ବଲାଙ୍ଗିର ସହରରେ ଟଙ୍କା ବାଣ୍ଟିବା ବେଳେ ଗୋଷ୍ଠୀ ସଙ୍ଘର୍ଷ ଅଭିଯୋଗ : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଭୋଟ ପୂର୍ବରୁ ନିର୍ବାଚନୀ ହିଂସା ଦେଖା ଦେଇଛି । ସହରର ୧୩ ନମ୍ବର ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବଲାଙ୍ଗିର ସହରରେ ଗତକାଲି ରାତିରେ ଏକ ନିର୍ଦ୍ଧିଷ୍ଟ ଦଳର କିଛି ଯୁବକ ଭୋଟ୍ ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ଅନ୍ୟ ଦଳର କିଛି ଯୁବକ ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଟଙ୍କା ବାଣ୍ଟୁଥିବା ଦଳର ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ । ଏପରିକି ପାଖରେ ଥିବା ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ଗୋଷ୍ଠୀ ସଙ୍ଘର୍ଷରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତରମାନେ ବଲାଙ୍ଗିର ୧୩ ନମ୍ବର ୱାର୍ଡର ରଞ୍ଜିତ ବାଗ ଓ ପିଣ୍ଟୁ ଭୋଇ ବୋଲି ଜଣାପଡିଛି ।

ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.