ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଶଂସା

  • ଭାରତର ଏହି ପ୍ରଦର୍ଶନକୁ “ଷ୍ଟାର ପରଫର୍ମର’ କହି ବୈଶ୍ୱିକ ଅଭିବୃଦ୍ଧିରେ ଏହାର ଅବଦାନ ୧୬ ଶତାଂଶରୁ ଅଧିକ ହେବ ବୋଲି କହିଲା ଆଇ ଏମ ଏଫ
  • ଦେଶର ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟକଚର (ଡିପିଆଇ) ଓ ମଜବୁତ ସରକାରୀ ଭିତ୍ତିଭୂମିକୁ ଏଭଳି ନିରନ୍ତର ଅଭିବୃଦ୍ଧି ନିମନ୍ତେ ଶ୍ରେୟ ଦେଲା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି
  • ଭାରତର ସ୍ୱଳ୍ପାବଧି ବିତ୍ତୀୟ ନୀତି ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ସକ୍ରିୟ ମୁଦ୍ରା ନୀତି କାର୍ଯ୍ୟକ୍ରମକୁ ପ୍ରଶଂସା
  • ଚଳିତ ଆର୍ଥିକ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୩ ଶତାଂଶ ହେବା ଘେନି ଆକଳନ କରିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି

ନୂଆଦିଲ୍ଲୀ, (ପିଆଇବି) : ବୈଶ୍ୱିକ ପ୍ରତିକୂଳ ପରିସ୍ଥିତି ସତ୍ୱେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଦୃଢ଼ତାକୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି । ମୁଦ୍ରାପାଣ୍ଠି ପକ୍ଷରୁ ପ୍ରକାଶିତ ବାର୍ଷିକ ପରାମର୍ଶ ରିପୋର୍ଟରେ କୁହାଯାଇଛି ଯେ ଭାରତ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ ଷ୍ଟାର ପର୍ଫରମର ବା ଉଲ୍ଲେଖନୀୟ ପ୍ରଦର୍ଶନକାରୀ ରାଷ୍ଟ୍ର ହୋଇପାରିଛି । ବିଶ୍ୱର ଅର୍ଥନୀତିକ ଅଭିବୃଦ୍ଧିରେ ଭାରତର ଅବଦାନ ୧୬ ଶତାଂଶରୁ ଅଧିକ ରହିବ । ବାସ୍ତବବାଦୀ ଓ ବୁଦ୍ଧିମାନ ସ୍ଥୂଳ ଆର୍ଥିକ ନୀତି (ମାକ୍ରୋ ଇକୋନୋମିକ୍ ପଲିସି) ଦ୍ୱାରା ଭାରତ ଚଳିତବର୍ଷ ବିଶ୍ୱର ଅନ୍ୟତମ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବାକୁ ଠିକଣା ବାଟରେ ଅଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ଭାରତ ସରକାର ଭିତ୍ତିଭୂମି କ୍ଷେତ୍ର ଏବଂ ଲଜିଷ୍ଟିକ୍ ବିକାଶରେ ପୁଞ୍ଜିନିବେଶ ପାଇଁ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଅର୍ଥନୀତିକ ଅଭିବୃଦ୍ଧି ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଭାରତ ସରକାର ଅନେକ ଢାଂଚାଗତ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ସେଥିମଧ୍ୟରୁ ‘ଡିଜିଟାଇଜେସନ’ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ । ଦୀର୍ଘଦିନ ଧରି କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ବଢାଇବା ନିମନ୍ତେ ଏକ ସୁଦୃଢ ମଞ୍ଚ ତିଆରି ହୋଇଛି । ଏହା ମଧ୍ୟ ଭବିଷ୍ୟତରେ ଉତ୍ପାଦକତା ବଢାଇବାରେ ସହାୟକ ହେଉଛି । ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୩ଶତାଂଶ ହେବ ବୋଲି ଆକଳନ କରାଯାଇଛି । ଦେଶର ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟ୍ରକର ବା ଡିପିଆଇ ଓ ମଜବୁତ ସରକାରୀ ଭିତ୍ତିଭୂମି ଭାରତର ନିରନ୍ତର ଅଭିବୃଦ୍ଧି ହାର ବଢାଇବାରେନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ରିପୋର୍ଟରେ କୁହାଯାଇଛି ।
ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଏହି ରିପୋର୍ଟ ଅନୁସାରେ ଭାରତ ପାଖରେ ଅଧିକ ଅର୍ଥନୀତିକ ଅଭିବୃଦ୍ଧି ହାସଲ କରିବାର ସାମର୍ଥ୍ୟ ରହିଛି । ଦେଶର ଶ୍ରମ ଓ ମାନବ ସମ୍ବଳର ଅବଦାନ ବଢିଲେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ଆହୁରି ବୃଦ୍ଧି ପାଇବ । ତେବେ ଏଥିପାଇଁ ପୂର୍ଣ୍ଣାଙ୍ଗ ସଂସ୍କାରମାନ କାର୍ଯ୍ୟକାରୀ କରିବାକୁ ହେବ । ମୁଦ୍ରାପାଣ୍ଠି ଆହୁରି କହିଛି ଯେ ଭାରତର ନୀତିଗତ ଅଗ୍ରାଧିକାର ବା ପଲିସି ପ୍ରାୟରିଟି ରେ ବିତ୍ତୀୟ ପ୍ରତିରୋଧ (ବଫର) ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ପଡିବ । ଏହା ସହିତ ଦରଦାମରେ ସ୍ଥିରତା ରକ୍ଷା, ବିତ୍ତୀୟ ସ୍ଥିରତାକୁ ଜାରି ରଖିବା ଓ ପୂର୍ଣ୍ଣାଙ୍ଗ ଢାଞ୍ଚାଗତ ସଂସ୍କାର ମାଧ୍ୟମରେ ସମାବେଶୀ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାକୁ ହେବ ।
ଭାରତୀୟ ରିଜର୍ଭ ବ୍ୟାଙ୍କର ସକ୍ରିୟ ବିତ୍ତୀୟ ନୀତି ଓ କାର୍ଯ୍ୟକ୍ରମକୁ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପକ୍ଷରୁ ପ୍ରଶଂସା କରାଯାଇଛି । ରିଜର୍ଭ ବ୍ୟାଙ୍କ ଦେଶର ଜିନିଷପତ୍ରର ମୂଲ୍ୟ ସ୍ଥିର ରଖିବାକୁ ଅଙ୍ଗୀକୃତ ଭାବେ କାମ କରୁଛି । ବର୍ତମାନର ନିରପେକ୍ଷ ବିତ୍ତୀୟ ନୀତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତିକୁ କ୍ରମଶଃ ଧାର୍ଯ୍ୟ ସୀମା ମଧ୍ୟକୁ ଫେରାଇ ଆଣିବାକୁ ଯେଉଁ ପ୍ରୟାସ କରୁଛି ତାହା ଠିକ୍ ଅଛି । ଡାଟା ଆଧାରିତ ଆଭିମୁଖ୍ୟ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ କ୍ଷେତ୍ରରେ କାମ କରୁଥିବା ମୁଦ୍ରାପାଣ୍ଠି କହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସ କମିଟି ପଲିସି ରେପୋ ରେଟ୍କୁ ୨୦୨୨-୨୩ ଆର୍ଥିକ ବର୍ଷର ୨୫୦ ବେସ୍ ପଏଣ୍ଟ ବଢାଇ ୬.୫ ଶତାଂଶରେ ରଖିବାର ମୁଖ୍ୟ କାରଣ ଥିଲା ଉଚ୍ଚ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣକୁ ଆଣିବା । ଏହି ଆଭିମୁଖ୍ୟର ପ୍ରଭାବ ମୁଦ୍ରାସ୍ପୀତି ନିୟନ୍ତ୍ରଣ ଉପରେ ପଡିଛି ।

Leave A Reply

Your email address will not be published.