jayashree

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଆସନ୍ତା ଜୁନ୍‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ । ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ଆଜିଠାରୁ ବଡ଼ଦାଣ୍ଡରେ ବାରିକେଡିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି । ସେହି ଅନୁଯାୟୀ ମରିଚିକୋଟ ଛକରୁ ଛାୟାପ୍ରଦ ସେଡ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି । ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବାକୁ ଚାହୁଁଥିବା ଭକ୍ତଙ୍କୁ ବାରିକେଡ୍‌ ଭିତରେ ଛାଡ଼ିବାର ବ୍ୟବସ୍ଥା କରାଯାଉଛି । ଏକାଧିକ ଧାଡ଼ିରେ ଭକ୍ତଙ୍କୁ ଛାଡ଼ିବାର ଯୋଜନା ରହିଛି । ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମାକୁ ଆଖି ଆଗରେ ରଖି ସୁରକ୍ଷା ଓ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ଭିଡ଼କୁ ନଜରରେ ରଖି ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ୭୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହେବେ । ଏହି ପୁଲିସ ଫୋର୍ସଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟନ୍ତ୍ରଣ କରିବେ । ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥା ଉପରେ ବାରମ୍ବାର ସମୀକ୍ଷା ଜାରି ରହିଛି । ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଲ ସିଂହ ଓ ଅନ୍ୟମାନେ ଶ୍ରୀମନ୍ଦିର ଗସ୍ତ କରି ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ନିକଟରେ କେନ୍ଦ୍ରାଞ୍ଚଳ ଆଇଜି ମଧ୍ୟ ଆସି ଦେବସ୍ନାନ ପୂର୍ଣ୍ଣିମାର ପ୍ରସ୍ତୁତି ସମୀକ୍ଷା କରି ଫେରିଛନ୍ତି ।

Leave A Reply

Your email address will not be published.