ତିନି ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଜି ପୁଣି ଏକ ମାନବିକ ଏବଂ ସାହସିକ ପଦକ୍ଷେପ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି । ସକାଳ ୧୦ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଗମ୍ଭାରୀ ସାପ୍ତାହିକ ବଜାର ନିକଟରେ କିଛି ଲୋକଙ୍କୁ ସନ୍ଦେହଜନକ ଭାବରେ ଠିଆ ହୋଇଥିବା ଦେଖି ଯାଞ୍ଚ କରିଥିଲେ । ପଚରାଉଚରାରୁ ଜାଣିବାକୁ ମିଳିଲା ଯେ, ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଥିଲେ ଏବଂ ସେଥିରେ ତିନିଜଣ ଶିଶୁ ମଧ୍ୟ ଅଛନ୍ତି । ତାପରେ ପୋଲିସ ସେମାନଙ୍କୁ ଖପ୍ରାଖୋଲ ଥାନାକୁ ଆଣି ସବିଶେଷ ପଚାରିବା ପରେ ଜାଣିଲେ ଯେ, ସେମାନଙ୍କୁ ବେଆଇନ ଭାବରେ ଦାଦନ ସର୍ଦ୍ଦାର ରଘୁନାଥ ହରପାଲ ବିନା କାଗଜପତ୍ରରେ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏହା ପରେ ପୋଲିସ ଅଭିଯୁକ୍ତ ରଘୁନାଥ ହରପାଲଙ୍କୁ ଗିରଫ କରି ଥାନାକୁ ଆଣି ସବିଶେଷ ପଚାରିବା ପରେ ତାକୁ ଥାନାରେ ଅଟକରଖି ଅଧିକ ତଦନ୍ତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନଂ–୨୫୮/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଘୁନାଥକୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଏହି ସଫଳ ଅଭିଯାନ ବିଷୟରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇ କହିଛନ୍ତି ଯେ, “ପୋଲିସ ଦଳ ସତର୍କ ରହି ନିୟମିତ ଭାବେ ପେଟ୍ରୋଲିଙ୍ଗ କରୁଛି ଏବଂ ମାନବ ବାଣିଜ୍ୟ ଭଳି ଅପରାଧ ଉପରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରାଯାଉଛି ।” ପୋଲିସର ଏହି ସଚେତନ ପଦକ୍ଷେପ ଦାଦନ ରୋକବାରେ ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛି ।

Leave A Reply

Your email address will not be published.