mahavir

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୦୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ୧୩ ତାରିଖ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ମେରୁ ଯାତ୍ରା ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ କିଲୁପଡା ଭଳି ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ କାଳୀ ମନ୍ଦିରରେ ହଜାର ହଜାର ମାନସିକଧାରୀଙ୍କ ଉପସ୍ଥିତିରେ ଏହି ମେରୁଯାତ୍ରା ଅନୁଷ୍ଠିତ ହୋଇଥିଲା । ଧୂଳିଦଣ୍ଡ ସମାପ୍ତ ପରେ ଜଳ ଘାଟରେ କାଳୀଙ୍କ ପୂଜା ହୋଇଥିଲା । ସମସ୍ତ ଶୈବପୀଠରେ ଥିବା କାଳୀ ମନ୍ଦିର ସ୍ଥାନ ତ୍ୱରଣରେ ସଜେଇ ହୋଇ ସମଗ୍ର ଅଞ୍ଚଳ ଗୁଡ଼ିକ ଆଧ୍ୟାତ୍ମିକ ପରିବେଶରେ ଉତ୍ସବ ମୁଖର ହୋଇଉଠିଛି । ଆମ୍ବ ପେନ୍ଥା କଦଳୀ କାନ୍ଦି, ଫୁଲମାଳରେ ଝାମୁ ମେରୁ ଖୁଣ୍ଟ ସଜେଇ ହୋଇ ଦୀପ, ଧୂପ, ଚନ୍ଦନ, ସିନ୍ଦୂରରେ ଝଲସୁଥିଲା । ଦଣ୍ଡଭକ୍ତ ଓ ହବିସ୍ୟାଳି ଭକ୍ତି ଓ ମାନସିକମାନେ ଭାବପୂର୍ଣ୍ଣ ଭକ୍ତିରେ ଏହି ବ୍ରତକୁ ପାଳନ କରିଥିଲେ । ସମସ୍ତ ପୀଠରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଭୁକ୍ତା ଓ ଗୁହାରିଆ ମାନଙ୍କର ମାନସିକ ପୂରଣ ହୋଇଥିବାରୁ ସେମାନେ ମା’ଙ୍କୁ ଦାନ ଦେଇଥିଲେ । ମାନସିକଧାରୀମାନେ ନିଜର ମାନସିକ ପୂରଣ କରିବା ପାଇଁ ଜଳ ଲାଗି କରିବା ପରେ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । ଏହା ପରେ ମେରୁ ଯଜ୍ଞ ସ୍ଥଳରେ ଦଣ୍ଡଯାତ୍ରାର ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲେଇ ଦେଇ ଯଥାରୀତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ମନ୍ଦିର କମିଟି ଆନୁକୂଲ୍ୟରେ ଭୋଗ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସରରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.