୧୯୭୮ ବ୍ୟାଚର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନଦିନ ଜୀବନ ସଂଘର୍ଷରୁ କିଛି ସମୟ ବାହାର କରି ପୁରୁଣା ସ୍ମୃତିକୁ ମନେପକାଇବା ସହ ପରସ୍ପର ମଧ୍ୟରେ ମତ ବିନିମୟ ପାଇଁ ସମସ୍ତଙ୍କ ମନରେ ଉଦବେଗ ରହିଥିବା ବେଳେ କେତେବେଳେ ତାହା ସମ୍ଭବ ତ ପୁଣି କେତେବେଳେ ସବୁ ପ୍ରସ୍ତୁତି ଥାଇ ମଧ୍ୟ କିଛି ହୋଇପାରେନି । ତେବେ ଜୀବନ ଜଞ୍ଜାଳ ମଧ୍ୟରେ କିଛି ସମୟ ବଂଧୁଙ୍କ ଗହଣରେ ସମୟ ବିତାଇବା ସହ ପୂର୍ବ ଗୁରୁଙ୍କ ଆଶୀର୍ବାଦ ନେବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ । ଏହି ପରିପ୍ରେକ୍ଷୀରେ ସେକ୍ଟର ୨ ଇସ୍ପାତ ଲୋୟାର ସେକେଣ୍ଡାରୀ ସ୍କୁଲର ୧୯୭୮ ବ୍ୟାଚର ବଂଧୁମାନଙ୍କ ମଧ୍ୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମ କୋଏଲନଗର ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଭଗବାନ ରାଉତ, ଜଗବନ୍ଧୁ ଗାୟନ ଓ ଆଲୋକ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ରମେଶ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁ କ୍ଷୀତିଶ ଚନ୍ଦ୍ର ଦତ୍ତ ଓ ଗୁରୁ ରବିନାରାୟଣ ରଥଙ୍କୁ ପୁଷ୍ପଗୁଛ, ପୁଷ୍ପମାଲ୍ୟ ଓ ପୁଷ୍ପବୃଷ୍ଟି ସହ ସ୍ବାଗତ କରାଯାଇଥିଲା । ଗୁରୁ ଶ୍ରୀ ଦତ୍ତ ପ୍ରାୟ ୫୦ବର୍ଷ ତଳର ସ୍ମୃତିଚାରଣ ସହ ଭାବ ବିହ୍ଵଳ ହୋଇ ତାଙ୍କ ପ୍ରିୟ ଛାତ୍ର ଛାତ୍ରୀଙ୍କୁ ଆଶ୍ରୀବଚନ ପ୍ରଦାନ କରିବା ସହିତ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ । ଗୁରୁ ଶ୍ରୀ ରଥ ସମସ୍ତଙ୍କୁ ଆଶୀର୍ବାଦ କରିବା ଓ ସମସ୍ତଙ୍କ ଶୁଭ ମନାସିବା ସହ ଦୀର୍ଘ ୪୪ବର୍ଷ ପରେ ତାଙ୍କ ଛାତ୍ରଛାତ୍ରୀ ମାନେ ତାଙ୍କୁ ମନେପକାଇ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଗୁରୁଙ୍କୁ ଉତ୍ତରୀୟ, ସାଲ୍ ଓ ଆଶାବାଡି ଓ ଗୁରୁପତ୍ନୀଙ୍କୁ ଶାଢୀ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ବଂଧୁମାନେ ସେମାନଙ୍କ ସ୍ମୃତିଚାରଣ ସହ ମତ ବିନିମୟ କରି ଆସନ୍ତା କାର୍ଯ୍ୟକ୍ରମରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥଲେ । ଏହି କାର୍ଯ୍ୟକ୍ରମରେ ୧୯୭୮ ବ୍ୟାଚର ସୁଦର୍ଶନ ମହାନ୍ତି, ପ୍ରଶାନ୍ତ ମାର୍ଥା, ସୁବଳ ପଟ୍ଟନାୟକ, ସୁମିତ୍ରା ମିଶ୍ର, ସଂଗୀତା ମହାନ୍ତି, ମୀନତି ମହାରଣା, ମୀନତି ମହାନ୍ତି, ରଶ୍ମିବାଳା ମହାପାତ୍ର, କବିରାଜ ଗୌଡ, ପଦ୍ମନାଭ ଶତପଥୀ, ନିର୍ମଳ ଚନ୍ଦ୍ର ପରିଡା, ଅରୁଣ ସାଥୁଆ, ଜ୍ୟୋତିରଂଜନ ପଟ୍ଟନାୟକ, ଶିବପ୍ରସାଦ ତ୍ରିପାଠୀ, ବାଦଲ କୁମାର, ଇନ୍ଦରଜିତ ସିଂହ, ସୁଶାନ୍ତ ବିଶ୍ବାଳ, ପ୍ରଫୁଲ୍ଲ ମହାରଣା, ଅଜିତ ରାୟ, ଅଶ୍ବିନୀ ବାରିକ, ଅରୁଣ ପାତ୍ର, ଜୟନ୍ତ ସାମଲ, ବିଜୟ ମହାନ୍ତି, ମାରୁତି ନାଥ, ସୁବାସ ନାୟକ, ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ସପରିବାରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଦିବଙ୍ଗତ ପ୍ରଶାନ୍ତ ପାତ୍ର, ଗୁରୁଚରଣ ରାଉତ, ବିନାୟକ ଦାଶ, ଜୀବନାନନ୍ଦ ସାମଲ, ବିଜୟ ବେହେରାଙ୍କ ସ୍ମୃତିରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଭଗବାନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.