jayashree

ବନ୍ଦେ ଉତ୍‌କଳ ଜନନୀକୁ ପାଠ୍ୟକ୍ରମରେ ସାମିଲ କରିବା ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଦୃଢ଼ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ଜିତିସାରିବା ପରେ ଉପକୂଳ ଓଡିଶାବାସୀଙ୍କୁ ଦୀପାବଳୀ ଭେଟି ଦେବାକୁ ଓଡିଶା ସରକାର ବନ୍ଦେ ଉତ୍‌କଳ ଜନନୀକୁ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କର ଏତାଦୃଶ ଏକପାଖିଆ ନିଷ୍ପତ୍ତି ଯୋଗୁଁ ୨କୋଟି କୋସଲବାସୀ ସଂପୂର୍ଣ୍ଣ ରୂପେ ବ୍ୟଥିତ ଓ କ୍ରୋଧାନ୍ୱିତ ହୋଇଥିବା କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । ପୂର୍ବରୁ ଏ ଅଂଚଳର ଜନସାଧାରଣଙ୍କ ବ୍ୟାପକ ପ୍ରତିବାଦ ସତ୍ୱେ ରାଜ୍ୟ ସରକାର ଅସାଂବିଧାନିକ ଭାବରେ ବନ୍ଦେ ଉତ୍‌କଳ ଜନନୀକୁ ରାଜ୍ୟ ସଂଗୀତର ମର୍ୟ୍ୟାଦା ଦେଇଦେଲେ । ଏବେ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରି ରାଜ୍ୟ ସରକାର ତାଙ୍କର ହିଟଲରୀ ମନୋବୃତ୍ତିକୁ ପ୍ରତିପାଦିତ କରୁଛନ୍ତି । ଓଡିଶା ସରକାରଙ୍କର ଏତାଦୃଶ ନିଷ୍ପତ୍ତି ବ୍ରିଟିଶ ଶାସନ ସମୟରେ ଭାରତୀୟମାନଙ୍କୁ ଜବରଦସ୍ତି ବ୍ରିଟେନର ମହାରାଣୀଙ୍କ ଜୟଗାନ କରିବାକୁ ବାଧ୍ୟ କଲା ପରି ଘଟଣା ହୋଇଥିବାରୁ କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟି ତରଫରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କୋସଲ, କଳିଙ୍ଗ ଓ ଉକ୍ରଳକୁ ନେଇ ରାଜନୈତିକ ଓଡିଶା ଗଠିତ ହୋଇଥିଲେ ହେଁ ସଦା ସର୍ବଦା ଓଡିଶାରେ ଉକ୍ରଳର ଜୟଗାନ କରିବା ସହ କୋସଲବସୀଙ୍କୁ ପଦାଘାତ କରାଯାଉଛି । ୧୯୩୬ ଓ ୧୯୪୮ ମସିହାରେ ଦୁଇଟି ପର୍ୟ୍ୟାୟରେ ଓଡିଶା ସହ ଏଅଂଚଳର ଜନସାଧାରଣଙ୍କୁ ସେମାନଙ୍କ ସହମତି ବିନା ମିଶ୍ରଣ କରାଯାଇ ଗତ ୭/୮ ଦଶକ ହେଲା କୋସଲ ଅଂଚଳବାସୀଙ୍କୁ ଉଗ୍ର ଆଂଚଳିକ ବୈଷମ୍ୟର ଶିକାର କରାଯାଉଛି । ଏ ଅଂଚଳର ଅର୍ଥନୀତି, ସଂସ୍କୃତି, ଭାଷା ଓ ଇତିହାସକୁ ଧ୍ୱଂସ କରିବାର ଅପଚେଷ୍ଟା କରାଯାଉଛି । ଯେକୌଣସି ରାଜନୈତିକ ଦଳ ହେଉ ଯଥା ବିଜେଡି, ବିଜେପି, କଂଗ୍ରେସ କିମ୍ବା ବାମପନ୍ଥୀ ସମସ୍ତେ କେବଳ ଉପକୂଳ ଓଡିଶାର ସ୍ୱାର୍ଥ ସାଧନ କରୁଛନ୍ତି । ଏ ଅଂଚଳର ଜନସାଧାରଣଙ୍କ ଏକତାର ଅଭାବ ଓ ନିର୍ବାଚିତ ରାଜନୈତିକ ପ୍ରତିନିଧିମାନଙ୍କ ସ୍ୱାର୍ଥନ୍ୱେଷୀ ମନୋଭାବର ସୁଯୋଗ ନେଇ ଉପକୁଳ ଓଡିଶାର ରାଜନୈତିକ ପୂଜାପଣ୍ଡା ଓ ସରକାର କୋସଲ ଅଂଚଳକୁ ଧ୍ୱଂସ କରିବାକୁ ବସିଛନ୍ତି । ଏହାର ଚରମ ଉଦାହରଣ ହେଲା ବନ୍ଦେ ଉତ୍‌କଳ ଜନନୀକୁ ନେଇ ଓଡିଶା ସରକାର ଓ ଓଡିଶାର ରାଜନୈତିକ ଦଳମାନଙ୍କର ଆଭିମୁଖ୍ୟ । ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀର ମୁକାବିଲା କରୁଥିଲା ସେତେବେଳେ ଓଡିଶା ସରକାର ଜନସାଧାରଣଙ୍କୁ ସୁରକ୍ଷା ଦେବା ବଦଳରେ ଅଗଣତାନ୍ତ୍ରିକ ଭାବରେ ବନ୍ଦେ ଉତ୍‌କଳ ଜନନୀକୁ ନେଇ ଯେଉଁଭଳି ଖେଳୁଥିଲେ ଓ ସବୁ ରାଜନୈତିକ ଦଳ ଏହି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଅନ୍ଧ ସମର୍ଥନ ଦେଇଛନ୍ତି, ଏହାକୁ ଆଗାମୀ କାଲିର ଇତିହାସ କ୍ଷମା ଦେବନାହିଁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସୁନୀଲ ପୁରୋହିତ ମତବ୍ୟକ୍ତ କରିଛନ୍ତି ।
ଏହି ପ୍ରସଙ୍ଗରେ କୋସଲ ରାଜ୍ୟ ସମନ୍ୱୟ ସମିତି ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବା ସହ ବ୍ୟାପକ ଜନଜାଗରଣ ଓ ଆନ୍ଦୋଳନ କରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.