ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ର ଦ୍ୱିତୀୟ ସନ୍ଧ୍ୟା : ପଲ୍ଲୀଶ୍ରୀ ମେଳା ଓ ଫୁଡ୍ କୋର୍ଟରେ ଜମିଲା ଭିଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ବିକାଶ ଧାରାର ବାର୍ତ୍ତାବହ ୩୨ତମ “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ସନ୍ଧ୍ୟା ବେଳେ ପ୍ରଥମେ ପଶ୍ଚିମ ଓଡ଼ିଶାର କଳାକାରମାନେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ଡ଼. ସାହୁ ସମସ୍ତ ଅତିଥି ମାନଙ୍କ ସହିତ ଉପସ୍ଥିତ ଦର୍ଶକମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବା ସହ କିଣାବିକା କରି ବିଭିନ୍ନ ପାରମ୍ପାରିକ ଖାଦ୍ୟର ଭରପୂର ମଜା ନେବା ପାଇଁ ଅନୁରୋଧ କରିଥିଲେ । ଏହି ସାଂସ୍କୃତିକ ସଭାରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚଳିତ ବର୍ଷ ପଡ଼ିଆରେ ବହୁତ ସୁନ୍ଦର ଆୟୋଜନ ହୋଇଥିବାରୁ ଜିଲ୍ଲାପାଳଙ୍କୁ ପ୍ରଶଂସା କରିବା ସହ ଜନସାଧାରଣ ଆସି ଭରପୁର ମଜା ନେବା ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉପଲକ୍ଷେ ସେମାନଙ୍କର ଶୁଭେଚ୍ଛା ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ସଭା ଶେଷରେ ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ ପୁରୀର ଗୋଟି ପୁଅ ନୃତ୍ୟ ଦଳ, ବୀରମହାରାଜପୁରର ବ୍ଲକ କଳା ସଂସ୍କୃତି ସଂଘ, ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନୃତ୍ୟ ନିକେତନ, ତରଭା ବିଜ୍ଞାପିତ ଅଞ୍ଚଳର ଆଞ୍ଚଳିକ କଳା ପରିଷଦ, ବିନିକାର ରୁମକୁ ଝୁମାନା, ଝାରସୁଗୁଡ଼ାର ରାଇଝରନ, ଆସାମର ବିହୁ ନୃତ୍ୟ, ବଲାଙ୍ଗିରର ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳର ନଟରାଜ, ପଞ୍ଜାବର ଭାଙ୍ଗଡ଼ା, ବ୍ଲକ କଳା ସଂସ୍କୃତି ସଂଘ, ବିନିକା, ଗୁପ୍ତେଶ୍ୱର ଶଙ୍ଖବାଦ୍ୟ, ଗଞ୍ଜାମ ପ୍ରମୁଖ ତାଙ୍କ ନୃତ୍ୟ ପରିବେଷଣ କରିଥିଲେ । ଆସାମର ବିହୁ ଏବଂ ପଞ୍ଜାବର ଭାଙ୍ଗଡ଼ା ନୃତ୍ୟ ଦଳ ସମସ୍ତଙ୍କୁ ବିମୋହିତ କରି ରଖିଥିଲା । ଫୁଡ୍ କୋର୍ଟ ଓ ପଲ୍ଲୀଶ୍ରୀ ମେଳାର ବିଭିନ୍ନ ଷ୍ଟଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.