ଖରାମାଳ ଠାରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ଖରାମାଲ ଗ୍ରାମ ଠାରେ ଗୁରୁବାର ଦିନରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନକାରୀ ଥିଲେ ୱାସନ, ସ୍ଵାମିନାଥନ ଫାଉଣ୍ଡେସନ ଓ ଅହିଂସା କ୍ଲବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଗନ୍ଧମାର୍ଦନ ଅଞ୍ଚଳକୁ ବିଶ୍ଵ ସ୍ତରୀୟ ଗୁରୁତ୍ଵପୂର୍ଣ୍ଣ କୃଷି ଐତିହ୍ୟ ସ୍ଥାନ ଘୋଷଣା କରିବା ଓ ଜନ ଜାଗରଣ କରିବା । ଏଠାରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଲଧର ନାଗ, ବର୍ଷା ସିଂ ବରିହା (ବିଧାୟିକା, ପଦ୍ମପୁର), ଡାକ୍ତର ନେନ୍ଦୁ (ଆଞ୍ଚଳିକ ମୁଖ୍ୟ , ସି. ଟି.ସି.ଆର.ଆଇ), ବିଶ୍ଵଜିତ ମଣ୍ଡଲ, (ବରିଷ୍ଠ ବୈଜ୍ଞାନିକ, ସି.ଆର. ଆର.ଆଇ), ପ୍ରଭାସ ଚନ୍ଦ୍ର ପଣ୍ଡା ( ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ, (ପଦ୍ମପୁର), ରଞ୍ଜନ କୁମାର ନାୟକ (ଯୋଜନା ଅଧିକାରୀ, ଶ୍ରୀ ଅନ୍ନ ଅଭିଯାନ), ଲିଙ୍ଗରାଜ ପ୍ରଧାନ (ଆବାହକ, ପଶ୍ଚିମ ଓଡିଶା କୃଷକ ସଂଗଠନ), ସରୋଜ ମହାନ୍ତି (ଆବାହକ, ଦେଶୀ ବିହନ ସୁରକ୍ଷା ମଞ୍ଚ), ଉତ୍ତମ ପଟ୍ଟନାୟକ (ଏସସି.ଏସଟି. ଆରଟିଆଇ), ଶିବ ପ୍ରସାଦ ସାହୁ (ଅହିଂସା କ୍ଲବ), ଲାଲ ବିଜୟ ସିଂହଦେଓ (ୱାସନ), ଆଦିତ୍ୟ ସିଂହଦେଓ (ୱାସନ) , ଡକ୍ଟର ରାଇମତି (ବିହନ ସଂରକ୍ଷିକା, କୋରାପୁଟ) ପାଇକମାଲ ଓ ବଲାଙ୍ଗିରର ବୈଦ୍ୟ, ଗନ୍ଧମାର୍ଦ୍ଧନ ସୁରକ୍ଷା ପାଇଁ ଲଢିଥିବା କର୍ମକତ୍‌ର୍ତ୍ତା, ବୈଜ୍ଞାନିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖର ପ୍ରାୟ ୧୨ଖଣ୍ଡ ଗ୍ରାମର ୧୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଆଲୋଚନାର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା କୃଷି ଜୈବ ବିବିଧତା ସଂରକ୍ଷଣ, କୃଷି ଐତିହ ସଂରକ୍ଷଣରେ ମହିଳା କୃଷକଙ୍କ ଭୂମିକା, ସ୍ୱାସ୍ଥ୍ୟ ଓ ପୋଷଣ, ମୂଲ୍ୟ ଶୃଙ୍ଖଳାର ଉନ୍ନତି ଦେଶୀ ବିହନ ଓ ଖାଦ୍ୟ କିପରି ଭାବରେ ଆମ ପରମ୍ପରାରେ ଜଡିତ । ସଫଳ ଚାଷୀ, ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ସଂଗଠନ, ଆୟୁର୍ବେଦିକ କଲେଜ ଓ ବୈଦ୍ୟ ମାନଙ୍କ ଦ୍ଵାରା ଷ୍ଟଲରେ ଗନ୍ଧମାର୍ଦ୍ଧନରେ ମିଳୁଥିବା ବିଭିନ୍ନ କନ୍ଦା, ଶାଗ, ଚେରିମୂଳି, ଶସ୍ୟ ଓ ଏଥିରୁ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକ ଗୋଲଟେବୁଲ ବୈଠକରେ ଗନ୍ଧମାର୍ଦ୍ଧନକୁ ନେଇ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମର ୨ୟ ଦିନ ଶୁକ୍ରବାରରେ ସମସ୍ତ ଯୋଗଦାନକାରୀ ଆୟୁର୍ବେଦିକ କଲେଜ ଠାରୁ ଏକ ପଦଯାତ୍ରାରେ ନୃସିଂହନାଥ ମନ୍ଦିରରୁ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା କପିଳଧାର ଜଳ ପ୍ରପାତ ଯାଏ ପଦଯାତ୍ରାରେ ସମସ୍ତେ ଯାଇ ଏହି କାର୍ଯ୍ୟକ୍ରମ ସମାପନ କରିଥିଲେ ।

Leave A Reply

Your email address will not be published.