କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଏମ୍ଏନ୍ଆର୍ଇଜିଏସ୍ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା । ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦,୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ୩୫୦ ଏକର ଜମିରେ ୪୦,୬୦୦ ଆମ୍ବ ଚାରା ରୋପଣ କରାଯାଇଥିଲା । ଯେଉଁ ବାବଦରେ ମୋଟ ୧ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆମ୍ବ ଚାରା ରୋପଣ କରାଯାଉଥିବା ବେଳେ ଗୋଟିଏ ମଧ୍ୟ ଗଛ ବଞ୍ଚିଥିବା ଦେଖିବାକୁ ମିଳିନାହିଁ । ଏଭଳିକି ଚାରା ରୋପଣ ହୋଇଥିବା ନେଇ ମଧ୍ୟ ସନ୍ଦେହ ରହିଛି । ଏହା ପଛରେ ବିରାଟ ବଡ଼ ଦୁର୍ନୀତି ହୋଇଥିବା ଜଳ ଜଳ ଦିଶୁଥିବା ବେଳେ ସରକାରୀ ଅର୍ଥ କେବଳ ପାଣିରେ ପଡ଼ିବା ସାର ହେଉଛି । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜିଲ୍ଲାବାସୀ ଦାବୀ କରିଛନ୍ତି । ଅପରପକ୍ଷେ, ଆମ୍ବ ଚାରା ରୋପଣ ଦୁର୍ନୀତି ନେଇ ଫୁଲବାଣୀ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମନୋଜ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ଉଦ୍ୟାନ ବିଭାଗ ଏମ୍ଏନ୍ଆର୍ଇଜିଏର ସମସ୍ତ ଗାଇଡ୍ଲାଇନ୍ ପାଳନ କରି ଆମ୍ବ ଚାରା ରୋପଣ କରୁଛି ଏବଂ ଚାରାର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଘେରାଯାଉଛି । ତେବେ ଏହି ସବୁ ସତ୍ତ୍ବେ କାହିଁକି ଚାରା ବଞ୍ଚୁନାହିଁ ତାହାର ତଦନ୍ତ କରାଯିବ ବୋଲି ଉପ ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି । ତଥ୍ୟ ସଂଗ୍ରହରୁ ଜଣାଯାଇଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ କାସିନିପଦର ପଞ୍ଚାୟତ ଅଧୀନ ମାଝୀପଡ଼ା ଗ୍ରାମର ଦୁଇ ହିତାଧିକାରୀ ଗାନ୍ଧୀରାମ ପାତ୍ର ଓ ସୁରସେନ ମଲିକଙ୍କ ବାଡ଼ିରେ ଫୁଲବାଣୀ ଉଦ୍ୟାନ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ ଏମ୍ଏନ୍ଆରଇଜିଏ ଯୋଜନାରେ ୨୦୦ ଲେଖାଏ ମୋଟ ୪୦୦ ଆମ୍ବ ଚାରା ରୋପଣ କରିଥିଲା । ଏହି ବାବଦରେ ମୋଟ ୩.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର ଆଜି ଏଠି ମୋଟ ୪୦୦ ଆମ୍ବ ଗଛରୁ ଗୋଟିଏ ବି ଗଛ ଜୀବିତ ନାହିଁ । ଏମ୍ଏନ୍ଆର୍ଇଜିଏ ଯୋଜନା ଅନୁସାରେ, ଦୁଇ କିସମର ଆମ୍ବଚାରା ରୋପଣ କରାଯାଇଥାଏ । ଗୋଟିଏ ହେଉଛି ସାଧାରଣ ଆମ୍ବ ଚାରା ରୋପଣ (ଏକର ପ୍ରତି ୪୦ ଆମ୍ବ ଚାରା ରୋପଣ କରାଯାଏ) ଏବଂ ଅନ୍ୟଟି ସଘନ ଆମ୍ବ ଚାରା ରୋପଣ (ଏକର ପ୍ରତି ୧୬୦ ଗଛ ରୋପଣ ହୋଇଥାଏ) । ତେବେ ମାଝୀପଡ଼ାର ଏହି ଦୁଇ ହିତାଧିକାରୀଙ୍କ ବାଡ଼ିରେ ସଘନ ପ୍ରଣାଳୀରେ ଆମ୍ବ ଚାରା ରୋପଣ କରାଯାଇଥିଲା ଏବଂ ଏହି ବାବଦରେ ୩.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଟଙ୍କାରେ ଆମ୍ବ ବଗିଚା ଚାରିକଡ଼େ ତାରବାଡ଼ ବୁଲାଯିବା କଥା, ମାତ୍ର ଏମାନଙ୍କ ବଗିଚାରେ ତାରବାଡ଼ ବୁଲା ଯାଇନାହିଁ । ସେହିଭଳି ଆମ୍ବ ଚାରା ଲଗାଇବା ସହ ସାର, ଔଷଧ, ନିୟମିତ ପାଣି ସିଞ୍ଚନ, ଘାସ ବାଛିବା ଓ ଜଗାରଖା ପାଇଁ ମଧ୍ୟ ଏଥିରେ ବ୍ୟୟ ବରାଦ ହୋଇଥାଏ । ଏସବୁ ସତ୍ତ୍ବେ ଗାନ୍ଧୀରାମ ଓ ସୁରସେନଙ୍କ ବାଡ଼ିରେ ଗୋଟିଏ ବି ଆମ୍ବଚାରା ଜୀବିତ ରହିଲା ନାହିଁ । ଏହା ହିଁ ଦୁର୍ଭାଗ୍ୟଜନକ । ସେହିଭଳି ଆଉ ଏକ ଉଦାହରଣ ନିଆଯାଇପାରେ । ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ତାମ୍ବିସୁଗା ଗ୍ରାମର ନନ୍ଦି ବିନ୍ଧାଣୀ, ଟେମ୍ପୁ ବିନ୍ଧାଣୀ, ପଲେ ବିନ୍ଧାଣୀ, ଜଗତ କହଁର, ଲସିଆ କହଁରଙ୍କ ବାଡ଼ିରେ ଏମ୍ଏନ୍ଆର୍ଇଜିଏସ ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୮୦୦ ଆମ୍ବ ଚାରା ରୋପଣ କରାଯାଇଥିଲା । ଏଥିପାଇଁ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଏଠାରେ ବି ଗୋଟିଏ ବି ଆମ୍ବ ଗଛ ଜୀବିତ ନାହିଁ । କେବଳ ଏହି ଦୁଇଟି ଘଟଣା ନୁହେଁ ବରଂ ଜିଲ୍ଲାର ଅଧିକାଂଶ ସ୍ଥାନରେ ଉଦ୍ୟାନ ବିଭାଗ ପକ୍ଷରୁ ଏମ୍ଏନ୍ଆର୍ଇଜିଏସ ଯୋଜନାରେ ଲଗାଯାଇଥିବା ଆମ୍ବ ଚାରା ବଞ୍ଚିନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆମ୍ବ ଚାରା ଲଗାଯାଉଛି । ମାତ୍ର ଗୋଟିଏ ଗଛ ଜୀବିତ ରହୁନାହିଁ । ଏହା ହିଁ ବଡ଼ ପ୍ରଶ୍ନବାଚୀ ପାଲଟିଛି । ଉଦ୍ୟାନ ବିଭାଗ କେବଳ ଆମ୍ବ ଚାରା ଲଗେଇ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛି । କ୍ଷେତ ଚାରିକଡେ ବାଡ଼ ଘେରା ଯାଉଛି କି ନାହିଁ, ଆମ୍ବ ଚାରାରେ ନିୟମିତ ପାଣି ଦିଆଯାଉଛି କି ନାହିଁ, ଗାଈଗୋରୁ, ଛେଳିଙ୍କୁ ଜଗିବାର ବ୍ୟବସ୍ଥା ହେଉଛି କି ନାହିଁ, ତାହା ତଦନ୍ତସାପେକ୍ଷ । ସବୁଠି ବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକ ରହିଛି । ମାତ୍ର ଗଛ ନାହିଁ । ଏନେଇ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।
Prev Post