ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖାନା ଠାରେ ନରସିଂହ ସେନା ଦ୍ୱାରା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ପୁଷ୍ପୁନି ଉଦ୍ଦେଶ୍ୟରେ ଭେଟଘାଟ କାର୍ଯ୍ୟକ୍ରମ ବ୍ୟାପକ ଜାକଜମକରେ ଗୁରୁବାର ପାଳିତ ହୋଇଯାଇଛି । ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଗାଁର ସୁପୁତ୍ର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇଥିଲେ । ବିଧାୟକଙ୍କୁ ମହା ଆଡମ୍ବରରେ ଦୁଲଦୁଲି ବଜା ବଜାଇ ସଂର୍କିତନ କରି ସ୍ୱାଗତ ଜଣାଇ ମଞ୍ଚକୁ ପାଛୋଟି ନେଇଥିଲେ ଲୋକେ । ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟ ରଖି ଛତାମଖନାରେ ନିଜ କାଟିଥିବା ପିଲାଦିନ କଥା ମନେ ପକାଇ ଭାବବିହ୍ୱଳ ହୋଇ ପଡିଥିଲେ । ନରସିଂହ ସେନା କରୁଥିବା ଜନମଙ୍ଗଳ କାର୍ଯ୍ୟକୁ ଭୁୟସି ପ୍ରଶଂସା କରି ଗରିବଙ୍କ ସେବାରେ ନିଜକୁ ବ୍ରତି କରିବାକୁ ନରସିଂହ ସେନାକୁ ଉପଦେଶ ଦେଲେ ବିଧାୟକ ଶ୍ରୀ ମିଶ୍ର । ସଦରବ୍ଲକ କିରାବାହାଲ, ରାଣୀପାଲି ଠାରେ ସୁକତେଲ ନଦୀ ପଠାରେ ୧୫୪ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ହେଲେ ସଦର ବ୍ଲକ ଓ ପୁଇଁନ୍ତଲା ବ୍ଲକର କିଛି ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି ମତ ଦେଲେ । ସମ୍ମାନୀତ ଅତିଥି ଭୂମିକା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚିତ୍ତରଂଜନ ଦାଶ ଗାଁମାନଙ୍କରେ ନାଟ୍ୟ ପରମ୍ପରା ତଥା ପର୍ବପର୍ବାଣୀକୁ ନୂଆଁକରି ଜିବନ୍ୟାସ ଦେବା ଉପରେ ଗୁରୁତ୍ୱ ଦେଲେ । ପରେ ଘୁଙ୍ଗୁରୁ କଳା ପରିଷଦ, କଅଁଗାଁ ଦୁଲଦୁଲି ଓ ଅଂଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁରୀ ଗୀତ ତାଳେ ତାଳେ ଲୋକେ ଝୁମି ଉଠିଥିଲେ । ନରସିଂହ ସେନା ସଭାପତି ଶୁଭ୍ରାଂଶୁ ଶେଖର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସରୋଜ ବିଶ୍ୱାଲ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ନରେନ୍ଦ୍ର ମିଶ୍ର, ସଂପାଦକ ରାଜ କିଶୋର ମିଶ୍ର, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର, କେଶବ କରଣ, ଯୁବଲାଲ୍ ବାଗ, ପୂର୍ବତନ ସରପଞ୍ଚ ସରୋଜ ମେଶ୍ୱା, ସରପଞ୍ଚ ଜନ୍ମ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମୁରଲୀ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା ।
Prev Post