jayashree

ଓମଭେଲି ବିଦ୍ୟାଳୟରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ମୁକ୍ତ ଆକାଶର ସୁରମ୍ୟ ସବୁଜିମା କ୍ରୀଡାଙ୍ଗନରେ ଅପୂର୍ବ ହର୍ଷୋଲ୍ଲାସରେ ଶୁଭାରମ୍ଭ ହୋଇଛି ବାର୍ଷିକ କ୍ରୀଡା ମହୋତ୍ସବ । ପ୍ରତିଯୋଗୀମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା ସୃଷ୍ଟି କରି ଆରମ୍ଭ ହୋଇଛି ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡା । କୁନି କୁନି ଧାବକମାନଙ୍କ ସରଳରୈଖିକ ଦୌଡ଼, ଚଳଚଞ୍ଚଳ ବିଦ୍ୟାର୍ଥୀଙ୍କ ଅଫୁରନ୍ତ ଆଗ୍ରହ ଏବଂ ସର୍ବୋତ୍କୃଷ୍ଟ ପ୍ରଦର୍ଶନର ଦୃଢ଼ ସଂକଳ୍ପବଦ୍ଧତା ସତେ ଯେପରି ଖେଳପଡିଆକୁ ଜୀବନ୍ୟାସ ଦେଇଛି । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ଦୃଢ଼ତା ତଥା ନୈତିକ ଉନ୍ନତି ପାଇଁ କ୍ରୀଡା ଆବଶ୍ୟକ । ଶାରୀରିକ ପୁଷ୍ଟି ସାଧନ, ଖେଳୁଆଡ ମନୋବୃତ୍ତି ସୃଷ୍ଟି ଏବଂ ସାମାଜିକ କ୍ଷେତ୍ରରେ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସମ୍ପ୍ରେକ୍ଷଣ ବଢାଇଥାଏ । ଦୃଢ଼ ପ୍ରତିଷ୍ଠା, ଆତ୍ମନିର୍ଭରଶୀଳତା, ଶୃଙ୍ଖଳା ଜ୍ଞାନ ଆହରଣ, ପ୍ରତିଷ୍ଠା ଅର୍ଜନ କରିବାର ପ୍ରତିଦ୍ୱନ୍ଦିତା ଏବଂ ପ୍ରତିବଦ୍ଧତା ଓ ଅପରିଚିତ ଆହ୍ଵାନକୁ ଅଧ୍ୟୟନ କରିବାରେ ବାର୍ଷିକ କ୍ରୀଡାର ଭୂମିକା ଅନେକ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଶାରୀରିକ ଅଙ୍ଗପ୍ରତ୍ୟଙ୍ଗର ବୃଦ୍ଧି ଓ ବିକାଶ, ମାନସିକ ଚାପ ହ୍ରାସ, ନେତୃତ୍ୱ ଓ ଦକ୍ଷତା ବୃଦ୍ଧି, ସାମୂହିକ ମନୋରଞ୍ଜନ ଓ ସମ୍ମିଳନୀର ଅବସର ପ୍ରଦାନ କ୍ଷେତ୍ରରେ କ୍ରୀଡା ପ୍ରମୁଖ ସ୍ଥାନ ଅଧିକାର କରେ । ଆଜିର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ସନ୍ତୋଷ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଟିଟିଲାଗଡ଼ ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର, ପୂର୍ବତନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ମେଜର ବୃନ୍ଦାବନ ଚନ୍ଦ୍ର ଷଡଙ୍ଗୀ, ଓମଭେଲି ବିଦ୍ୟାଳୟର ସଂସ୍ଥାପକ, ସଭାପତି ଲାୟନ ଦୀପକ କୁମାର ସାହୁ, ପରିଚାଳନା ସମିତି ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ ମହାନ୍ତି, ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମହେଶ୍ଵର ପ୍ରସାଦ ମିଶ୍ର ଏବଂ ମୁଖ୍ୟ ଉପଦେଷ୍ଟା ଡଃ. ରବିନ ଚନ୍ଦ୍ର ପରମାଣିକ । ଦୀପ ପ୍ରଜ୍ଜ୍ୱଳନ ଏବଂ ଧ୍ଵଜା ଆରୋହଣ ପୂର୍ବକ ସମ୍ମାନିତ ଅତିଥିଗଣ ବାର୍ଷିକ କ୍ରୀଡାର ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭିକ ସ୍ଵାଗତ ସଂଗୀତ ସହିତ ସମ୍ମାନିତ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିଲା । ପ୍ରତିଯୋଗୀମାନଙ୍କ ଦ୍ଵାରା ମଶାଲ ପ୍ରବେଶ, ପରେଡ ପ୍ରଦର୍ଶନ ପରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଶିକ୍ଷାର୍ଥୀଙ୍କ ପାଇଁ କ୍ରୀଡାର ମହତ୍ତ୍ଵ ସଂପର୍କରେ ଅବଗତ କରାଇଥିଲେ । କ୍ରୀଡାର ନିୟମ ଏବଂ ଖେଳୁଆଳ ମନୋଭାବ ସମ୍ପର୍କରେ ଅତିଥିମାନେ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ପତାକା ଉତ୍ତୋଳନ ପୂର୍ବକ ମୁଖ୍ୟ ଅତିଥି ଦ୍ଵି-ଦିବସୀୟ କ୍ରୀଡାର ଶୁଭାରମ୍ଭ କରିଥଲେ । ପ୍ରତିଯୋଗୀମାନଙ୍କଦ୍ଵାରା ଶପଥ ଗ୍ରହଣ ପରେ ବିଧିବଦ୍ଧ ଭାବରେ କ୍ରୀଡା ସମାରୋହର ଶୁଭାରମ୍ଭ ହୋଇଥିଲା । ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ କ୍ରୀଡା ଉତ୍ସବଟି ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.