ଭିଜିଲାନ୍ସ ହାତରେ ଲାଗିଲା ସ୍ପେଶାଲ୍‌ ପ୍ଲାନିଂ ଅଫିସ୍‌ର ଟ୍ରେସର୍‌ ଜୀବଦିଶ ପାତ୍ରଙ୍କ ୧ କୋଟି ୨୨ ଲକ୍ଷ ୩୧ ହଜାର ୨୯୦ ଟଙ୍କାର ସପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଟ୍ରେସର୍‌ ଜୀବଦିଶ ପାତ୍ର ଭିଜିଲାନ୍ସ ଜାଲରେ ପଡ଼ିଥିବା ବେଳେ ଶ୍ରୀ ପାତ୍ରଙ୍କ ଠାରୁ ୧ କୋଟି ୨୨ ଲକ୍ଷ ୩୧ ହଜାର ୨୯୦ ଟଙ୍କାର ସପତ୍ତି ଠାବ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଶ୍ରୀ ପାତ୍ରଙ୍କ ଆଦର୍ଶପଡ଼ା ସ୍ଥିତ ବାସଗୃହ, ସଂପର୍କୀୟଙ୍କ ଘର, କଲେଜ ଛକ ସ୍ଥିତ ଅଫିସ୍‌ ଏବଂ ପୁଇଁନ୍ତଲା ବ୍ଲକ୍‌ ଶିକାବାହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରହିଥିଲା । ସମ୍ବଲପୁର, ସୋନପୁର ଏବଂ ବଲାଙ୍ଗିର ଭିଜିଲାନ୍ସ ବିଭାଗର ତିନୋଟି ଟିମ୍‌ ଚଢ଼ଉରେ ସାମିଲ୍‌ ହୋଇଛନ୍ତି । ତେବେ ଶ୍ରୀ ପାତ୍ରଙ୍କ ଠାରୁ ୬୩ ଲକ୍ଷ ୩୦ ହଜାର ୯୯୩ ଟଙ୍କା ମୂଲ୍ୟର ଏକ ତିନିମହଲା ବିଶିଷ୍ଟ କୋଠାଘର ଓ ଗୋଟିଏ ଏକ ମହଲା ବିଶିଷ୍ଟ କୋଠାଘର, ୩୦ ହଜାର ଟଙ୍କାର ଗୋଟିଏ ପ୍ଲଟ୍‌, ୩ ଲକ୍ଷ ୫୭ ହଜାର ୬୮୪ ଟଙ୍କାର ଗୋଟିଏ ମାରୁତି ଅଲ୍‌ଟୋ-୮୦୦, ୪୩ ହଜାର ଟଙ୍କା ମୂଲ୍ୟର ଗୋଟିଏ ମୋଟର ସାଇକେଲ, ୨୪ ଲକ୍ଷ ୬୮ ହଜାର ୬୨ ଟଙ୍କା ବିଭିନ୍ନ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଜମା ରାଶି, ୬ ଲକ୍ଷ ୫୬ ହଜାର ୧୭୬ ଟଙ୍କା ମୂଲ୍ୟର ଗୁଡ଼ାଏ ଇନ୍‌ସ୍ୟୁରାନ୍ସ ପୋଲିସି, ୧୧ ଲକ୍ଷ ୬୬ ହଜାର ୩୨୮ ଟଙ୍କା ମୂଲ୍ୟର ସ୍ୱର୍ଣ୍ଣ ଅଳଙ୍କାର, ୧ ଲକ୍ଷ ୪୭ ହଜାର ୨୫୨ ନଗଦ ଟଙ୍କା ଓ ୧୦ ଲକ୍ଷ ୩୧ ହଜାର ୭୯୫ ଟଙ୍କା ମୂଲ୍ୟର ଗୃହ ଆସବାବପତ୍ର ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଥିବା ଖବର ମିଳିଛି ।

Leave A Reply

Your email address will not be published.