ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରୁ ପଡି ୩ ଶ୍ରମିକ ମୃତ୍ୟୁ ମାମଲା : ପ୍ରୋଜେକ୍ଟ ମ୍ୟାନେଜର, ସେପ୍ଟି ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
ବୌଦ୍ଧ, (ବଂଶୀଧର ମାଝୀ) : ତା୨/୪ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରସଙ୍କୁଲେଇ ଠାରେ ନିର୍ମାଣ ହେଉଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଉପରୁ ପଡି ଗତ ଦେଢ଼ ମାସ ଭିତରେ ବାହାର ରାଜ୍ୟର ଜଣେ ପରେ ଜଣେ ୩ଶ୍ରମିକଙ୍କ ମୃତ୍ୟୁ ମାମଲାରେ ହରଭଙ୍ଗା ପୋଲିସ ଠିକାସଂସ୍ଥାର ୩ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଥିବା ଜଣା ପଡିଛି । ଗିରଫ ଅଧିକାରୀ ମାନେ ହେଲେ ସେତୁ ନିର୍ମାଣକାରୀ ଗୁଜୁରାଟର ରଣଜିତ କନ୍ସଷ୍ଟ୍ରକସନ ନାମକ ବେସରକାରୀ ଠିକାସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର ବବଲୁ ଭାଇ ପଟେଲ, ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ସେପ୍ଟି ମ୍ୟାନେଜର ବିଧୁଭୂଷଣ ହୋତା ଏବଂ ଆଡମିଷ୍ଟ୍ରେଟିଭ ଅଫିସର କାର୍ୟ୍ୟ କରୁଥିବା ବୌଦ୍ଧ ଜିଲ୍ଲା ଧଳପୁରର ଏମ ପାର୍ଥ ସାରଥୀ ବୋଲି ଜଣାପଡିଛି । ବିଳମ୍ବରେ ହେଉ ପଛକେ ସୁରକ୍ଷାରେ ଅବହେଳା ପ୍ରଦର୍ଶନ କରିଥିବା ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବା ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ଜଣାଶୁଣା ମହଲରେ ସ୍ୱାଗତ କରାଯାଇଛି । ପ୍ରକାଶ ଥାଉକି ଠିକାସଂସ୍ଥାର ଢିଲା ସୁରକ୍ଷା ବ୍ୟବସ୍ଥା ଓ ଆବଶ୍ୟକ ସେପ୍ଟି ବ୍ୟବସ୍ଥା ଗ୍ରହଣ କରା ନଯିବା କାରଣରୁ ଲଗାତାର ଭାବେ ଗତ ଜାନୁୟାରୀ ୧୬ ତାରିଖ, ମାର୍ଚ୍ଚ ୪ତାରିଖ ଓ ମାର୍ଚ୍ଚ ୬ତାରିଖରେ ସେତୁ ଉପରୁ ପଡି ବାହାର ରାଜ୍ୟର ୩ଜଣ ନିରୀହ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ହେଲେ ସୁରକ୍ଷା ଜନିତ ତ୍ରୁଟି ଯୋଗୁଁ ବାରମ୍ବାର ଅଘଟଣ ଘଟି ଶ୍ରମିକ ମୃତ୍ୟୁ ହୋଇ ଚାଲିଥିଲେ ମଧ୍ୟ ଠିକାସଂସ୍ଥାର ଅଧିକାରୀ ମାନେ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ସୁରକ୍ଷା ନିୟମକୁ କାହିଁକି ଅନୁପାଳନ କରୁନାହିଁ ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ସମ୍ପୃକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର ଷ୍ଟେଟ ମାଇଗ୍ରେଣ୍ଟ ୱାର୍କର (ଆଇଏସଏମଡବ୍ଲୁ ) ଲାଇସେନ୍ସ ଓ ମୋଟର ଟ୍ରାନ୍ସପୋର୍ଟ ୱାର୍କର (ଏମଟିଡବ୍ଲୁ ) ଲାଇସେନ୍ସ ନଥିବା ନିଜେ ଜିଲ୍ଲା ଶ୍ରମ ଅଧିକାରୀ କରିବା ପରେ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଥିଲା । ଏ ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ନିଜେ ବୌଦ୍ଧ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଠିକାସଂସ୍ଥାର କାର୍ୟ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥି ସହିତ ବୁର୍ଲା ଭିସୁଟର ସେପ୍ଟି କଂସଲଣ୍ଟାଣ୍ଟ ଏଚଓଡି ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଇଂ ଏସ କେ ପାତ୍ରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ନିର୍ମାଣଧିନ ସେତୁ ପ୍ରକଳ୍ପର ସେପ୍ଟି ବ୍ୟବସ୍ଥାର ତଦାରଖ ପାଇଁ ଆସି ସରକାରଙ୍କ ନୀତି ନିୟମ ଓ ଠିକସଂସ୍ଥା କରିଥିବା ସତ୍ୟପାଠ ଅନୁଯାଇ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରାଯାଇଛି ନାଁ ନାହିଁ ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଫେରିଥିଲେ। ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପ୍ରୋଜେକ୍ଟ ମ୍ୟାନେଜର, ସେପ୍ଟି ମ୍ୟାନେଜର ଏବଂ ଆଡମିଷ୍ଟ୍ରେଟିଭ ଅଫିସରଙ୍କ ଅବହେଳାକୁ ଦାୟି କରି ରିପୋର୍ଟ ମିଳିବା ପରେ ଏହାକୁ ଭିତ୍ତିକରି ପୋଲିସ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।