ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଫାଶୀ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସଂପୃକ୍ତ ଥିବା ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତାଫା ଦାବୀରେ ଭାଜପାର କଂଟାବାଂଜି ବନ୍ଦ ପାଳିତ

କଂଟାବାଂଜି, (ମନୀଷ କୁମାର ହଂସ) : ଅଧ୍ୟକ୍ଷା ମମିତା ମେହେରକୁ ଯୋଜନା ବଦ୍ଧଭାବେ ହତ୍ୟା କରାଯାଇ ତାଙ୍କୁ ବିଦ୍ୟାଳୟ ପରିସରରେ ଥିବା ଷ୍ଟାଡିୟମରେ ପୋତାଯାଇଥିଲା । ଏହି ହତ୍ୟାକାଣ୍ଡରେ ସେହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ନିଜେ ସଂଶ୍ଲିଷ୍ଟ ଥିବାରୁ ତାକୁ ଫାଶୀ ଦେବା ସହିତ ଓଡିଶା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇଙ୍ଗିତରେ ଏହି ସୁପରିକଳ୍ପିତ ଘଟଣା ଘଟିଥିବାର ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତାଫା ଦାବୀରେ ଭାଜପାର କଂଟାବାଂଜି ବନ୍ଦ ପାଳନ କରାଯାଇଛି । ପ୍ରକାଶ ଥାଉକି କଲାହାଣ୍ଡି ଗୋଲାମୁଣ୍ଡା ମହାଲିଙ୍ଗ ସ୍ଥିତ ଘରୋଇ ସ୍କୁଲର ଅଧ୍ୟକ୍ଷା ତଥା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଝରଣି ଗାଁର ନିବାସୀ ମମିତା ମେହେରଙ୍କୁ ସେହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ ଯୋଜନା ମୁତାବକ ହତ୍ୟାକାଣ୍ଡ କରିଥିବାକୁ ସାରା ଓଡିଶାରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ତୀବ୍ର ନିନ୍ଦା କରାଯାଇଛି । ଏପରିକି ହତ୍ୟାକାରୀ ଗୋବିନ୍ଦ ସାହୁଙ୍କୁ ଫାଶୀ ଦେବା ସହିତ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତାଫା ସହ ନିରପେକ୍ଷ ସି.ବି.ଆଇ. ତଦନ୍ତ ଦାବୀ କରିଛି ଭାଜପା । ବଲାଙ୍ଗିର ଜିଲ୍ଲା ଭାଜପା ସଭାପତି ଶିବାଜି ମହାନ୍ତିଙ୍କ ଆହ୍ୱାନରେ ସମଗ୍ର ଜିଲ୍ଲାରେ ବନ୍ଦ ଡାକରାରେ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ସହ ଦୋକାନ ବଜାର ବନ୍ଦ ପାଳନ କରାଯାଇଛି । ଏହାର ପ୍ରଭାବ କଂଟାବାଂଜିରେ ମଧ୍ୟ ପଡିଛି । ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ କଂଟାବାଂଜିରେ ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ତହସିଲ ଅଫିସ, ବ୍ୟାଙ୍କ,ବୀମା କାର୍ଯ୍ୟାଳୟକୁ ପିକେଟିଂଗ କରି ବନ୍ଦ କରାଯାଇଛି । ଏହି ପିକେଟିଙ୍ଗରେ ଜିଲ୍ଲା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ, ନଗର ସଭାପତି ଅଜୟ ଶର୍ମା, ଯୁବ ସଭାପତି ବେଦବ୍ୟାସ ନାଗ, ପ୍ରଦିପ ବାଗ, ଘାସିରାମ ଜୈନ, ଅଜୟ ଅଗ୍ରୱାଲ, ଅକ୍ଷୟ ମେହେର, ବିଦେଶୀ ବେହେରା ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.