ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି । ସହର ଅଞ୍ଚଳରେ ହେଉଥିବା ପାଣିର ସମସ୍ୟାକୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପାଣି ସମସ୍ୟାକୁ ନେଇ ଅସନ୍ତୋଷ ଦେଖା ଦେଇଛି । କେଉଁଠି ପାଣି ଅହରହ ବୋହି ଯାଉଛି ତ କେଉଁଠି ପାଣି ଟିକକ ପାଇଁ କଲବଲ ହେଉଛନ୍ତି ଲୋକେ । ତେଣୁ କେତେବେଳେ ଆନ୍ଦୋଳନ ତ କେତେ ବେଳେ କାର୍ୟ୍ୟାଳୟ ଘେରାଉ । ସେହିପରି ଆଜି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତର ଚାହାଁରଭଟା ଓ ସିଲ୍ପଡା ଅଞ୍ଚଳର ମହିଳାମାନେ ପାଣି ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ । ସହରରୁ ପ୍ରାୟ ୫ କିମି ଦୂରରୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ପାଇଁ ବିଭିନ୍ନ ବାଲଟି, ଗରା ଧରି ଚାଲିଚାଲି ଆସିଥିଲେ ମହିଳାମାନେ । ବାନ୍ଦୁପଲା ଗ୍ରାମପଞ୍ଚାୟତର ଚାହାଁରଭଟା ଓ ସିଲ୍ପଡ଼ା ଅଞ୍ଚଳ ପାହାଡ ଉପରେ ଥିବାରୁ ସେଠାରେ ନଳକୂପ ସ୍ଥାପନ ହୋଇପାରୁ ନାହିଁ । ପାହାଡ ଉପରେ କୂଅ ଖୋଲିବା ମଧ୍ୟ ସମ୍ଭବ ହୋଇପାରୁ ନାହିଁ । ଅନେକ ଅଭିଯୋଗ ହେବା ପରେ ଗ୍ରୀଷ୍ମ ଋତୁରେ କେବଳ ମାତ୍ର ୧୫ ଦିନ ପାଇଁ ତିନି ଦିନ କିମ୍ବା ଚାରି ଦିନରେ ଥରେ ପାଣି ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯାଉଥିଲା । ତାହାକୁ ସେମାନେ ଘରେ ବିଭିନ୍ନ ପ୍ରକାରରେ ଗଚ୍ଛିତ ରଖି ବ୍ୟବହାର କରୁଥିଲେ । ଏହାପରେ ସେମାନେ ନିଜ ଘରୁ ପ୍ରାୟ ୩ କିମି ଦୂରକୁ ଯାଇ ପାଣି ଆଣୁଥିବା ଅଭିଯୋଗ କରିଛନ୍ତି ମହିଳାମାନେ । ଗାଁରେ ଥିବା ପୋଖରୀକୁ ମଧ୍ୟ ପୂନରୁଦ୍ଧାର କାର୍ୟ୍ୟ ପାଇଁ ପାଣି ନିଷ୍କାସନ କରାଯାଇଛି । ଯେଉଁଥି ପାଇଁ ଗାଧୋଇବା ପାଇଁ ମଧ୍ୟ ପାଣିର ସମସ୍ୟା ଦେଖାଯାଇ ଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ବାରମ୍ବାର ଉପଜିଲ୍ଲାପାଳ, ସରପଞ୍ଚ ଓ ବିଧାୟିକାଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ ମଧ୍ୟ ପାଣି ସମସ୍ୟାର ସମାଧାନ ହୋଇ ନଥିବା ଅଭିଯୋଗ କରିଛନ୍ତି ମହିଳା ମାନେ । ଆଜି ପ୍ରାୟ ୫ କିମି ଚାଲିଚାଲି ମହିଳାମାନେ ନିଜ ନିଜ ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ବାଲଟି ଗରା ଧରି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ନପାରି ପୌର ପରିଷଦ କାର୍ୟ୍ୟାଳୟ ଆସିଥିଲେ । ପୌର ପରିଷଦ କାର୍ୟ୍ୟାଳୟକୁ ମହିଳାମାନେ ଘେରି ଥିଲେ । ଉପଜିଲ୍ଲାପାଳ ମହିଳା ମାନଙ୍କ ସମସ୍ୟା ବିଷୟରେ ପୂର୍ବରୁ ଅବଗତ ନ ଥିବା ଜଣାଇଥିଲେ । ବାନ୍ଦୂପଲା ଗ୍ରାମର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ମେଗା ଜଳସେଚନ ପ୍ରକଳ୍ପରେ କାମ ଚାଲିଥିବା ଯୋଗୁଁ ଆଗାମୀ ପ୍ରକଳ୍ପ ପାଇଁ ପ୍ରାୟ ଛଅମାସ ବିଳମ୍ବ ହେବ ବୋଲି ମହିଳାମାନଙ୍କୁ କହିଥିଲେ । ତେଣୁ ଆସନ୍ତା କାଲିଠୁ ପ୍ରତିଦିନ ପାଣି ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉପଜିଲ୍ଲାପାଳଙ୍କ ଠୁ ପ୍ରତିଶ୍ରୁତି ପାଇବା ପରେ ମହିଳାମାନେ ନିଜ ଗାଁକୁ ଫେରିଥିଲେ ।
Prev Post