ମୋ ଭାଇକୁ ମାରିଦେଲେ ଡାକ୍ତର

  • ଗୋଡରେ ଅସ୍ତ୍ରପୋଚାର ବେଳେ ବ୍ୟକ୍ତିଙ୍କ ମୃତ୍ୟୁ
  • ମୃତ୍ୟୁ ଘଟଣାର ତଦନ୍ତ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସହରର ଆଶା ନର୍ସିଂ ହୋମ ଠାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ତରଭା ସହରର ମହାବୀର ଅଗ୍ରୱାଲ(୪୩)ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମେଡିକାଲ ପରିଦର୍ଶନ କରି ପଞ୍ଜୀକରଣ କାଉଣ୍ଟରରେ ବସି କର୍ମଚାରୀଙ୍କୁ ପଚାରି ବୁଝିବା ପରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ମେଡିକାଲ୍ ଅଧିକ୍ଷକଙ୍କ ସହ ଆଲୋଚନା କରି ଶ୍ରୀ ଅଗ୍ରୱାଲଙ୍କ ଚିକିତ୍ସାର ସମସ୍ତ ତଥ୍ୟ ବୁଝିଥିଲେ । ମୁଖ୍ୟ ଚିକିତ୍ସାଳୟରୁ ରେଫର୍ କରି ସ୍ଥାନୀୟ ଆଶା ନର୍ସିଂ ହୋମରେ ନେଇ ଚିକିତ୍ସା କରିଥିବା ଉଭୟ ଡାକ୍ତର ହଠାତ୍ ଛୁଟିରେ ପଳେଇ ଥିବାରୁ ଏଥିରୁ ତାଙ୍କର ତୃଟିପୂର୍ଣ୍ଣ ଚିକିତ୍ସାର ଗନ୍ଧ ବାରି ହେଉଛି ବୋଲି ବିସ୍ମିତ ହୋଇଥିଲେ । ଏହି ସବୁ ଘଟଣା ବିଷୟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ପରେ ସେଠାରୁ ତୁରନ୍ତ ଘରୋଇ ଆଶା ନର୍ସିଂ ହୋମକୁ ପରିଦର୍ଶନ କରି ଶ୍ରୀ ଅଗ୍ରୱାଲଙ୍କ ଚିକିତ୍ସା ବିଷୟରେ ବିଭିନ୍ନ ପ୍ରଶ୍ନ ସହ ତଦନ୍ତ କରିଥିଲେ ଜିଲ୍‌ଲ୍ଲାପାଳ । ଏବଂ ତ୍ରୁଟି ପୂର୍ଣ୍ଣ ଚିକିତ୍ସାରେ ସାମିଲ୍ ଥିବା ଡାକ୍ତର ଓ ନର୍ସିଂ ହୋମ ମାଲିକଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼. ସାହୁ କହିଥିଲେ । ସେପଟେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାରୁ ପ୍ରକାଶ ଯେ ତରଭା ସହରର ମହାବୀର ଅଗ୍ରୱାଲ (୪୩) ବୀରମହାରାଜପୁର ସ୍ଥିତ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟରୁ ନିଜ ଚକ୍ଷୁ ପରୀକ୍ଷା କରି ବାଇକରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ବୁଢ଼ାରଜା ଛକରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କୃତ୍ତିବାସ ସୁବୁଦ୍ଧି ଏହି ସରକାରୀ ଡାକ୍ତରଖାନାରେ କୌଣସି ସୁବିଧା ନାହିଁ । ତୁମେ ତୁରନ୍ତ ଆଶା ନସିଂ ହୋମକୁ ନେଇଯାଅ ବୋଲି କହିଥିବା ମୃତକଙ୍କ ବଡ଼ଭାଇ ସୁଦର୍ଶନ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ପରେ ତୁରନ୍ତ ମହାବୀରଙ୍କୁ ଆଶା ନସିଂ ହୋମକୁ ନିଆଯାଇଥିଲା । ସେଠାରେ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ସମ୍ବିତ ମହାନ୍ତି ଅପରାହ୍ନ ୩ ଟାରେ ଆସି ଭାଙ୍ଗି ଯାଇଥିବା ଗୋଡରେ ଅସ୍ତ୍ରୋପଚାର ପାଇଁ କିଛି ନିଶ୍ଚେତକ ଇଞ୍ଜେକ୍‌ସନ ଦେଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମହାବୀରଙ୍କ ଚେତା ଫେରି ନ ଥିଲା । କିନ୍ତୁ ପରିବାର ଲୋକେ ପଚାରିବାରୁ ୩/୪ ଘଣ୍ଟା ପରେ ଚେତା ଫେରିବ ତୁମେ ତୁରନ୍ତ ବଲାଙ୍ଗିର ବଡ଼ ଡାକ୍ତରଖାନା ଆଇସିୟୁକୁ ନେଇଯାଅ ବୋଲି ଡାକ୍ତର କହିଥିଲେ । ପରିବାର ଲୋକେ ଭୀମଭୋଇ ମେଡିକାଲକୁ ନେବା ବେଳକୁ ସେଠାରେ ମହାବୀରଙ୍କ ପ୍ରାଣବାୟୁ ଉଡି ଯାଇଥିବା ଦେଖିଥିବା ବନ୍ଧୁ, ପରିଜନ କହିଥିଲେ । ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଭାଇଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ଲୋକେ ପୁଣି ଶବକୁ ସେଠାରୁ ଫେରାଇ ଆଣି ଆଶା ନସିଂ ହୋମକୁ ଯାଇ ହୋ-ହାଲ୍ଲା କରିଥିଲେ । ପରେ ଶବକୁ ଆମ୍ବୁଲାନ୍ସରେ ଧରି ସୋନପୁର ଥାନାକୁ ନେଇ ସେଠାରେ ଲିଖିତ ଅଭିଯୋଗ ପରେ ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହକୁ ପଠାଇ ଦେଇଥିଲେ । ଏନେଇ ଥାନାରେ ସମ୍ପୃକ୍ତ ଡାକ୍ତର ଓ ନସିଂହୋମ ମାଲିକଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ପରବର୍ତ୍ତୀ ପଦକ୍ଷେପ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ସୋନପୁର ଆଇଆଇସି ଯାଦବ ବାଗ କହିଛନ୍ତି ।

Leave A Reply

Your email address will not be published.