
ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଲୋକଙ୍କ ଉପରେ ଦର ବୃଦ୍ଧିର ଚାପ ପଡ଼ିଛି । ପେଟ୍ରୋଲ, ଡିଜେଲ, ଖାଇବା ସାମଗ୍ରୀ ସବୁଥିରେ ଦରବୃଦ୍ଧି ସମସ୍ୟା ହୋଇ ଠିଆ ହେଲାଣି । ସରକାରଙ୍କ ମନମୁଖୀ କାର୍ୟ୍ୟକଳାପ ଯୋଗୁଁ ସାଧାରଣ ଜନତା ଉପରେ ଏହାର ପ୍ରଭାବ ପଡୁଛି । ଏଭଳି ସମୟରେ ବିଦ୍ୟୁତ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁନ୍ତଲା ବ୍ଳକ କଂଗ୍ରେସ ଦଳର ସଭାପତି ଗୁଣ ସାଗର ମାଝୀଙ୍କ ନେତୃତ୍ୱରେ ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କାର୍ୟ୍ୟକ୍ରମ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ କାର୍ୟ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ପାଳନ କରିବା ସହ ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ଯୋଗ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ରାଜ୍ୟବାସୀଙ୍କ ପାଇଁ ବେଡି ଉପରେ କରୋଡ଼ା ମାଡ଼ ସଦୃଶ ।କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଓଡିଶାର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗତି କରୁଛି ।ରାଜ୍ୟରେ ଅନେକ ଗରିବ ଲୋକ ମାନେ କାମ ଧନ୍ଦା ନ ପାଇବା ପରେ ବେ-ରୋଜଗାର ହୋଇ ପଡିଛନ୍ତି । ତେବେ ଏଭଳି ଭାବରେ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନସାଧାରଣ ଖଟିଖିଆ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିଧାନସଭାରେ କିଛି ବିଧାୟକ ବାଚସ୍ପତିଙ୍କ ଗୃହରେ ଚପଲ ମାରିବା ଘଟଣାକୁ ତୀବ୍ର ନିନ୍ଦନୀୟ ଘଟଣା ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ରାଜ୍ୟପାଳ ହସ୍ତକ୍ଷେପ କରି ବିଦ୍ୟୁତ ଦର ହ୍ରାସ କରିବା ଦାବୀରେ ସ୍ଥାନୀୟ ବିଦ୍ୟୁତ କାର୍ୟ୍ୟଳୟ ପରିସରରେ ସଇଁନ୍ତଲା ପୁଲିସର ଉପସ୍ଥିତରେ ବିଦ୍ୟୁତ ଅଧିକାରୀଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ବିଦ୍ୟୁତ ବିଭାଗର ଅଧିକାରୀ ମନମୁଖୀ ଭାବେ କାର୍ୟ୍ୟଳୟକୁ ଆସୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ । ଏହି ସଭାକୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ମିଡିଆ ସେଲ୍ ସଂଯୋଜକ ସୁବ୍ରତ ବେହେରା ପରିଚାଳନା କରିଥିବା ବେଳେ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବିନେଶ ଗହୀର, ବୈକୁଷ୍ଠ ଭୋଇ, ଅନନ୍ତ କାଳସାଏ, ଉତ୍ତମ ପୁଟେଲ, ଉମାକାନ୍ତ ରଣା, ନରେଶ ରଣା, ଲୁତକ ମଲ୍ଲିକ, ଗଦାଧର ସାହୁ, ଗୋପୀନାଥ ନାଏକ, ବଜରଙ୍ଗ ଜୈନ, ଦୁଃଶାସନ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।
