
ଭୁବନେଶ୍ଵର : ଏଥର ସଅଳ ଆସିବ ମୌସୁମୀ । ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା । ମେ ୨୭ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବ । ତେବେ ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ । ଏନେଇ ୯ଆଇ ଏମ୍ ଡ଼ି ପକ୍ଷରୁ ଆକଳନ କରାଯାଇଛି । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୮ରୁ ୧୯ ଭିତରେ ଆଣ୍ଡାମାନ ସାଗର ଛୁଇଁଥାଏ । ଜୁନ୍ ୧ ତାରିଖ ବେଳକୁ କେରଳ ପାଖରେ ଦେଶର ମୁଖ୍ୟ ଭୂଖଣ୍ଡକୁ ସ୍ପର୍ଶ କରେ । କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାକୁ ଅଗ୍ରସର ହୋଇଥାଏ । ପାଣିପାଗ ବିଶେଷଜ୍ଞ ଏନେଇ ଏକ୍ସରେ ଲେଖିଛନ୍ତି ଯେ, ୨୦୨୪ ମସିହାରେ ମୌସୁମୀ ବାୟୁ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୌସୁମୀ ବାୟୁ ଆକଳନ ଅନୁଯାୟୀ ମେ ୨୭ରେ କେରଳ ଛୁଇଁବାର ସମ୍ଭାବନା ରହିଛି ।