- ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ
- ଖିଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ
- ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ ଆହୂତ କରାଯିବ ।
- ଚଳିତ ମାସରୁ ଅନୁପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଜରିମାନା/ ଲାଇସେନ୍ସ ରଦ୍ଦ
- ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କଡାକଡି ନିରୀକ୍ଷଣ
ଭୁବନେଶ୍ୱର, (କେପିଏନ୍ଏସ୍) : ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା । ଏଥିନିମିତ୍ତ ଶ୍ରମ ଓ ରାଜ୍ୟ କାର୍ମଚାରୀ ବୀମା ବିଭାଗ ଦ୍ୱାରା ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଏଯାବତ ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜିକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡିଆର ନାମଫଳକ ଲେଖାଯାଇଛି । କିଛି ଖିଲାପକାରୀ ଦୋକାନ ଓ ବାଣିଜ୍ୟିକ ପତିଷ୍ଠାନମାନଙ୍କ ବିରୁଦ୍ଧରେ ମକଦ୍ଦମା ସହିତ ଜୋରିମାନା ମଧ୍ୟ କରାଯାଇଛି ।
ଗତକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଆୟୁକ୍ତ ତଥା ସଚିବ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିିଲା । ଏହି ବୈଠକରେ ପରିବର୍ତ୍ତିତ ଅଧିନିୟମର କଡାକଡି ଅନୁପାଳନ କରାଯିବା ପାଇଁ ନିଷ୍ପତ୍ତିି କରାଯାଇଛି । ଶ୍ରମ ଆୟୁକ୍ତ ଓଡିଶାର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡିଆରେ ନାମଫଳକ ଲଗାଇବା ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏହାର କଡାକଡି ନିରୀକ୍ଷଣ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଚଳିକ ମାସଠାରୁ ଖିଲାପକାରୀଙ୍କୁ ୭ଦିନିଆ ନୋଟିସ ଦିଆଯିବ । ଏହାପରେ ମଧ୍ୟ ଯଦି ଅଧିନିୟମର ଅନୁପାଳନ ନହୁଏ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ ଲାଇସେନ୍ସ ରଦ୍ଦ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫୦୦୦ ଟଙ୍କା ଜୋରିମାନା ଏବଂ ଦ୍ୱିତୀୟଥର ଖିଲାପକାରୀଙ୍କୁ ୨୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡିବ । ଜିଲ୍ଲା ସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ଏକ ବୈଠକ କରି ଏହାର ସମୀକ୍ଷା କରିବା ସହିତ ବିବରଣୀ ଶ୍ରମ ଆୟୁକ୍ତ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗଙ୍କୁ ପ୍ରଦାନ କରିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।