କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ଠାରେ ଓଡିଶା କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । କୁଡୁମୀ ଜାତିରେ କୁଲୁମୀ, କୁଡୁମୀ, ମାହାତୋ, ମହାନ୍ତ ଓ କୁର୍ମୀ ସାଙ୍ଗିଆ ରହିଛନ୍ତି । କୁଡୁମୀ ଜାତିର ଲୋକେ ୧ କୋଟିରୁ ଅଧିକ ଭାରତରେ ଥିବା ବେଳେ ପ୍ରାୟ ୨୦ ଲକ୍ଷ ଉତ୍ତର ଓଡିଶାରେ ରହିଛନ୍ତି । ସେମାନେ ଆଦିମ ଜନଜାତି ଭଳି ବଣଜଙ୍ଗଲରେ ବସବାସ କରୁଥିଲେ । ସାନ୍ତାଳ, ହୋ, ଓରାଙ୍ଗ, ଭୂମିଜ ଇତ୍ୟାଦି ସେମାନଙ୍କ ପଡୋଶୀ ଥିଲେ । ଭୌତିକ ଦୃଷ୍ଟିକୋଣରୁ ଦେଖିଲେ ମାହାତୋ ମାନେ ଛୋଟନାଗପୁର, ପଶ୍ଚିମବଙ୍ଗ, ଓଡିଶା ଏବଂ ଝାଡଖଣ୍ଡ ରାଜ୍ୟରେ ବାସକରୁଥିଲେ । ସେମାନଙ୍କ ସଂପ୍ରଦାୟ ନୀଚ ଓ ଅଛୁଆଁ ହୋଇଥିବା ହେତୁ ଆଦିବାସୀ ଜନଜାତିରେ ସାମିଲ କରାଯାଉ ବୋଲି ଦାବୀ ହେଉଛି । ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ସଂପ୍ରଦାୟରେ ଜାତିଗତ ବୈଷମ୍ୟ ଦେଖାଯାଇଛି । ଏତଦ୍‌ ବ୍ୟତୀତ କୁଡୁମୀମାନେ ଗେଣ୍ଡା, କୁରକୁଟୀ (ନାଲି ପିମ୍ପୁଡି) ଏବଂ ହାଣ୍ଡିଆ ଖାଇଥାନ୍ତି । ସେମାନଙ୍କ ଭାଷା କୁଡୁମାଲୀ । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମୁଖ୍ୟ ପ୍ରସଙ୍ଗ ଆଦିବାସୀ ଏସ୍‌ଟି ମାନ୍ୟତା । ଏହି ବିରାଟ ସମାବେଶ କାଳରେ କୁଡୁମୀ ସେନା ଉପଦେଷ୍ଟା ସୁବାସ ଚନ୍ଦ୍ର ମହାନ୍ତ ତଥା ବହୁ ସଭ୍ୟସଭ୍ୟା ରାଜାରାମ ମହାନ୍ତ, ସୁରେଶ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, କୃଷ୍ଣ ମହାନ୍ତ, ଦେବାଶିଷ ମହାନ୍ତ, ଗୁରୁପ୍ରସାଦ ମହାନ୍ତ, ଦଶରଥ ମହାନ୍ତ, ବରୁଣ କୁମାର ମହାନ୍ତ, ସୁସେନ ମହାନ୍ତ, ସୁକୁମାରୀ ମହାନ୍ତ, କମଳିନୀ ମହାନ୍ତ, ସୁମନା ମହାନ୍ତ, ପ୍ରେମଲତା ମହାନ୍ତ, ଗୌରୀ ମହାନ୍ତ, ପ୍ରକାଶ ଚନ୍ଦ୍ର ମହାନ୍ତ, ତୁଳସୀ ମହାନ୍ତ, ଆନନ୍ଦଶଙ୍କର ମହାନ୍ତ, ପପୁ ମହାନ୍ତ ଓ ହରିଶ ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଅତୀତରେ ଏହି ଆନ୍ଦୋଳନ ସ୍ୱରୂପ ରେଳରୋକ ଓ ରାସ୍ତାରୋକ କରାଯାଇଥିଲା ।

Leave A Reply

Your email address will not be published.