ସରକାରୀ ଗସ୍ତରେ ବୃନେଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲତାନ ହାଜି ହସନାଲ ବୋଲକିଆଙ୍କ ନିମନ୍ତ୍ରଣକ୍ରମେ ଆଜି ଏକ ସରକାରୀ ଗସ୍ତରେ ବନ୍ଦର ସେରି ବେଗୱାନ୍‌ରେ ପହଞ୍ଚିଛନ୍ତି । ବୃନେଇକୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ ଓ ବୃନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୪୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଐତିହାସିକ ଗସ୍ତ । ବନ୍ଦର ସେରି ବେଗୱାନ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ବୃନେଇସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ରାଉନ୍‌ ପ୍ରିନ୍ସ ତଥା ବରିଷ୍ଠ ମନ୍ତ୍ରୀ ହାଜି ଅଲ୍‌-ମୁହତାଦି ବିଲ୍ଲାହ ତାଙ୍କୁ ସ୍ୱାଗତ କରିଥିଲେ । ବୃନେଇ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଏବଂ ଇଣ୍ଡୋ-ପ୍ୟାସିଫିକ୍ ଭିଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଭାରତ ଏବଂ ବୃନେଇ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଯାହା ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ପ୍ରସଙ୍ଗରେ ପାରସ୍ପରିକ ସମ୍ମାନ ଏବଂ ବୁଝାମଣା ଉପରେ ପର୍ଯ୍ୟବେଶିତ । ଦୁଇ ଦେଶ ଇତିହାସ, ସଂସ୍କୃତି ଓ ପରମ୍ପରା ସହ ସହସ୍ରାବ୍ଦୀ ଧରି ଜଡ଼ିତ ।

Leave A Reply

Your email address will not be published.