- ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ରାଜ୍ୟ ସଂପାଦକ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଅନେକ ମଣ୍ଡିରେ ଏବେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ଚାଷୀମାନେ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରିବାରେ ଅସମର୍ଥ ହେଉଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସମ୍ପାଦକ ତଥା ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ । ଚଳିତ ବର୍ଷ ରାଜ୍ୟ ସରକାର ଚାଷୀଙ୍କ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ଧାନ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏହାକୁ ଆମେ ସ୍ୱାଗତ କରୁଛୁ ହେଲେ ଚଳିତ ବର୍ଷ ଚାଷୀଙ୍କ ପାଇଁ ଟୋକାନ ବ୍ୟବସ୍ଥାରେ ବିଳମ୍ବ କରିଛନ୍ତି । ଏହା ସହ କିଛି ସ୍ଥାନରେ ଟୋକାନ ଦିଆ ଯାଇନାହିଁ ଫଳରେ ଚାଷୀ ହଇରାଣ ହେଉଛନ୍ତି । ଆଗାମୀ ଜାନୁଆରୀ ମାସରେ ଧାନକୁ ମଣ୍ଡିରେ ଦେବାକୁ ପ୍ୟାକ୍ସରେ କହୁଛନ୍ତି । ସରକାରୀ ବ୍ୟବସ୍ଥା ଏବେ ବାଟବଣା ହୋଇଥିବା ସହ ଚାଷୀମାନଙ୍କ ପାଇଁ ଅଖା ବସ୍ତାର ମଧ୍ୟ ବ୍ୟବସ୍ଥା କରାଯିବ କହିଥିଲେ ହେଲେ ଏ ପର୍ଯ୍ୟନ୍ତ ତାହା ମଧ୍ୟ କରାଗଲାନାହିଁ । ଏ ସମସ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ତେନ୍ତୁଳିଖୁଣ୍ଟି ପ୍ୟାକ୍ସର ସଭାପତି ଧନଞ୍ଜୟ ମହାନନ୍ଦ, ପତ୍ରାପାଲି ପ୍ୟାକ୍ସ ସଭାପତି ମହେନ୍ଦ୍ର ବହିଦାର, ବାଙ୍କେଲ ପ୍ୟାକ୍ସ ସଭାପତି ରୋହିତ ଟାକ୍ରି, ବରୁଣ ଲୁହା, ନରେନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।