
କଟକ : ରାଜ୍ୟର ବିଭିନ୍ନ ହାଇସ୍କୁଲ୍ରେ ହୋଇଥିବା ୩୧୬ ନୋଡାଲ୍ ସେଣ୍ଟରରୁ ପର୍ଯ୍ୟାୟକ୍ରମେ ମାଟ୍ରିକ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ସୁରକ୍ଷା ବଳୟରେ ଆସି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପହଞ୍ଚିଛି । ମଙ୍ଗଳବାର ବାକି ଥିବା ଅନ୍ୟ ନୋଡାଲ୍ ସେଣ୍ଟରରୁ ଖାତାଗୁଡ଼ିକ ଆସି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଏପ୍ରିଲ ୩ ତାରିଖରୁ ହେବାକୁ ଥିବା ଏହି ମୂଲ୍ୟାୟନ କାର୍ଯ୍ୟର ତଦାରଖ ପାଇଁ ଏପ୍ରିଲ୍ ୧ରୁ ବୋର୍ଡ କର୍ମଚାରୀମାନେ ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ । ସେହିପରି ଖାତା ଦେଖା ପାଇଁ ନିୟୋଜିତ ଶିକ୍ଷକମାନେ ୨ ତାରିଖରୁ ମୂଲ୍ୟାୟନ କେନ୍ଦ୍ରରେ ସେମାନଙ୍କ ଉପସ୍ଥିତି ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି ।
ସେହିପରି ମାର୍କ ଅପଲୋଡ୍ କରିବା ପାଇଁ ବୋର୍ଡର ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀମାନେ ପ୍ରତି କେନ୍ଦ୍ରରେ ୬ ଜଣ ଲେଖାଏଁ ଡାଟା ଅପରେଟର ନିୟୋଜିତ କରାଇଛନ୍ତି । ମୂଲାୟନକାରୀମାନେ ଖାତା ଦେଖା ସାରିବା ପରେ ତାକୁ ଉପରିସ୍ଥ ଅଧିକାରୀମାନେ ପୁନଃ ଯାଞ୍ଚ କରିବେ । ସେହିଦିନ ଅନ୍ଲାଇନ୍ରେ ମାର୍କ ଅପଲୋଡ୍ କରାଯିବ । ଏହାଦ୍ୱାରା ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ରହିବା ସହ ଅନିୟମିତତାକୁ ରୋକାଯାଇ ପାରିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।