ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗୁରୁବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ ଠାରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିବା ଗୁରୁ ଦିବସ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପାଢୀ ଯୋଗଦେଇ ଗୁରୁ ଦିବସ ଓ ଗୁରୁଙ୍କ ମହତ୍ତ୍ୱ ପ୍ରସଙ୍ଗରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏବଂ ମଞ୍ଚାସୀନ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଡମ୍ବରୁଧର କର୍ମୀ ପ୍ରକୃତ ଗୁରୁ ଓ ଉପଯୁକ୍ତ ସମାଜ ଗଠନରେ ଗୁରୁମାନଙ୍କର ଭୂମିକା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବାଳ ଭାରତୀ ଓ କନ୍ୟା ଭାରତୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଯୋଜିତ ଏହି ସଭା କାର୍ଯ୍ୟରେ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ଅହଲ୍ୟା ନାଗ ଓ ସହ ପ୍ରଧାନ ଆଚାର୍ଯ୍ୟ ନୃପରାଜ ସେଠ ମଞ୍ଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ମୋତି ପୁଟେଲ ଏବଂ ଛାତ୍ରଛାତ୍ରୀ ମାନେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ତଥା ଭାରତର ମହାନ ଗୁରୁ ଶିଷ୍ୟ ପରମ୍ପରା ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାଢ଼ୀଙ୍କ ପୂଜନ କରିବା ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପୂଜନ କରିଥିଲେ ଏବଂ ଗୁରୁ ବନ୍ଦନା ଗାନ କରି ପରିବେଶକୁ ଆଧ୍ୟାତ୍ମମୟ କରିଦେଇଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ‘ବନ୍ଧନ ବ୍ୟାଙ୍କ’ର ବି.ଏଚ୍. ରମାକାନ୍ତ ପ୍ରଧାନ ଓ ଏ. ବି. ଏଚ୍ ଶକ୍ତି ପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ସହଯୋଗରେ ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କୁ ପୂଜନ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଉପଯୁକ୍ତ ଶୈକ୍ଷିକ, ଦେଶାତ୍ମବୋଧକ ଓ ସଂସ୍କାରକ୍ଷମ ବାତାବରଣ ପ୍ରତିଷ୍ଠା କରିବାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ, ଆଚାର୍ଯ୍ୟାଙ୍କ ଭୂମିକାକୁ ପ୍ରଶଂସା କରି ବ୍ୟାଙ୍କ ଦ୍ୱାରା ଏକ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ । ସେହିପରି ପୂର୍ବ ଧାର୍ଯ୍ୟ ଯୋଜନା ଅନୁଯାୟୀ ଏହି ଗୁରୁ ଦିବସ ପରିପ୍ରେକ୍ଷୀରେ ବିଦ୍ୟାଳୟର ଗାଇଡ୍‌ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ସେବାବ୍ରତୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇ ପାରିଥିଲା ।

Leave A Reply

Your email address will not be published.