
ସଇଁତଲା, (ଖୁସିରାନୀ ସାହୁ) : ଗଞ୍ଜେଇ ଚୋରା ଚାଲାଣ ମହଙ୍ଗା ପଡ଼ିଲା । ପୁଲିସି ହାତରେ ଧରାପଡ଼ି ଗିରଫ୍ ହେଲା ଗଂଜେଇ ବେପାରୀ । ଦିନ ଦି’ ପହରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଚଢାଉ କରି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ବାଇକରେ ବୁଲା ବେପାରୀ ଭଳି ବ୍ୟାଗ୍ ରଖି ଗଞ୍ଜେଇ ଚାଲାଣ କରୁଥିଲେ । ତାହା ପୁଣି ଦିନ ଦି’ ପହରରେ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ବାଟରେ ଛକି ବସିଥିଲା ଦେଓଗାଁ ପୁଲିସ । ଦୁର୍ବୃତ ଗଞ୍ଜେଇ ଧରି ଆସିବା ମାତ୍ରେ କାବୁ କରିଥିଲା ପୋଲିସି । ବଲାଙ୍ଗିର ଜିଲ୍ଲା ଦେଓଗାଁ ପୁଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରି ୧୦ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଓ ମୋବାଇଲ ଫୋନ୍କୁ ଜବତ କରିଛି । ଗିରଫ ହୋଇଥିବା ଗଞ୍ଜେଇ ଚାଲାଣକାରୀ ଜଣକ ହେଉଛନ୍ତି ସଇଁତଲା ଥାନା କରମତଲା ଗାଁର ଜୀବନ ବାଗ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନାର ଘଣ୍ଟାପଡ଼ା ଗାଁରୁ ଗଞ୍ଜେଇ ନେଇ ସଇଁତଲା ଅଭିମୁଖେ ଯାଉଥିଲା ଗଞ୍ଜେଇ ବେପାରୀ ବୋଲି ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି । ଦେଓଗାଁ ଅତିରିକ୍ତ ତହସିଲଦାର ସନ୍ତୋଷ ବେହେରା ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ରହିବା ପରେ ଜବତ ଗଞ୍ଜେଇକୁ ମାପ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ ।