ଆଜି ଭୋଟ ଗଣତି : ଆଶା ଓ ଆଶଙ୍କାରେ କର୍ମୀ ଓ ନେତା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହେବ ପୌର ଓ ଏନ୍‌ଏସିର ଭୋଟ ଗଣତି । ଫଳରେ ନିର୍ବାଚନ ରଣାଙ୍ଗନରେ ଓହ୍ଲଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି । ଫୁଲବାଣୀ ମ୍ୟୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି. ଉଦୟଗିରିର ଅଧ୍ୟକ୍ଷ ପଦବୀ ଜିତିବେ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଦାବୀ କରୁଥିବା ବେଳେ କିଏ ବାଜି ମାରିବ ତାହା ଆଜି ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ନିର୍ବାଚନକୁ ନେଇ ଫୁଲବାଣୀରେ ବାତାବରଣ ଅଶାନ୍ତ ରହିଛି । ଭୋଟ ଗ୍ରହଣଠାରୁ ପୋଲିସ ସତର୍କ ନଜର ରଖିବା ସହ ପାଟ୍ରୋଲିଂକୁ କଡାକଡି କରିଛି । ଫୁଲବାଣୀରେ ୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଜି. ଉଦୟଗିରି ଏନ୍‌ଏସିରେ ୬୭ ପ୍ରତିଶତ, ବାଲିଗୁଡା ଏନ୍‌ଏସିରେ ୬୯ ପ୍ରତିଶତ ମତଦାନ ହୋଇଛି । ଫୁଲବାଣୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ଜଣାପଡିଛି । ସେହିପରି ଜି.ଉଦୟଗିରିରେ ବିଜେପି ଆଉ ବିଜେଡି ମଧ୍ୟରେ ଲଢେଇ ହେବ ଆଉ ବାଲିଗୁଡାରେ ବିଜେଡି ଭଲ ସ୍ଥିତିରେ ଅଛି । ସୁନିଶ୍ଚିତ ବିଜୟ ବୋଲି ବୁଥ ଫେରନ୍ତା ମତରୁ ଜଣାପଡିଛି । ଫୁଲବାଣୀରେ କଂଗ୍ରେସର ପଲା ଭାରି ଥିବା ବେଳେ ଜି. ଉଦୟଗିରିରେ ବିଜେପି ସ୍ଥିତି ମଜଭୁତ ଅଛି । ତେବେ ଭୋଟ ଗଣତି ବେଳେ ସ୍ପଷ୍ଟ ହୋଇଯିବ । ସେହିପରି ଫୁଲବାଣୀର ୧୩ଟି କାଉନସିଲର ମଧ୍ୟରୁ ୭, ୮ ଓ ୯ ନମ୍ବର, ୫ ନମ୍ବର ବିଜେଡି ଭଲ ସ୍ଥିତିରେ ଥିବା ବେଳେ ବିଜେପି ୬, ୧୨, ୧୩ ନମ୍ବର ୱାର୍ଡରେ ବିଜୟୀ ସ୍ଥିତିରେ ଥିବା ବେଳେ କଂଗ୍ରେସ ୧, ୪ ଓ ୧୧ରେ ମଜବୁତ ସ୍ଥିତିରେ ରହିଛି । ସେହିପରି ୩ ଓ ୧୦ ନମ୍ବରରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ନେଇ ମତ ପ୍ରକାଶ ପାଇଛି । ତେବେ ଆଜି ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Leave A Reply

Your email address will not be published.