jayashree

କୁତ୍ରିମ ଗୋଡ଼ରେ ତୀର ଚାଳନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପାୟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁନିଆରେ ଅସମ୍ଭବ ଶବ୍ଦ କହିବାକୁ ସହଜ କିନ୍ତୁ ଅସମ୍ଭବକୁ ସମ୍ଭବ କରି ପ୍ରମାଣ କରିଛନ୍ତି ପାୟଲ । ନିଜର ଦୃଢ଼ ଆତ୍ମବିଶ୍ୱାସ, ଦୃଢ଼ ମନୋବଳ ଓ ଅଧ୍ୟବସାୟ ବଳରେ ଅସାଧ୍ୟ କାମ ମଧ୍ୟ ସହଜ ଓ ସରଳ ହୋଇପାରିବ । ପାୟଲ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ବଲାଙ୍ଗିରର ପାୟଲ ନାଗ । ଦାରିଦ୍ର୍ୟର କଷାଘାତରେ ଦାଦନ ଶ୍ରମିକ ଭାବେ ବଞ୍ଚିବା ପାଇ ସଂଘର୍ଷ କରିବାକୁ ମା’, ବାପା ସାଙ୍ଗରେ ଶୈଶବରୁ ନିଜ ଚାରି ହାତ ଗୋଡ ହରାଇଲେ । କିନ୍ତୁ ଦୃଢ ମନୋବଳ ଓ ଏକାଗ୍ରତା ଯୋଗୁଁ ସେ ଆଜି ଅଟକି ଯାଇନାହାନ୍ତି ବଲାଙ୍ଗିରର ପାୟଲ ନାଗ । ଏ ନାଁଟି ଏବେ ଦିବ୍ୟାଙ୍ଗଙ୍କ ପାଇଁ ବଡ ଉଦାହରଣ । ମୁରିବାହାଲ ବ୍ଲକ ଯମୁନାବାହାଲ ଗାଁର ପାୟଲ ଛୋଟ ଥିବା ସମୟରେ ନିଜ ବାପା ବିଜୟ ନାଗ ଓ ମା ଜନତା ନାଗଙ୍କ ସହ ରାୟପୁରକୁ କାମ କରିବା ପାଇଁ ଯାଇଥିଲେ । ସେଠାରେ ବିଦ୍ୟୁତ୍‌‌ ସଂସ୍ପର୍ଶରେ ଆସିଯାଇଥିଲେ ପାୟଲ । ଜୀବନ ସିନା ବର୍ତ୍ତିଯାଇଥିଲା ସେ କିନ୍ତୁ ନିଜ ଦୁଇ ଗୋଡ ଓ ଦୁଇ ହାତ ହରାଇଥିଲେ । ବର୍ତ୍ତମାନ ସେ ୧୪ ବର୍ଷର ଛାତ୍ରୀ । ପାୟଲଙ୍କ ପରିବାର ଏତେ ଗରିବ ଥିଲେ ଯେ ତାଙ୍କର ଭରଣପୋଷଣ ପାଇଁ ମଧ୍ୟ ଅସହାୟ ଥିଲେ । ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ପାୟଲକୁ ୨୦୨୨ ମସିହାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗିର ତରଫରୁ ଉଦ୍ଧାର କରି ପାର୍ବତୀଗିରି ବଲ୍‌ନିକେତନ ଆଶ୍ରମରେ ରଖିଥିଲେ । ସେହିଦିନ ଠାରୁ ସେ ଏହି ଆଶ୍ରମରେ ରହୁଛନ୍ତି । ଶିଶୁ ଗୃହର ଶିଶୁମାନଙ୍କ ଭିଡରେ ହଜିଯିବା ବଦଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ପାୟଲ । ନିଜର ଅକ୍ଷମତାକୁ ଅସ୍ତ୍ର କରି କିଛି ଭିନ୍ନ କରିବାର ନିଶା ଆଜି ସତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପାୟଲ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଗତ ବର୍ଷ ଜିଲ୍ଲାସ୍ତରରେ ହୋଇଥିବା ଏକ ପ୍ରତିଯୋଗିତାରେ ନିଜ ପାଟିରେ ତୁଲି ଧରି ଚିତ୍ର ଆଙ୍କି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପାୟଲ । ପରେ କୃତ୍ରିମ ହାତ ଓ ଗୋଡ ଲଗାଇବା ପାଇଁ ଜିଲ୍ଲପାଳ ଚଞ୍ଚଳ ରାଣାଙ୍କ ଉଦ୍ୟମ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କୃତ୍ରିମ ହାତ ଗୋଡ ଲଗାଯିବା ପରେ ସେ ତୀରନ୍ଦାଜୀ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଶାସନର ଉଦ୍ୟମ କ୍ରମେ ସେ ପାରା ଅଲମ୍ପିକ୍ସ ପାଇଁ ନିଜକୁ ପ୍ରସ୍ତୁତ କରାଉଥିବା ଜଣାପଡ଼ିଛି । ଏଥିପାଇଁ ସେ ଜମ୍ମୁର କଟ୍ରାରେ ଥିବା ସ୍ରାଇନ ବୋର୍ଡ ସ୍ପୋର୍ଟ୍‌‌ସ କମ୍ପେ୍ଲକ୍ସରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରଶିକ୍ଷଣ ନେବା ସହିତ ନିଜ ପାଠପଢ଼ା ଉପରେ ମଧ୍ୟ ଧ୍ୟାନ ଦେଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.