ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବଳି ପ୍ରଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ, ଏହା ସମୟକ୍ରମେ ମାନସିକତାରେ ପରିବର୍ତ୍ତନ ଆସି ବନ୍ଦ ହେବାର ବାଟ କାଢ଼ିବ ବୋଲି ଆଜି ବରଗଡ ଗାନ୍ଧୀ ସ୍ମୃତି ପାଠାଗାରରେ ବରଗଡ ସାହିତ୍ୟ ସଂସଦ ପକ୍ଷରୁ ପ୍ରଫେସର ହୃଦମଣି ପ୍ରଧାନ ସ୍ମୃତି ବକୃତା ମାଳାରେ ଆୟୋଜିତ ସମୟର ପରିବର୍ତ୍ତନ ସହିତ ପରିବର୍ତ୍ତନର ପରମ୍ପରାର ପରିବର୍ତ୍ତନ ଆବଶ୍ୟକ କି ପ୍ରସଙ୍ଗ ‘ବଳିପ୍ରଥା’ରେ କହିଛନ୍ତି ଅତିଥି ବକ୍ତାମାନେ । ଅଧ୍ୟାପିକା ଭଗବତୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତା ଭାବରେ ଯୋଗଦେଇ ଚିଚିଣ୍ଡା କଲେଜର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ କହିଥିଲେ ଯେ ପରମ୍ପରା ଆମ ଦ୍ଵାରା ସୃଷ୍ଟି ଆମେ କଣ ବନ୍ଦ କରି ପରିବା ନାହିଁ, ଯଦି ପରମ୍ପରାରେ ଭୁଲ ରହିଛି, ସରକାରଙ୍କ ନିୟମ ପାଇଁ କାହିଁକି ଅପେକ୍ଷା କରିବା । କୋଭିଡ ସମୟରେ ଯଦି ଦେବୀ ପୀଠମାନଙ୍କରେ ବଳି ବନ୍ଦ କରାଯାଇ ପାରିଥିଲା ତା’ହେଲେ ଅନ୍ୟ ସମୟରେ କାହିଁକି ନୁହଁ । ସେ ସମୟରେ ଯଦି ଆମ ବିବେକ ମନା କଲା ବଳି ଦେବାର, ତା’ହେଲେ ଅନ୍ୟ ସମୟେ କାହିଁକି ନୁହେଁ । ଆମେ ଯଦି ଭଗବାନ ଅଛନ୍ତି ବୋଲି ଭାବୁ ଥାଉ ଆମର ବିବେକ ହିଁ ଭଗବାନ । ପ୍ରତୀକ ଭାବରେ ଯଦି ମା’ କଟକ ଚଣ୍ଡୀଙ୍କ ପାଖରେ ପଶୁପକ୍ଷୀଙ୍କୁ କେବଳ ମା’ଙ୍କୁ ଛୁଆଇ ଦେଇ ଛାଡି ଦିଆଯାଏ, ସେଭଳି କରିବା ହେବନି କି ? ପରମ୍ପରାର ପରିବର୍ତ୍ତନ ଆବଶ୍ୟକତା ରହିଛି କିନ୍ତୁ ପରମ୍ପରାର ଆତ୍ମାକୁ ମାରିବା ଠିକ୍ ନୁହଁ । ଝୁଟିକଟା ବନ୍ଦ କରି ଫ୍ରେମ୍ରେ ଝୁଟି କାଟି ପୂଜା କରିବା ଠିକ୍ କି ? ଆମେ ଆଧୁନିକତା ନା’ରେ ତାହା କରି ପାରୁଛୁ ପାରମ୍ପରିକ ଝୁଟି କଟାକୁ ଛାଡ଼ି କିନ୍ତୁ ପରମ୍ପରା ନାମରେ ପଶୁବଳିକୁ ଆଜି ମଧ୍ୟ ଆବୋରି ରଖିଛୁ ବୋଲି ଶ୍ରୀ ପ୍ରଧାନ କହିବା ସହ ସମୟ ଆସିବ ମାନସିକତାରେ ପରିବର୍ତନ ଆସିବ ଓ ଆମେ ହିଁ ଏହାକୁ ବନ୍ଦ କରିବା ବୋଲି ସେ ଆଶାବାଦୀ । ଅନ୍ୟତମ ବକ୍ତା ରେମଣ୍ଡା କଲେଜ ଅଧ୍ୟକ୍ଷ ଝସକେତନ ପ୍ରଧାନ କହିଥିଲେ ଯେ ସମୟର ପରିବର୍ତନରେ ପରମ୍ପରାରେ ପରିବର୍ତ୍ତନ ଆସିଥାଏ । ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ଭିତରେ ଥିବା ଦୁରତ୍ଵ ଅତି କମ୍ । ପରିବର୍ତନର ଦ୍ୱାହି ଦେଇ ହଲିଆ ଗୀତ ଲୁଚିଗଲା ଟ୍ରାକ୍ଟରର ଗର୍ଜନରେ, ହୋମୋ ବାଉଳି ଗୀତ ଲୁଚିଗଲା ଆଜି ଆଧୁନିକ ଟିଭି ସିରିଏଲରେ ବୋଲି ଶ୍ରୀ ପ୍ରଧାନ କ୍ଷୋଭର ସହ କହିଥିଲେ । ବଳି ପାଇଁ ଛିଡ଼ା ହୋଇଥିବା ଗୋଟିଏ ଛାଗଳ କେତେ ଯେ ଡରି ଯାଉଛି ସେ ଦୃଶ୍ୟ, ତାହା କଣ କେହି ଦେଖୁଛି କି ? କେତେ କରୁଣ ଚାହାଣି ତାର । ଏହା ଆମ ନିଜର ଗର୍ବ ଓ ଅହଙ୍କାର ଯେ ମୁଁ ହଜାର ଲୋକଙ୍କ ଭିଡରେ ମା’ଙ୍କୁ ବଳି ଭେଟି ଦେଲି ବୋଲି ଗର୍ବ ଅନୁଭବ କରୁଛୁ । ନିଜର ଅହମ ଅଟେ ଯାହାକୁ କି ଆମେ ନିଜେ ଚରିତାର୍ଥ କରିବା ପାଇଁ ହିଁ ଏହି ବଳି ପ୍ରଥାର ଆରମ୍ଭ କରିଛୁ । ଦେବୀଙ୍କୁ ବଳି ଦେବା ନାଁରେ ରକ୍ତର ହୁରି ଖେଳିବା ଠିକ୍ ନୁହଁ । କଂସେଇ ମାଂସ ମାରିଲା ତାର ଜୀବିକା ପାଇଁ ଏବଂ ଆମେ ଖାଇଲେ ନିଜର ସ୍ଵାଦ ମେଣ୍ଟାଇବା ପାଇଁ । କିନ୍ତୁ ପରମ୍ପରାର ଦ୍ୱାହି ଦେଇ ହଜାର ହଜାର ପଶୁ ପକ୍ଷୀଙ୍କୁ ବଳି ଦେବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆମେ ଆମର ମନର ଭାବନାକୁ ବଳିଷ୍ଠ କରିବା ପାଇଁ ଏଭଳି ଯୁକ୍ତି ବାଢ଼ି ନିଜର ପରମ୍ପରା ନାମରେ ବଳି ପ୍ରଥାକୁ ଆଗକୁ ବଢ଼ାଇବା ଠିକ୍ ହେଉନାହିଁ । ସେ ମଧ୍ୟ ଆଶାବ୍ୟକ୍ତ କରିଥିଲେ ଯେ ସମୟର ପରିବର୍ତ୍ତନରେ ମାନସିକତାର ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଇପାରେ ଏବଂ ଏହି ପ୍ରଥା ଧୀରେ ଧୀରେ ସମାଜରୁ ଦୂରେଇ ଯିବ ବୋଲି ସେ ଆଶାବାଦୀ ବୋଲି କହିଥିଲେ । ସଭା ପ୍ରାରମ୍ଭରେ କବି ତଥା ଗାନ୍ଧୀ ସ୍ମୃତି ପାଠାଗାରର ସମ୍ପାଦକ ମନୋରଞ୍ଜନ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଶେଷରେ ପଞ୍ଚାନନ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post