କରୋନାର ନୂତନ ପ୍ରକାର ‘ଓମିକ୍ରନ୍’ ଚିନ୍ତା ବଢ଼ାଇଲା : ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ସକ୍ରିୟ ହେବା ଆବଶ୍ୟକ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ନୂତନ ପ୍ରକାର ଚିହ୍ନଟ ହେବା ଏବଂ ଏହା ଉପରେ ବିଶ୍ୱର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ସକ୍ରିୟ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ ଅଧିକ ସଜାଗ ରହିବା ଆବଶ୍ୟକ ଏବଂ ମାସ୍କ ପିନ୍ଧିବା ଏବଂ ଉପଯୁକ୍ତ ଦୂରତା ସହିତ ଅନ୍ୟ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବା ଆବଶ୍ୟକ । ଦେଶରେ କୋଭିଡ଼-୧୯ର ସ୍ଥିତି ଏବଂ ଚାଲିଥିବା ଟୀକାକରଣ ଅଭିଯାନର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କୋରାନା ଭାଇରସ୍‌ର ନୂତନ ରୂପ ‘ଓମିକ୍ରନ୍’ର ଆବିଷ୍କାର ଏବଂ ବିଭିନ୍ନ ଦେଶରେ ଏହାର ପ୍ରଭାବ ବିଷୟରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ସକ୍ରିୟ ତଥା ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବା ସହିତ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନଜର ରଖିବାର ଆବଶ୍ୟକତା ପ୍ରକାଶ କରିଛନ୍ତି । ପିଏମ୍‌ଓ ଅନୁଯାୟୀ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି ଯେ, ସମସ୍ତ ଅନ୍ତର୍ଜାତୀୟ ବିମାନ ଉପରେ ନଜର ରଖିବା ସହିତ ନିର୍ଦ୍ଦେଶାବଳୀ ଅନୁଯାୟୀ ବିପଦସଂକୁଳ ଦେଶରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯିବା ଉଚିତ ।

Leave A Reply

Your email address will not be published.