
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ଶୁକ୍ରବାର ବିଶ୍ୱଶାନ୍ତି ମହାଯଜ୍ଞ ତୃତୀୟ ଦିନସରେ ୨୬ହଜାର ୩୦୦ ନୃସିଂହ ବୀଜ ମନ୍ତ୍ର ଜପ ହୋଇଯାଇଛି । ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ଲିଙ୍ଗରାଜ ଦେବତାଙ୍କ ସହ ୧୨ ଜଣ ଦକ୍ଷ ପଣ୍ତିତଙ୍କ ଦ୍ୱାରା ଜପ ସହ ହୋମରେ ଜଗତ କଲ୍ୟାଣ ପାଇଁ ଆହୁତି ପ୍ରଦାନ କରାଯାଉଛି । ଆଜି ସକାଳ ୯ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୃସିଂହନାଥ ସିଂହ ଦ୍ୱାର ସମ୍ମୁଖରେ ରଙ୍ଗୋଲି ପ୍ରତିଯୋଗିତା ସହ ନୃସିଂହନାଥ ଭଗବାନଙ୍କ ଫଟୋଚିତ୍ରରେ ପେଣ୍ଟିଙ୍ଗ ପ୍ରତିଯୋଗିତା କରାଯାଇଥିଲା । ଆଜି ପ୍ରଥମ କରି ବୈଶାଖ ମେଳାରେ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ୧୦ ଗୋଟି ଗୃପ ଅଂଶ ଗ୍ରହଣ କରିଥିଲେ । ଏଥିରେ ବରଗଡ, ବଲାଙ୍ଗିର, ନୂଆପଡା ଜିଲ୍ଲାର ପ୍ରତିଯୋଗିମାନେ ଭାଗ ନେଇଥିଲେ । ଏଥିରେ ନୂଆପଡାର ଦିଗବିଜୟ ସିଂ ପ୍ରଥମ, ସୁପ୍ରିୟା ପାଲ ଏବଂ ତାଙ୍କ ଗୃପ ଦ୍ୱିତୀୟ ବଲାଙ୍ଗିର ଜିଲ୍ଲା କେସିଙ୍ଗାର ସରୋଜ ବିଶି ଏବଂ ତାଙ୍କ ଦଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଭାଗ ନେଇଥିବା ସମସ୍ତ ଦଳକୁ ଟ୍ରଫିସହ ସାଠିଫିକେଟ ପ୍ରଦାନ କରାଯାଇଥିଲା । ସେହିପରି ପେଣ୍ଟିଙ୍ଗ ପ୍ରତିଯୋଗିତାରେ ବରଗଡ, ବଲାଙ୍ଗିର, ସୋନପୁର ଆଦି ଜିଲ୍ଲାରୁ ୧୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନେ ସମସ୍ତେ ନୃସିଂହନାଥ ମନ୍ଦିର ପାରିପଶ୍ୱିକ ଦୃଶ୍ୟ ସହ ଭଗବାନ ନୃସିଂହନାଥଙ୍କ ଫଟୋ ଚିତ୍ର ଆଙ୍କିଥିଲେ । ମନ୍ଦିର ଟ୍ରଷ୍ଟି ଦେବାଶିଷ ସେହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ସୂଚନା ଅଧିକାରୀ ପ୍ରହଲାଦ କୋଶାଲା, ଡିଏସଓ ତାହିଲ ହୁସେନ୍ , ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ସତ୍ୟଜିତ ଦାସ, ବଡ ଶତପଥୀ, ସୁରଥ ସାହୁ, ଉପଖଣ୍ତ ସୁଚନା ଅଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସମସ୍ତ ପ୍ରତିଯୋଗିମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ବଣ୍ଟନ ସହ ସମସ୍ତ ଦାୟିତ୍ୱ ତୁଲାଇଥିଲେ । ଜାମସେଠ ପେକ୍ସ ତରଫରୁ ଜଳଛତ୍ର ବ୍ୟବସ୍ଥା । ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ଚାଲିଥିବା ପ୍ରସିଦ୍ଧ ବୈଶାଖ ମେଳାରେ ଜାମସେଠ ପେକ୍ସ ସମ୍ପାଦକ ଦାମୋଦର ରଣାଙ୍କ ତତ୍ତ୍ଵାବଧାନରେ ଜଳଛତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ପେକ୍ସ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରୁଛନ୍ତି ।