀ ସଂଗଠନ ଏବଂ ବିଭିନ୍ନ କୃଷକ ନେତାଙ୍କ ନେତୃତ୍ତ୍ୱରେ ବିଭିନ୍ନ ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦୀର୍ଘ ୫୦ ବର୍ଷ ହେଲା ଜିଲ୍ଲାରେ ସେଟଲମେଣ୍ଟ ହୋଇନଥିବାରୁ ହଜାର ହଜାର ଚାଷିଙ୍କ ଜମିର ରେକର୍ଡ ତ୍ରୁଟି ରହିଛି । ଚଳିତ ବର୍ଷ ନିୟମ ଅନୁଯାୟୀ ଜମିର ପଟ୍ଟା ନଥିବା ଚାଷୀଙ୍କର ପଞ୍ଜୀକରଣ ହୋଇପାରି ନାହିଁ । କେତେକ ଚାଷୀ ତାଙ୍କ ଗୋସାଇଁ ବାପାଙ୍କ ନାମରେ ଥିବା ଜମିକୁ ଚାଷ କରୁଛନ୍ତି । ଗୋସାଇଁ ବାପାଙ୍କ ଆଧାର କାର୍ଡ ମିଳିବା ଅସମ୍ଭବ । ଏଣୁ ପୂର୍ବବର୍ଷ ଭଳି ସିସ୍ତୁ ରସିଦ୍ ପୁରୁଣା ଜମିର ରେକର୍ଡ (ଜମି ଦସ୍ତାବିଜ) ଅନୁସାରେ ପଞ୍ଜୀକରଣ କରିବା ପାଇଁ ସୁବିଧା କରାଯାଉ ।

ଭାଗ ଚାଷୀମାନେ ହେଉଛନ୍ତି ପ୍ରକୃତ ଚାଷୀ । ସେମାନେ ନିଜ ପରିବାରର ଶ୍ରମ ଓ ନଗୁତି ଖର୍ଚ୍ଚ ଲଗାଇ ଧାନଚାଷ କରିଥାନ୍ତି । ପୂର୍ବରୁ ଧାନକିଣା ଚାଷୀ କମିଟିର ସୁପାରିସରେ ତାଙ୍କ ନାମ ପଞ୍ଜୀକରଣ ହୋଇ ସେମାନଙ୍କ ଧାନବିକ୍ରି ହୋଇପାରୁଥିଲା । ମାତ୍ର ଚଳିତବର୍ଷର ନିୟମ ଅନୁଯାୟୀ ଜମି ମାଲିକର ସହମତି, ଆଧାର କାର୍ଡ ଓ ଫୋନ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ଏହା କେବେ ସମ୍ଭବ ନୁହେଁ । ଜିଲ୍ଲାରେ ଦୁଇଲକ୍ଷରୁ ଅଧିକ ଭାଗ ଚାଷୀ ଧାନ ଚାଷ କରିଥାନ୍ତି । ଏଣୁ ଧାନକିଣା କମିଟିର ସୁପାରିସରେ ଭାଗ ଚାଷୀଙ୍କ ନାମ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଗଞ୍ଜାମ ଜିଲ୍ଲାରେ ଶହ ଶହ ଏକର ଧାନ ଜମି ବିଭିନ୍ନ ମଠ ଓ ମନ୍ଦିର ନାମରେ ରହିଛି । ସେହି ଜମିକୁ ଗରିବ, ଜମିହୀନ ଚାଷୀମାନେ ଧାନଚାଷ କରି ମନ୍ଦିରକୁ ମହାସୁଲ ଦେଇଥାନ୍ତି । କେତେକ ମନ୍ଦିର ଜମି ଗରିବ ଚାଷିଙ୍କ ନାମରେ ପଞ୍ଜୀକରଣ କରି ସିସ୍ତୁ ଦେଇ ବହୁବର୍ଷ ଧରି ଦଖଲରେ ଅଛନ୍ତି । ତେଣୁ ପଞ୍ଜୀକରଣ କାର୍ଯ୍ୟ ପୂର୍ବଭଳି ଚଳିତ ବର୍ଷ ମଧ୍ୟ ଚାଷୀମାନଙ୍କର ନାମ ପଞ୍ଜୀକରଣ କରାଯାଉ ।

ଅଧିକାଂଶ ସମବାୟ ସମିତିର ସମ୍ପାଦକମାନେ ନୂତନ ପଞ୍ଜୀକରଣ ନିୟମ ବିଷୟରେ ସନ୍ଦେହରେ ଅଛନ୍ତି । ଏଣୁ ପ୍ରତିଗ୍ରାମରେ ଧାନକିଣା କମିଟି ଗଠନ କରି ସମ୍ପାଦକ ଓ ଚାଷୀ କମିଟିକୁ ତାଲିମ ପ୍ରଦାନ କଲେ ଚାଷୀ ପଞ୍ଜୀକରଣ ସରଳୀକରଣ ସହ ସୁବିଧାରେ ହୋଇପାରିବ । ଚାଷୀ ପଞ୍ଜୀକରଣର ତାରିଖ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅବଧି ବଢାଯାଉ ବୋଲି ଉକ୍ତ ଦାବୀପତ୍ରରେ ଦର୍ଶାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳଳ ନାହାକ, କଂଗ୍ରେସ ନେତା ଭାଗିରଥୀ ବେହେରା, ରାଜେନ୍ଦ୍ର ଜେନା, ସିପିଆଇ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, କେ. ମୂୁରଲି ରେଡ୍ଡୀ, କିଶୋର ଚନ୍ଦ୍ର ପଣ୍ଡା, କେ. ତୁଳସୟା ରାଜୁ, ଭୀମସେନା ବେହରା, କିଶୋର ମାଳି, ଇଶ୍ୱର ମାଳି, କେ.ସୁରି ରେଡ୍ଡୀ ଓ ପ୍ରଭାତ ପାଣିଗ୍ରାହୀଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ । ପରେ ଏସଂକ୍ରାନ୍ତରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଭେଟି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ଛତ୍ରପୁର ଓ ଗଞ୍ଜାମ ବ୍ଲକର ତଥା ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ହିତ ସାଧନା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚାଷୀମାନେ ଦାବୀ ମୁତାବକ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.