ପୌର ଭୋଟ ପାଇଁ ପୁଲିଙ୍ଗ ଟିମ ବୁଥରେ ପହଞ୍ଚିଲେ : ଆଜି ଭୋଟ ଗ୍ରହଣ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗୁରୁବାର ପୌର ନିର୍ବାଚନ ହେବ, ଏ ନେଇ ସକାଳ ୮ଘଣ୍ଟାରୁ ସଂଧ୍ୟା ୫ ଘଣ୍ଟା ଯାଏ ଭୋଟଗ୍ରହଣ ହେବ । ନିର୍ବାଚନ ପାଇଁ ପୁଲିଙ୍ଗ ପାର୍ଟି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଥ ଗୁଡିକରେ ପହଞ୍ଚି ଗଲେଣି । କନ୍ଧମାଳ ଜିଲାର ଫୁଲବାଣୀ ମ୍ୟୁନିସିପାଲିଟି ସମେତ ଜି.ଉଦୟଗିରି ଓ ବାଲିଗୁଡ଼ା ଏନ୍‌ଏସିରେ ଭୋଟ ହେବ । ଏସବୁ ପୌର ନିର୍ବାଚନ ପାଇଁ ମୋଟ ୫୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ଫୁଲବାଣୀ ମ୍ୟୁନିସିପାଲିଟି ପାଇଁ ୨୭ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବା ବେଳେ ଜି.ଉଦୟଗିରି ଏନ୍‌ଏସି ପାଇଁ ୧୩ଟି ଭୋଟ ଗ୍ରହଣ କେନ୍ଦ୍ର ଓ ବାଲିଗୁଡ଼ା ଏନ୍‌ଏସି ପାଇଁ ୧୭ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି । ସେହିପରି ଫୁଲବାଣୀରେ ୩ଟି ପିଙ୍କ ବୁଥ କରାଯାଇଥିବା ବେଳେ ବାଲିଗୁଡ଼ା ଓ ଜି.ଉଦୟଗିରିରେ ଗୋଟିଏ ଲେଖାଁଏ ପିଙ୍କ ବୁଥ କରାଯାଇଛି । ଭୋଟ ଗ୍ରହଣ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ରଖିଛି । ଏଥର ଭୋଟର ଇଭିଏମ୍‌ ମେସିନରେ ଭୋଟ ଦେବେ । ଫୁଲବାଣୀ ମୁନିସିପାଲଟି ନିର୍ବାଚନ ଅଧିକାରୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ସୂଚାରୁ ରୂପେ ପରିଚାଳନା କରୁଛନ୍ତି । ସେହିପରି ଜି.ଉଦୟଗିରି ଏନ୍‌ଏସି ଦାୟିତ୍ଵରେ ଥିବା ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଓ ବାଲିଗୁଡ଼ା ଏନ୍‌ଏସି ଦାୟୀତ୍ଵରେ ଥିବା ତହସିଲଦାର ଶଶାଙ୍କ ଶେଖର ପାତ୍ର ନିର୍ବାଚନ ଅଧିକାରୀ ରହି ଜିଲ୍ଲାର ସମସ୍ତ ବୁଥ ପରିଦର୍ଶନ କରି ତଦାରଖ କରିଛନ୍ତି । ଗୁରୁବାର ଫୁଲବାଣୀର ୨୫ହଜାର ୫୨୦ ଜଣ ଭୋଟର ୨୭ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଦୁଇଟି ଭୋଟ ଦେବେ । ଗୋଟିଏ ଅଧ୍ୟକ୍ଷ ଓ ଗୋଟିଏ କାଉନସିଲର ପାଇଁ ଭୋଟ ଦେବେ । ସେହିପରି ବାଲିଗୁଡା ଏନ୍‌ଏସିରେ ୧୪ ହଜାର ୭୦୪ ଜଣ ଭୋଟର ୧୭ଟି ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ । ସେହିପରି ଜି. ଭଦୟଗିରି ଏନ୍‌ଏସିରେ ୧୩ଟି ମତଦାନ କେନ୍ଦ୍ରର ୮ ହଜାର ୧୮୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆସନ୍ତା ୨୬ରେ ଭୋଟ ଗଣତି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.