
‘କୋଶଳ ପ୍ରବାହ ଲାଇଭ୍’ ନ୍ୟୁଜ୍ ପୋର୍ଟାଲ୍ର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ, ବଲାଙ୍ଗିର ଜିଲ୍ଲାର ଅଗ୍ନିବୀରମାନେ ସମ୍ବର୍ଦ୍ଧିତ ହେଲେ

ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ୨୩ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ‘କୋଶଳ ପ୍ରବାହ ଲାଇଭ୍’ ନ୍ୟୁଜ୍ ପୋର୍ଟାଲ୍ର ତୃତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ବରେଣ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦାନ କରିଥିବା ବେଳେ ମଂଚ ସଂଚାଳନ କରିଥିଲେ କବି ରତ୍ନମୟ ତ୍ରିପାଠୀ । ଅତିଥିମାନେ ‘ସାମାଜିକ ଗଣମାଧ୍ୟମର ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ ।

ଏହି ମଂଚରେ ପୂର୍ବରୁ ସହରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ ଉଦ୍ୟୋଗ କ୍ଷେତ୍ରରେ ବଲାଙ୍ଗିର ମାଟିର ଜଣେ ସଫଳ ମହିଳା ଦେବଶ୍ରୀ ଟ୍ରେଡ଼ର୍ସର ସତ୍ୱାଧିକାରିଣୀ ଶ୍ରୀମତୀ ଶୋଭନା ଗିରି ଗତ ୧୨ ତାରିଖ ଦିନ ଭୁବନେଶ୍ୱରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ ରାଜ୍ୟସ୍ତରୀୟ ପୁରସ୍କାର ‘ଓଏଏସ୍ଏମ୍ଇ ଆୱାର୍ଡ-୨୦୨୩’ ଗ୍ରହଣ କରିଥିବା ବେଳେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

‘କବି ଚତୁର୍ଭଜ ସାଆନ୍ତ ସ୍ମୃତି ସମ୍ମାନ’ରେ ସମ୍ମାନିତ ହୋଇଥିଲେ କୋଶଲୀ ସାରସ୍ୱତ ସାଧକ ମଧୁସୂଦନ ନାୟକ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସବିତା ନନ୍ଦ, ଟିଟିଲାଗଡ଼ ଗରିବ ସେନାର ମୁଖ୍ୟ ବିରେନ୍ଦ୍ର ବାଗଙ୍କ ସହ ଟାଇଗର୍ ୟୁଥ୍ କ୍ଲବ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ନିଟ୍ ଏନ୍ଟ୍ରାନ୍ସରେ ସଫଳତା ଅର୍ଜନ କରିଥିବା ସ୍ୱୟାଂଶ ନାହାକ, ରାଜେନ୍ଦ୍ର ୟୁନିଭର୍ସିଟି +୩ ଟପ୍ପର-୨୦୨୩ ସିଏନ୍ସି ଛାତ୍ରୀ ଶ୍ରୀୟା କେଶ୍ୱାନୀ, +୨ ଟପ୍ପର-୨୦୨୩ ସିଏନ୍ସି ଛାତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରିୟମ୍ବଦା ପଧାନ, ଗାଲେକ୍ସି କଲେଜର ଇଲାରାଣୀ ସାହୁ, ମହାବୀର କଲେଜର ଅନିଷ୍କା ଗଡ଼ୁଆ ଏବଂ ଜେଏସ୍ଏମ୍ କଲେଜ୍ର ବାଦଲ୍ ଜୈନଙ୍କୁ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ଅଗ୍ନିବୀର ଇଚ୍ଛାମୟ ଭୁଏ, ଯୁଗୁଲୁ ଭୋଇ, ଖୁସି ନାଗ, ନନ୍ଦିକିଶୋର ନାଗ, ପୂର୍ଣ୍ଣ ଭୋଇ, ଶିବଶଙ୍କର ସାହୁ, ଉମାଶଙ୍କର ଭୋଇ ଓ ଗିରିଧାରି ମାଝିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ‘କୋଶଳ ପ୍ରବାହ’ର ବିଭିନ୍ନ ଅଂଚଳର ପ୍ରତିନିଧିଙ୍କୁ ମଧ୍ୟ ବାର୍ଷିକୋତ୍ସବର ସ୍ମାରକୀ ପ୍ରଦାନ କରାଯାଇଥିଲା । ସଭା ଶେଷରେ କଳାହାଣ୍ଡି ସାମ୍ବାଦିକ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
