jayashree

ଶିଶୁକନ୍ୟା ବିକ୍ରି ଚର୍ଚ୍ଚା ହୋଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ସସ୍ପେଣ୍ଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ଜଣେ ମହିଳା ନିଜେ ଜନ୍ମକଲା ଶିଶୁକନ୍ୟାକୁ ଅନ୍ୟ ହାତରେ ଦେଇ ଦେଇଥିବା ଘଟଣାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ଭୋଇଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିଲମ୍ବିତ କରାଯାଇଛି । ଦାୟିତ୍ୱରେ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ଦରକାର ପଡ଼ିଲେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କୁବେର ମହନ୍ତ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଶିଶୁକନ୍ୟାର ଜନ୍ମ ଚଳିତ ମାସ ୨ ତାରିଖରେ ହୋଇଥିବା ବେଳେ ୩ ତାରିଖ ଦିନ ଶିଶୁର ମାଁ ଅଜଣା ଲୋକଙ୍କୁ ଟେକି ଦେଇଥିବା ଘଟଣାର ଖବର ମହିଳା ସ୍ୱାସ୍ଥ୍ୟ କର୍ମୀ ଜାଣିଶୁଣି ମଧ୍ୟ ଉପର ଅଧିକାରୀଙ୍କୁ ଖବର ନକରିବା ଏବଂ ନିରବ ରହିବା ଦାୟିତ୍ୱରେ ଅବହେଳା କରିଥିଲେ ବୋଲି ଜଣାପଡିଛି । ଉପରିସ୍ଥ ଅଧିକାରୀ ଘଟଣା ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଗତ ୧୩ ତାରିଖରେ ବଲାଙ୍ଗିର ଶିଶୁସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ବେଳେ ଶିଶୁକନ୍ୟାର ମାଁଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ ଲାଠୋର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଘଟଣା ବିଷୟରେ ଜାଣିବା ପରେ ମଙ୍ଗଳବାର ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ପହଞ୍ଚି ଥିଲେ । ଘଟଣାସ୍ଥଳରେ ଶିଶୁର ମାଁ ସହ ଆଲୋଚନା କରି ପ୍ରସବ କରାଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଶିଶୁଙ୍କୁ ଲାଠୋରର ଜଣେ ମଧ୍ୟସ୍ଥି ମାଧ୍ୟମରେ କଳାହାଣ୍ଡି ଜିଲ୍ଲା ସ୍ଥିତ ରାମପୁରର ନିଃସନ୍ତାନ ଦମ୍ପତିଙ୍କୁ ଦେଇଥିବା ଜାଣିବା ପରେ ପ୍ରଶାସନକୁ ଉପଯୁକ୍ତ ଦତନ୍ତକରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ପଦକ୍ଷେପ ହିସାବରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଆଜି ନିଲମ୍ବିତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

Leave A Reply

Your email address will not be published.