ଟିଟିଲାଗଡ ପୌରପରିଷଦ ପକ୍ଷରୁ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଅଗଷ୍ଟ ମାସର ୩୧ ତାରିଖକୁ ସ୍ୱାୟତ୍ତ ଶାସନ ଦିବସ ରୂପେ ପାଳନ କରାଯାଇଥାଏ । ଶନିବାର ଦିନ ସଂଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ପୌର ଅଧ୍ୟକ୍ଷା ଶ୍ରୀମତି ମମତା ଦେବି ଜୈନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ନବୀନ ଜୈନ, ବିଶିଷ୍ଟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜି ଇସଲୱାର, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ରିହାନ ଖତ୍ରି, ମୁଖ୍ୟ ବକ୍ତା ଭାବେ କଣ୍ଟାବାଞ୍ଜି କେ.ଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମା ଯୋଗ ଦେଇଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ଓ ୧୧ ଜଣ କାଉନସିଲର ମଧ୍ୟ ମଞ୍ଚରେ ବିରାଜମାନ ହୋଇଥିଲେ । ପ୍ରଥମେ ମା’ ଘଣ୍ଟାଶୁଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଦ୍ଵିପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଉମେଶ ଚନ୍ଦ୍ର ଦାସ । ମଞ୍ଚାସୀନ ଥିବା ସମସ୍ତ ଅତିଥି ମାନଙ୍କୁ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବି ଜୈନ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଇସଲୱାର ନିଜର ସହରକୁ କିପରି ସଫା ସୁତୁରା ରଖି ସବୁଜ ସୁନ୍ଦର କରି ହେବ ସେ ଦିଗରେ ଉପସ୍ଥିତ ଲୋକଙ୍କୁ କହିଥିଲେ । ସହରର ବିକାଶ ପାଇଁ ଯାହା ସମ୍ଭବ ବିଧାୟକଙ୍କ ସହଯୋଗ ବଳରେ ଆଗକୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ପୌର ପରିଷଦର ଅଧ୍ୟକ୍ଷା ମମତା ଦେବି ଜୈନ କହିଥିବା ବେଳେ ବିଧାୟକ ନବୀନ ଜୈନ ଟିଟିଲାଗଡ଼ର ବିକାଶ ମୋର ମୂଳ ଲକ୍ଷ୍ୟ ବୋଲି କହିବା ସହ ଆଗାମୀ ଦିନରେ ବହୁତ କିଛି ନୂତନ କାର୍ଯ୍ୟ କରାଯିବ ବୋଲି କହିଥିଲେ । ମୁଖ୍ୟ ବକ୍ତା ଡ. ଶର୍ମା ନିଜର ଅଞ୍ଚଳର ବିକାଶ ନିଜ ହାତରେ, ଯେମିତି ନିଜ ଘରକୁ ନିଜେ ସଫା ରଖୁଛୁ ସେହିପରି ସହରକୁ ନିଜର ବୋଲି ଭାବିଲେ ସହର ମଧ୍ୟ ସୁନ୍ଦର ହୋଇଯିବ ବୋଲି କହିଥିଲେ । ସଭା କାର୍ଯ୍ୟ ସରିବା ପରେ ସେବା କାର୍ଯ୍ୟ ତଥା ସହରର ବିକାସ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଲାୟଂସ କ୍ଳବ୍, ଟିଟିଲାଗଡ଼ ବ୍ରାହ୍ମଣ ସମାଜ, ବରିଷ୍ଠ ନାଗରିକ ସଂଘ, ମାରୱାଡି ମହିଳା ମଣ୍ଡଳର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରକ୍ତଦାନ କ୍ଷେତ୍ରରେ ଲାୟନସ କ୍ଲବର୍ ଆନନ୍ଦ ଜୈନ ଓଏମ୍‌ଡି ସାହିଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୌରପରିଷଦର ପୂର୍ବତନ ନଗରପାଳ ସନ୍ତୋଷ ପ୍ରଧାନ, ଭବାନୀ ପ୍ରସାଦ ହୋତା, ଶୁଭ୍ରାଂଶୁ ଦାସ, ଯମୁନା ପାଢ଼ୀ, ଗୋବର୍ଦ୍ଧନ ନାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟ ଆକର୍ଷଣ ଥିଲା ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ କଳାକାର ମାନଙ୍କୁ ପୁରସ୍କୃତ କରିବା ପରେ କଳାକାର ମାନଙ୍କ ଡାକରାରେ ମଞ୍ଚ ଉପରେ ସେମାନଙ୍କ ସହ ନୃତ୍ୟ ପରିବେଷଣ କରିବା ।

Leave A Reply

Your email address will not be published.