ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ବୈଠକ

  • ୨୪ ସେପ୍ଟେମ୍ବରରୁ ଜିଲ୍ଲା ଫୁଟବଲ୍‌ ଟୂର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି ବୈଠକ ତଥା ଫୁଟବଲ ଟୁର୍ଣ୍ଣାମେଣ୍ଟ, ଟ୍ରାନ୍ସଫର ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଝାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଓଡିଶା କ୍ରିକେଟ ଆସୋସିଏସନ୍‌ର ପୂର୍ବତନ ଯୁଗ୍ମ ସଂପାଦକ ସ୍ୱର୍ଗତ ସତ୍ୟବ୍ରତ ବେହେରାଙ୍କ ଉଦ୍ଦେଶ୍ୟରେ ଅମର ଆତ୍ମାର ସଦ୍‌ଗତି ସକାଶେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକର ସମ୍ପାଦକ ଶ୍ରୀ ପୂଝାରୀ ପ୍ରଥମେ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୪.୦୯.୨୦୨୩ରୁ ୧୪.୧୦.୨୦୨୩ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଖେଳ ପଡିଆରେ ଆୟୋଜନ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି । ଅଂଶ ଗ୍ରହଣକାରୀ ଦଳ ଆଗାମୀ ୧୪.୧୦.୨୦୨୩ ସୁଦ୍ଧା ତାଙ୍କର ଆବେଦନ ଫର୍ମ ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟାଳୟରେ ଦଖଲ କରିବେ । ଉକ୍ତ ବୈଠକରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଳ୍ଲାଦ ଶତପଥି, ଯୁଗ୍ମ ସମ୍ପାଦକ ଶତ୍ରୁଘନ ସିଂ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ହେମନ୍ତ ବେହେରା, ମହିଳା ଓ ଗ୍ରାମାଞ୍ଚଳ କ୍ରୀଡା ସଂପାଦକ ସଂଗ୍ରାମ କେଶରୀ ବହିଦାର, କାର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ର ପୁରୋହିତ, ଶିଶିର କୁମାର ବହିଦାର, ବିଜୟ ବଂଶଲ, ସୁଥିର ଚନ୍ଦ୍ର ପଣ୍ଡା, ରମାକାନ୍ତ ସେଠ୍‌ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଫୁଟବଲ ଆୟୋଜନ କମିଟି ସଭ୍ୟ ସୁନିଲ ଚନ୍ଦ୍ର ବିଶ୍ୱାଲ, ଡ଼.ସିନ୍ଧେଶ୍ୱର ମିଶ୍ର, ଶରତ କୁମାର ନନ୍ଦ, ଶ୍ରୀକାନ୍ତ ରାଉତ, ନରେଶ ଅଗ୍ରୱାଲ, ଭୁପିନ୍ଦର ସିଂ, ନିଶାର କାନ୍ତ ନାଗ, ନରସିଂ ସ୍ୱାମୀ ନାଇଡୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.