ls

ଜାତୀୟ ରାଜପଥ ପ୍ରକଳ୍ପ ଜମି ଅଧିଗ୍ରହଣ ନିମନ୍ତେ ରାଜସ୍ୱ ବିଭାଗର ସମୀକ୍ଷା ବୈଠକ ଓ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

sb
  • କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ, ସମ୍ବଲପୁର ରିଙ୍ଗ ରୋଡ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହୋଇଛି
  • କୋଷ୍ଟାଲ ହାଇ ୱେ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
  • ଜାତୀୟ ରାଜପଥ ୧୩୦-ସିଡିରେ ୮୦୦ ଏକର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ଓ ଜାତୀୟ ରାଜପଥ ୪୨ ଓ ୫୫ରେ ୭୮୪ ଏକର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ
  • ଅବହେଳା କରୁଥିବା ଜମି ଅଧିଗ୍ରହଣ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ହେଲା ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମନ୍ତେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ବିଗତ ସମୀକ୍ଷା ବୈଠକ ପରଠାରୁ ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସଂଗେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜାତୀୟ ରାଜପଥ ୪୨ ଓ ୫୫ରେ କଟକ ଅନୁଗୁଳ ମଧ୍ୟରେ ୧୦୭ ଗ୍ରାମରେ ୭୮୪ ଏକର ଜମି ଅଧିଗ୍ରହଣ କରାଯାଇ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ହସ୍ତାନ୍ତର କରାଯାଇଛି । ଜାତୀୟ ରାଜପଥ ୧୩୦- ସିଡିରେ କୋରାପୁଟ ଜିଲ୍ଲାରେ ୫୧୬ ଏକର ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି ଓ ଜମି ମାଲିକଙ୍କୁ ଶତକଡା ୯୩ ଭାଗ କ୍ଷତିପୂରଣ ପ୍ରାପ୍ୟ ବଣ୍ଟନ ସରିଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ଜାତୀୟ ରାଜପଥ ୧୩୦- ସିଡି ନିମନ୍ତେ ୨୮୮ ଏକର ଜମି ଜାତୀୟ ରାଜପଥ ଅଧିକାରଙ୍କୁ ହସ୍ତାନ୍ତର କରାଯାଇଛି । କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ନିମନ୍ତେ ଜମି ଅଧିଗ୍ରହଣ ରାଜସ୍ୱ ବିଭିଗର ନିୟମିତ ସମୀକ୍ଷା ବୈଠକ ପରେ ଦୃତଗତିରେ ଆଗେଇ ଚାଲିଛି ଓ ଜାତୀୟ ରାଜପଥର ଅଧିକାରୀମାନେ ଏଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିପରି କୋଷ୍ଟାଲ ହାଇ ୱେ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଟକ କନ୍ଦରପୁର ପାରାଦୀପ ତଥା ଗୋପାଳପୁର ଛତ୍ରପୁର ଜାତୀୟ ରାଜପଥ ଦୁଇ ବନ୍ଦରକୁ ଯୋଡୁଥିବାରୁ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।

pc pk
Leave A Reply

Your email address will not be published.