pakka

ବ୍ୟବସାୟିକ କ୍ଷେତ୍ରରେ ବିସ୍ଥାପନର ଭୟ ଓ ଘରେ ଘରେ ଲକ୍ଷ୍ମୀ ଯୋଜନା

bbehera
  • ହେମନ୍ତ କୁମାର ପଣ୍ଡା

ଲକ୍ଷ୍ମୀ ଯୋଜନା ସରକାରଙ୍କ ଏକ ପ୍ରମୁଖ ଜନହିତକର କାର୍ଯ୍ୟକ୍ରମ ବୋଲି ଦାବୀ କରାଯାଉଛି । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ବସ୍ ସେବା ସଂଯୋଗୀକରଣ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି । ରାଜ୍ୟ ସରକାର ଗତ ବଜେଟରେ ଚଳିତ ଆର୍ଥିକ ବର୍ଷ ପାଇଁ ୭୨୦୨ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ପ୍ରଥମ ତିନି ବର୍ଷରେ ୩୧୭୮ କୋଟି ଟଙ୍କା ବ୍ୟୟ କରାଯାଇ ୧୦୦୦ଟି ବସ ଚଳାଇବା ପଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବ୍ଲକ ପିଛା ତିନିରୁ ଚାରୋଟି ବସ ବିଭିନ୍ନ ପଞ୍ଚାୟତ ଦେଇ ବ୍ଲକ ମୁଖ୍ୟାଳୟକୁ ତିନିରୁ ଚାରି ଥର ଓ ବିପରୀତ କ୍ରମରେ ଚଳାଚଳ କରିବା ସହ ଗୋଟିଏ ବସ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ସଦର ମହକୁମାକୁ ଯିବା ଆସିବା କରିବ । ଜିଲ୍ଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ମଧ୍ୟ ସରକାର ଏହି ଯୋଜନା ମାଧ୍ୟମରେ ବସ ଚଳାଚଳ କରିବେ ବୋଲି ଯୋଜନା କରିଛନ୍ତି । ମୋଟ ଉପରେ ଏହାକୁ ରାଜ୍ୟର ସମସ୍ତ ବ୍ଲକରେ ଆର୍ନ୍ତ ପଞ୍ଚାୟତ, ଆର୍ନ୍ତବ୍ଲକ ଓ ଆର୍ନ୍ତଜିଲ୍ଲାକୁ ରିହତି ଦରରେ ଏକ ବସ ସେବା ସଂଯୋଗୀକରଣ ଯୋଜନା ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ । ସମଗ୍ର ଓଡିଶାକୁ ସୁଲଭ ମୂଲ୍ୟରେ ଉନ୍ନତ ବସ ସେବା ସଂଯୋଗୀକରଣ ହେଲେ ରାଜ୍ୟ ବ୍ୟାପୀ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ଉନ୍ନତି ହେବ । ଗ୍ରାମାଞ୍ଚଳ ଗୁଡିକ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ । ସମଗ୍ର ରାଜ୍ୟରେ ପ୍ରାୟ ୧୬୦୦ ବସ ଏହି ଯୋଜନାରେ ଚଳାଚଳ କରିବ । ଏହାର ଯାତ୍ରୀ ଭଡା ସରକରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଧାର୍ଯ୍ୟ ବସ ଭଡାଠାରୁ କମ ରହିଛି ଓ ବିଭିନ୍ନ ବର୍ଗ ପାଇଁ ରିହାତି ଦିଆଯାଇ ଅତି ମାମୁଲି ଭଡା ସ୍ୱତନ୍ତ୍ର ଭାବେ ଏହି ଯୋଜନା ପାଇଁ ଘୋଷଣା କରାଯାଇଛି । ପାର୍ବଣ ଋତୁରେ ପ୍ରଥମେ ମାଲକାନଗିରିରେ ଓ ପରେ ଗଜପତି ଜିଲ୍ଲାରେ ରାଜ୍ୟ ମୁଖ୍ୟମନ୍ତ୍ର୍ରୀ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଆଗାମୀ ୧ ନଭେମ୍ବର ଦିନ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସାଧାରଣ ଜନତାଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ଲକ୍ଷ୍ନୀ ଯୋଜନାରେ ଚଳାଚଳ କରିବାକୁ ଥିବା ସମସ୍ତ ବସକୁ ଅନ୍ୟ ରାଜ୍ୟର ଏକ କମ୍ପାନୀ ଦ୍ୱାରା ପରିଚାଳନା କରିବା ପାଇଁ ସରକାର ସ୍ଥିରୀକୃତ କରିଛନ୍ତି । ରିହାତି ଦରରେ ଯାତ୍ରୀ ପରିବହନ ଯୋଗୁଁ ବସ ଗୁଡିକର ଯେଉଁ କ୍ଷତି ହେବ ତାହା ସରକାର ବହନ କରି ଉକ୍ତ କମ୍ପାନୀକୁ ପ୍ରଦାନ କରିବେ । ସରକାରଙ୍କ ସମ୍ପୂର୍ଣ୍ଣ ସହାୟତାରେ ଏକ ଘରୋଇ କମ୍ପାନୀ ବସ ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିବ । ରାଜ୍ୟର ବେସରକାରୀ ବସ ମାଲିକଙ୍କ ମଧ୍ୟରେ ସରକାରଙ୍କ ଏହି ଯୋଜନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ସରକାର ସେମାନଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଯାତ୍ରୀ ଭଡା ଧାର୍ଯ୍ୟ କରିଥିବା ବେଳେ ଲକ୍ଷ୍ମୀ ଯୋଜନାରେ ଚାଲୁଥିବା ବସ ପାଇଁ ଅତ୍ୟନ୍ତ ମାମୁଲି ଭଡା ସ୍ଥିର କରିବା ଦ୍ୱାରା ସେମାନଙ୍କ ବସରେ ଯାତ୍ରୀ ଆଉ ଯିବା ଆସିବା କରିବେ ନାହିଁ । ସରକାରଙ୍କ ଏଭଳି ଯୋଜନା ଦ୍ୱାରା ସେମାନଙ୍କ ବ୍ୟବସାୟିକ କ୍ଷେତ୍ରର ବିସ୍ଥାପନ ହୋଇପାରେ । ଲକ୍ଷ୍ମୀ ଯୋଜନା ସଫଳ ଭାବେ ରୂପାନ୍ତରିତ ହେଲେ ସମଗ୍ର ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ପ୍ରଥମ ଥର ପାଇଁ ବ୍ୟବସାୟିକ କ୍ଷେତ୍ରରେ ଏକ ବଡ ବିସ୍ଥାପନର ଆଶଙ୍କା ଦେଖାଯାଇଛି । ବଡବଡ କମ୍ପାନୀମାନଙ୍କ ବିଭିନ୍ନ ଖୁଚୁରା ବ୍ୟବସାୟ କ୍ଷେତ୍ରରେ ପ୍ରବେଶ ଯୋଗୁଁ ଛୋଟ ଛୋଟ ସହରାଞ୍ଚଳ ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ମାନଙ୍କ ବ୍ୟବସାୟିକ କ୍ଷେତ୍ରରେ ବିସ୍ଥାପନ ଦେଖାଯାଉଛି । ଅର୍ଥାତ ବଡ ବଡ କମ୍ପାନୀ ବିଭିନ୍ନ ବ୍ୟବସାୟରେ ପ୍ରବେଶ କଲା ପରେ କ୍ଷୁଦ୍ର ବ୍ୟବସାୟୀମାନେ ବିପୁଳ ପରିମାଣ କ୍ଷତି ଆଶଙ୍କା କରି କିମ୍ବା କ୍ଷତି ସହିବା ପରେ ବାଧ୍ୟ ହୋଇ ସେମାନଙ୍କ ବ୍ୟବସାୟକୁ ବନ୍ଦ କରିଛନ୍ତି କମ୍ବା ବ୍ୟବସାୟ ପ୍ରତିଷ୍ଠାନକୁ ପରିବର୍ତ୍ତନ କରି ଅନ୍ୟ ବ୍ୟବସାୟ ପୁନଃ ସ୍ଥାପନ କରିବା ପାଇଁ ବାଧ୍ୟ ହୋଇଛନ୍ତି ଠିକ ସେହିଭଳି ସରକାରୀ ସହାୟତାରେ ଲକ୍ଷ୍ମୀ ବସ ଯୋଜନା ଦ୍ୱାରା ଓଡିଶାରେ ବ୍ୟବସାୟ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଧରଣର ଘରୋଇ ବସ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟିକ କ୍ଷେତ୍ରରୁ ବାଧ୍ୟ ହୋଇ ଅପସରି ଯାଇ ପାରନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ନିଜ ଭିଟାମାଟିରୁ ପ୍ରଭାବିତ ଲୋକଙ୍କୁ ବିସ୍ଥାପିତ କରାଯାଇଥିବା ଅନେକ ଉଦାହରଣ ରହିଛି କିନ୍ତୁ ସରକରାଙ୍କ ଯୋଜନା ପାଇଁ ପ୍ରଭାବିତ ବ୍ୟବସାୟିକ କ୍ଷେତ୍ରରୁ ବ୍ୟବସାୟିକ ବିସ୍ଥାପନ ପ୍ରଥମ ଘଟଣା ହେବ । ରାଜ୍ୟରେ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଚାଲିଛି । ଆହାର, ବିଜୁ ସ୍ୱାସ୍ଥ୍ୟ ବୀମା ଇତ୍ୟାଦି ସରକାରୀ ଯୋଜନା ଚାଲିଛି କିନ୍ତୁ ଏହା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇ ନାହାନ୍ତି କାରଣ ଆହାର କେନ୍ଦ୍ରରେ ସବୁ ପ୍ରକାର ଆମିଷ ଓ ନିରାମିଷ ଖାଦ୍ୟ ସହ ଏହା ସମସ୍ତଙ୍କ ପାଇଁ ଉପଲବ୍ୱ ନୁହେଁ । କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଆହାର କେନ୍ଦ୍ରମାନଙ୍କରେ ଅଧିକାଂଶ ଗରିବ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି । ଏହାକୁ ଏକ ସଫଳ ଜନହିତକର ଯୋଜନା ବୋଲି କୁହାଯାଇପାରେ । ଏକ ନିର୍ଦ୍ଦିଷ୍ଟ ବର୍ଗର ସାଧାରଣ ଜନତାଙ୍କୁ ସରକାରୀ ସହାୟତା ଦେବା ପାଇଁ କରାଯାଉଥିବା ଯୋଜନାର ସଫଳ ରୂପାୟନ ସମୟରେ ଅନ୍ୟ ବର୍ଗର ସାଧାରଣ ଲୋକ ଯଦି କ୍ଷତିଗ୍ରସ୍ତ ହୁଅନ୍ତି ଓ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତାରୁ ବଞ୍ଚିତ କରାଯାଏ ତାହା ହେଲେ ଉକ୍ତ ଯୋଜନାକୁ ଆମେ ଜନହିତକର ବୋଲି କହି ପାରିବା ନାହିଁ । ସରକାର ବସ ମାଲିକଙ୍କଠାରୁ ବିଭିନ୍ନ ପ୍ରକାର ଦେୟ ଅସୁଲ କରି ରିହାତି ଦରରେ ସାଧାରଣ ଜନତାଙ୍କୁ ଲକ୍ଷ୍ମୀ ବସ ସେବା ଯୋଗାଇ ଦେଲେ ଘରୋଇ ବସ ମାଲିକଙ୍କ ବ୍ୟବସାୟ ବୁଡିବା ସୁନିଶ୍ଚିତ । ରାଜ୍ୟରେ ବସ ଭଡା କ୍ଷେତ୍ରରେ ଅସମାନତା ମଧ୍ୟ ଦେଖାଦେବ । ରାଜ୍ୟର ଘରୋଇ ବସ ମାଲିକମାନେ ଏହାକୁ ବିରୋଧ କରି ପାର୍ବଣ ଋତୁର ଅବକାଶ ସମୟରେ ରାଜ୍ୟ ବ୍ୟାପୀ ବସ ଧର୍ମଘଟ କରି ବିଭିନ୍ନ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ରାଜ୍ୟର ସାଧାରଣ ଜନତା ଏହାଦ୍ୱାରା ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବସ ମାଲିକଙ୍କ ଯୁକ୍ତି ହେଲା ଏହି ଯୋଜନା କାର୍ୟ୍ୟକାରୀ ହେଲେ ସେମାନେ ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହେବେ । ବସ ଚଳାଚଳ କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ସେମାନେ ଆଉ ସକ୍ଷମ ହେବେ ନାହିଁ । ଋଣ ଭାରରେ ବୁଡି ଯିବେ । ଏହି ଭୟ ରାଜ୍ୟର ସମସ୍ତ ବସମାଲିକଙ୍କୁ ଏକତ୍ରିତ କରିଛି । ପୂର୍ବରୁ ରାଜ୍ୟ ସରକାର ସହରାଞ୍ଚଚଳ ଓ ଗ୍ରାମାଞ୍ଚଳରେ ବସ ସେବା ସଂଯୋଗିକରଣ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ଘରୋଇ ବସ ମାଲିକମାନେ ଯାତ୍ରୀ ପରିବହନ ସେବା ପ୍ରଦାନ କରୁଥିଲେ । ରାଜ୍ୟରେ ବସ ବ୍ୟବସାୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପରିଣତ ହୋଇଛି । ଲକ୍ଷାଧିକ ଲୋକ ଏହି ବ୍ୟବସାୟରେ ଜଡିତ ରହି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ସରକାରଙ୍କ ଏହି ପ୍ରମୁଖ ଯୋଜନା ଲକ୍ଷ୍ମୀ ଦ୍ୱାରା ଦିନରେ ଚାଲୁଥିବା ସାଧାରଣ ବସଗୁଡିକର ବ୍ୟବସାୟ ଧ୍ୱସ୍ତ ହୋଇଯିବା ଆଶଙ୍କା ଦେଖାଯାଇଛି । ଲକ୍ଷ୍ମୀ ବସ ଚଳାଚଳ ପରେ ମାଲକାନଗିରିରେ ଦିନବେଳା ସାଧାରଣ ବର୍ଗର ବସ ଚଳାଚଳ କରୁଥିବା ପ୍ରାୟ ୧୫ ଜଣ ବସ ମାଲିକଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିବା ଅଭିଯୋଗ ଆସୁଛି । ସମଗ୍ର ରାଜ୍ୟରେ ଏହି ଅବସ୍ଥା ଉପୁଜି ପାରେ । ଲୋକ ହିତକର ଯୋଜନା ନାଁରେ ସରକାର କାର୍ଯ୍ୟକାରୀ କରୁଥିବା କାର୍ଯ୍ୟକ୍ରମଗୁଡିକ ଯୋଗୁଁ ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ ସମାସ୍ୟା ଉପୁଜିବା ସମ୍ଭାବନା ରହିଛି ଆରମ୍ଭ ହୋଇଛି । ସରକାରଙ୍କ ଲୋକହିତକର କାର୍ଯ୍ୟକ୍ରମ ରାଜ୍ୟର ସାମୂହିକ ବିକାଶ ପାଇଁ ଉଦ୍ଧିଷ୍ଟ । ଲକ୍ଷ୍ମୀ ଯୋଜନା କିଛି ବର୍ଷ ପାଇଁ ଗମନାଗମନ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରେ ଏହା ସତ କିନ୍ତୁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ମଧ୍ୟରେ ଅସୁରକ୍ଷିତ ମନୋଭାବକୁ ଜନ୍ମ ଦେଇପାରେ । ରାଜ୍ୟର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଆଡକୁ ଯାଉଥିବା ବେଳେ ଲୋକସ୍ୱାର୍ଥ୍ୟରେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ରାଜ୍ୟବାସୀଙ୍କୁ ଏହାର ସୁଫଳ ଦେବା ପାଇଁ ଆଗେଇ ଆସିଛନ୍ତି କିନ୍ତୁ ଯୋଜନାକୁ ସମ୍ପୂର୍ଣ୍ଣ ଲୋକାଭିମୁଖୀ କରିବା ପାଇଁ ଯୋଜନାର ହିତାଧିକାରୀ ଓ ନିଜ ଗୋଡରେ ନିଜେ ଛିଡା ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ସ୍ୱାର୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ । ନଚେତ ସରକାରୀ ରାଜସ୍ୱରୁ ଉତ୍ପନ୍ନ ଯୋଜନା ଦ୍ୱାରା ହିତାଧିକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ସମ୍ବାବନା ରହିଥିବା ବେଳେ ନିଜସ୍ୱ ପୁଞ୍ଜିରୁ ବ୍ୟବସାୟ କରି ରାଜ୍ୟ ରାଜସ୍ୱକୁ ବୃଦ୍ଧି କରିବାରେ ସହାୟତା ପ୍ରଦାନ କରୁଥିବା ବ୍ୟବସାୟ ଗୁଡିକର ସୂର୍ଯ୍ୟାସ୍ତ ହେବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇପାରେ ଯାହାକି ରାଜ୍ୟର ସାମଗ୍ରିକ ବିକାଶରେ ଅନ୍ତରାୟ ସୃଷ୍ଟି କରିବା ସମ୍ବାବନା ରହିଛି । ଘରେ ଘରେ ଲକ୍ଷ୍ମୀ ଯୋଜନା ଯୋଗୁଁ ହିତାଧିକାରୀଙ୍କୁ ଅନେକ ଲାଭ ମିଳୁଥିବା ବେଳେ ଯାତ୍ରୀ ପରିବହନ କ୍ଷେତ୍ରର ସମ୍ପୃକ୍ତ ବ୍ୟବସାୟୀଙ୍କୁ ଘର ପରିତ୍ୟାଗ କରିବାକୁ ପଡିପାରେ । ସରକାର ଏଦିଗରେ ଯôନବାନ ହେବା ଆବଶ୍ୟକତା ରହିଛି ।

ବଲାଙ୍ଗିର
୯୪୩୭୩୬୭୯୯୯

jay balangir
Leave A Reply

Your email address will not be published.

2 + thirteen =