ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ବରିଷ୍ଠ ସମାଜସେବୀ ଓ ବରିଷ୍ଠ କଂଗ୍ରେସ ନେତା ବିନୋଦ ବିହାରୀ ଯାଦବଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି । ତଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି । ସେ ସିନାପାଲି ବ୍ଲକ କଂଗ୍ରେସ କମିଟିର ଅନେକ ଥର ସଭାପତି ରହିବା ସହିତ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରହିଥିଲେ । ନୂଆପଡ଼ା ଜିଲ୍ଲା ଯାଦବ ସମାଜର ମୁଖ୍ୟ ପୁରୋଧା ରହି ସମାଜ ପାଇଁ ଅନେକ କାମ କରିଛନ୍ତି । ସିନାପାଲି ବ୍ଲକର ଅନେକ ସଂଗଠନ ସହିତ ଜଡିତ ରହିଥିଲେ । ତାଙ୍କ ସମୟରେ ଅଞ୍ଚଳରେ ଜଳସେଚନ ସୁବିଧା ପାଇଁ ଜଳସେଚନ ସଂଗ୍ରାମ ସମିତି ଗଠନ କରି ଅନେକ ଥର ଆନ୍ଦୋଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଖଇରପଦର ଠାରେ ବିନୋଦ ବିହାରୀ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରି ଅଞ୍ଚଳରେ ଶିକ୍ଷାର ଆଲୋକ ଦେଖାଇଥିଲେ । ଅଞ୍ଚଳର ଅନେକ ବିକାଶ କାର୍ଯ୍ୟ କରି ସେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରେ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସମୟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ହେଲେ ଗତକାଲି ଅପରାହ୍ନ ୧ଟା ୧୫ ମିନିଟ ସମୟରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ସମୟରେ ବଡ଼ ପୁଅ ତଥା ବରିଷ୍ଠ ଶିକ୍ଷବିତ ପ୍ରେମସିନ୍ଧୁ ହେର୍ଣ୍ଣ ସହିତ ବୋହୂ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ଗାଁ ମଶାଣୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ବଡ଼ ପୁଅ ପ୍ରେମସିନ୍ଧୁ ହେର୍ଣ୍ଣ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ, ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ତଥା ଯାଦବ ସମାଜର ସଭାପତି ଲିଙ୍ଗରାଜ ଘିଭେଲା, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟ ରଞ୍ଜନ ମେହେର, ଗିରିରାଜ ମାଝି, ବରିଷ୍ଠ ଶିକ୍ଷାବିତ୍ ଚନ୍ଦ୍ରଶେଖର ନାଏକ, ସିନାପାଲି ବ୍ଲକ କଂଗ୍ରେସ କମିଟି ସଭାପତି ଜୟପାଳ ନାଗ, ମେଘନାଦ ଖର୍ସେଲ, ପ୍ରସନ୍ନ ମାଝି ସମେତ ଅନେକ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।
Prev Post