ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସହ ନରସିଂହଙ୍କ ସାକ୍ଷାତକାର : ବଲାଙ୍ଗିର ରେଳ ସମସ୍ୟାକୁ ନେଇ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ରେଳ ଷ୍ଟେସନର ଅତିଥି ଶାଳାରେ ଉଭୟେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ବିଶେଷ କରି ବଲାଙ୍ଗିରର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ରେଳଯାତ୍ରା ଜନିତ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଷୀଙ୍କୁ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ଦିନର ଦାବୀ କଣ୍ଟାବାଞ୍ଜି ଠାରେ ଏକ ରେଳ ୱାଗନ କାରାଖାନା ପାଇଁ ପୁନଃ ଦାବୀ ପ୍ରସ୍ତୁତ କରିଥିଲେ । ଯହେତୁ ବଲାଙ୍ଗିର ଏକ ଦାଦନ ପ୍ରବଣ ଜିଲ୍ଲା । ଏହି ସମସ୍ୟା ଦୂର କରିବାକୁ କଣ୍ଟାବାଞ୍ଜି ଠାରେ ଉପଲବ୍ଧ ଥିବା ୭୦୦ ଏକର ଜମିରେ ରେଳ ସମ୍ବନ୍ଧୀୟ କୌଣସି ଏକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇ ପାରିଲେ ଦାଦନ ସମସ୍ୟାର ଏକ ସ୍ଥାୟୀ ସମାଧାନର ବାଟ ଫିଟିବ ବୋଲି ଶ୍ରୀ ମିଶ୍ର କହିଥିଲେ । ମହାପ୍ରବନ୍ଧକ ଏହାକୁ ନେଇ ସକାରାତ୍ମକ ଭାବରେ ଚିନ୍ତା କରିବେ ବୋଲି କହିଥିଲେ । ଅନ୍ୟ ଦାବୀମାନଙ୍କ ମଧ୍ୟରେ ବଲାଙ୍ଗିର ରେଳ ଷ୍ଟେସନରେ ଏକ ଉଚ୍ଚ ମାନର ପ୍ରତୀକ୍ଷାଳୟ, ଦେଓଗାଁ ରେଳ ଷ୍ଟେସନର ଉନ୍ନତିକରଣ ସହିତ ଜାତୀୟ ରାଜପଥରୁ ଷ୍ଟେସନ ପର୍ୟ୍ୟନ୍ତ ପଥର ଉନ୍ନତିକରଣ, ଟିଟିଲାଗଡରୁ ବଲାଙ୍ଗିର ଦେଇ ଦିଲ୍ଲୀ ପର୍ୟ୍ୟନ୍ତ ଏକ ସୁପର୍‌ ଫାଷ୍ଟ ଏକ୍ସପ୍ରେସ ଗଡିବା, ରେଲୱେ କଲୋନୀ ସ୍ଥିତ ଖେଳପଡିଆର ଉନ୍ନତିକରଣ ସହ ଏଠାରେ ବେଡମିଣ୍ଟନ ଓ ଟେବୁଲ ଟେନିସ ଇନ୍‌ଡୋର ସ୍ଥାପନ କରିବା, ଦୃତଗାମୀ ରେଳ ଯଥା ଦୁର୍ଗ-ପୁରୀ ଓ ସିରିଡି-ସାଇନାଥ ରେଳରେ ବଲାଙ୍ଗିର କୋଟା ଭାବରେ ସିଟ ସଂରକ୍ଷଣ ରଖିବାକୁ ନେଇ ଆଲୋଚନା ହୋଇଥିଲା । ତା’ଛଡା ସମ୍ବଲପୁରରୁ ପୁରୀ ଯାଉଥିବା ଏକ୍ସପ୍ରେସ ରେଳକୁ ବଲାଙ୍ଗିର ପର୍ୟ୍ୟନ୍ତ ସଂପ୍ରସାରଣ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଦାବୀ ଜଣାଇଥିଲେ । ଏହି ଦାବୀର ଯର୍ଥାଥତା ରହିଥିବା ସହ ଏହା ବଲାଙ୍ଗିରବାସୀଙ୍କ ବହୁ ଦିନର ଦାବୀ ରହିଛି । ଆଜି ନହେଲେ ଆସନ୍ତା ଦିନରେ ଜନତାଙ୍କ ଏହି ଦାବୀ ପୂରଣ କରିବାକୁ ହେବ । ତେଣୁ ଏହି ଦାବୀଗୁଡିକ ଉପରେ ଆଜିଠାରୁ ହିଁ କାମ ଆରମ୍ଭ କରିବା ଆବଶ୍ୟକ ବୋଲି ମହାପ୍ରବନ୍ଧକ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ । ତା’ସହ ଆବଶ୍ୟକ ରେଳ ଡବା ରକ୍ଷାଣା ବେକ୍ଷଣ ପାଇଁ ଏଠି ଶୀଘ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ କଦମପଡା ସ୍ଥିତ ରେଳ ଭୂତଳ ପଥ ନିମ୍ନମାନର ହୋଇଥିବାରୁ, ସେଠାରେ ସବୁବେଳେ ପାଣି ଜମି ରହୁଛି । ଏଠାରେ ଥିବା ତୃଟିର ସମାଧାନ ଯଥା ଶୀଘ୍ର କରାନଗଲେ ସ୍ଥାନୀୟ ଲୋକେ କୌଣସି ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ପାରନ୍ତି ବୋଲି ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ଚେତାଇ ଦେଇଥିଲେ । ତେବେ ମହାପ୍ରବନ୍ଧକ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.