ବିଜେପି ନବ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ସହ ନିର୍ବାଚନୀ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ଦଳ ତରଫରୁ ଶ୍ରୀ ନୃସିଂହନାଥ ଆଇଓସିଏଲ୍‌ ଗେଷ୍ଟ ହାଉସ ଠାରେ ବିଜେପି ସମର୍ଥିତ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, କାଉନସିଲର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଠନ କରିବାକୁ ହେଲେ ତୃଣମୂଳ ସ୍ତରରେ ଥିବା ନେତୃବୃନ୍ଦ ମୋଦିଙ୍କ ବିକାଶ ରାସ୍ତାରେ ଚାଳିବା ସହ କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାକୁ ସ୍ବଚ୍ଛତାର ସହ କ୍ରିୟାନ୍ବୟତ କରିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବୈଠକରେ ଆହ୍ବାନ ଦେଇଥିଲେ । ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଦ୍ବାରା ପରିଚାଳିତ ଏହି ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସ୍ବାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାଶ, ରାଜ୍ୟ ସଂପାଦକ କାଳିନ୍ଦୀ ସାମଲ, ଶିବାଜୀ ମହାନ୍ତି, ହୋମ ସିଂ ମାଝୀ, ବରଗଡ ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ, ଡା ଲମ୍ବୋଦର ପଣ୍ଡା, ହରିହର ସାହୁ, ଗୋବର୍ଦ୍ଧନ ଅଗ୍ରୱାଲ, ମୋହନ ନାୟକ, ରାଜୁ ଘିବେଲା ମଞ୍ଚାସୀନ ଥିଲେ । ସମ୍ବର୍ଦ୍ଧନା ପରେ ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ନୁଆପଡା ବିଧାୟକ ପ୍ରାର୍ଥୀ ହୋମ ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ତ୍ରୀସ୍ତରୀୟ ପଞ୍ଚାୟତ ରାଜ ଓ ପୌର ପରିଷଦ ନିର୍ବାଚନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରଦର୍ଶନ ସନ୍ତୋଷ ଜନକ ଥିବା ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ଥିଲେ ବି ପ୍ରଚାର ପ୍ରସାର ଠିକ୍‌ ଭାବେ ନ ହେବା ଏହାର ଏକ କାରଣ ବୋଲି କହିଥିଲେ । ଆଗାମୀ ଦିନରେ ସଙ୍ଗଠନ ଦିଗରେ ଦୃଷ୍ଟି ଦେଇ କାର୍ଯ୍ୟ କରିବା ସହ ସାଧାରଣ ଜନତାଙ୍କ ସମସ୍ୟା ସମାଧାନ ପାଇଁ ବ୍ରତୀ ରହି ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ସଭାରେ ସମସ୍ତ ନବ ନିର୍ବାଚିତ ଜନ ପ୍ରତିନିଧ, ସମସ୍ତ ମଣ୍ତଳ ସଭାପତି, ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବା ବେଳେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.