ରାଉରକେଲା, (ସସ୍ମିତା ପ୍ରଧାନ) : ଆସେକାର ରାଉରକେଲା ଶାଖା, ନହା ତିର୍ଲା ଗାଓଁତା ଓ ଆସେକା ଜୁୱାନ ଗାଓଁତା ଦ୍ୱାରା ମିଳିତ ଭାବେ ଚଳିତ ନଭେମ୍ବର ୨୩ ଓ ୨୪ ତାରିଖରେ ଦୁଇ ଦିନ ବ୍ୟାପି ମହାଆଡ଼ମ୍ବର ସହ ଅଲଚିକି ସୃଜନର ଶତ ବାର୍ଷିକୀ ରାଉରକେଲାର ସିଭିକ ସେଣ୍ଟର୍ ଠାରେ ପାଳିତ ହେବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ୨୩ ତାରିଖ ଦିନ ୧୦ଟା ସମୟରେ ପାରମ୍ପରିକ ନୃତ୍ୟବାଦ୍ୟ ସହ ସେକ୍ଟର ୬ ଟେଲିଫୋନ ଭବନ ଠାରୁ ସିଭିକ ସେଣ୍ଟର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯିବା ପରେ ଅଲଚିକି ସୃଜନର ଶତାବର୍ଷିକୀ ସମ୍ମିଳନୀ ଉତ୍ସବକୁ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇଆର୍ଏସ୍ ଉଦୟନାଥ ମାଝୀ ଉଦଘାଟନ କରିବେ । ଉତ୍ସବରେ ଅଲଚିକିର ପ୍ରଚାର, ପ୍ରସାର ଓ ସମସ୍ୟା ଭିତ୍ତିକ ବିଭିନ୍ନ ବିଷୟ ଉପରେ ଆଗନ୍ତୁକ ବକ୍ତାମାନେ ତାଙ୍କର ବକ୍ତବ୍ୟ ରଖିବେ । ୧୯୦୫ ମସିହା ବୈଶାଖ ପୂର୍ଣ୍ଣିମାରେ ଓଡିଶା ରାଜ୍ୟର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିକଟସ୍ଥ ଡାଁଡ଼ବୋଷ (ଡାହାରଡିହ) ଗ୍ରାମରେ ଜନ୍ମିତ ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ମସିହାରେ ସାନ୍ତାଳୀ ଭାଷା ଲିପି “ଅଲଚିକି”କୁ ସୃଜନ କରି ଲୋକଲୋଚନକୁ ଆଣିଥିଲେ । ଅଲଚିକି ମାଧ୍ୟମରେ ଶିକ୍ଷାର କ୍ରମାଗତ ପ୍ରଚାର ଓ ପ୍ରସାର ଯୋଗୁଁ ଲୋକମାନେ ଅଲଚିକିରେ ପଠନ ଓ ଲିଖନ କଲେ । ଅଲଚିକିର ବହୁଳ ବ୍ୟବହାର ଓ ଆଦୃତ ହେବାରୁ ଏବଂ ଆବଶ୍ୟକତା ହେତୁ କେନ୍ଦ୍ର ସରକାର ୨୦୦୩ ମସିହା ଡିସେମ୍ବର ୨୨ ତାରିଖ ଦିନ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ତଫାସିଲରେ ସାମିଲ କରିଥିଲେ । ଏହି ଅଲଚିକି ଲିପି ଓଡିଶା ରାଜ୍ୟର ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ଼ ବ୍ୟତୀତ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମ ନେପାଳ ଓ ବାଂଲାଦେଶରେ ମଧ୍ୟ ବ୍ୟବହୃତ ହେଉଛି । ଅଲଚିକିର ପ୍ରଚାର, ପ୍ରସାର ଓ ସାନ୍ତାଳୀ ସାହିତ୍ୟରେ ବିଶେଷ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ । ଦୁଇଦିନ ବ୍ୟାପି ହେବାକୁ ଥିବା ସମ୍ମିଳନୀରେ ଅଲଚିକି ମାଧ୍ୟମରେ ଶିକ୍ଷାର ପ୍ରଚାର, ପ୍ରସାର, ପ୍ରଗତି ଓ ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରାଯିବ । ଏହି ସମ୍ମିଳନୀକୁ ଓଡିଶା ସହ ଅନ୍ୟ ରାଜ୍ୟର ସହସ୍ରାଧିକ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗ ଦେବେ ବୋଲି ଆସେକା ସଭ୍ୟ ରମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ।