ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର ତରଫରୁ ୭୪ତମ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଅଛି । ସ୍ୱାସ୍ଥ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ । ଦେହ ଓ ମନ ଭଲ ନରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ । ସ୍ୱାସ୍ଥ୍ୟ କେବଳ ଶାରିରୀକ ସୁସ୍ଥତାକୁ ବୁଝାଏ ନାହିଁ, ମାନସିକ ଓ ସାମାଜିକ ସୁସ୍ଥତାକୁ ମଧ୍ୟ ବୁଝାଏ । ଏହା ପାଇଁ ସରକାରଙ୍କ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ନିୟମାବଳୀକୁ ପାଳନ କଲେ ଜୀବନ ଧାରଣ ସଠିକ୍ ହେବା ସଂଗେ ସଂଗେ ଆମ ସମାଜରେ ଘଟୁଥିବା ବିଭିନ୍ନ ସଂକ୍ରମଣ ଓ ଅଣସଂକ୍ରମଣ ରୋଗର ମୁକାବିଲା କରାଯାଇ ପାରିବ ବୋଲି ସହରାଞ୍ଚଳର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ଉଦ୍ବୋଧନ ଦେଇଥିଲେ ।
“ଆମ ପୃଥିବୀ, ଆମ ସ୍ବାସ୍ଥ୍ୟ” ନିର୍ଦ୍ଧିଷ୍ଟ ବିଷୟ ଉପରେ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ନିରୀକ୍ଷିକା ମାମୀ ସିଂଦେଓ, ରୋଜାଲିନା ହୋତା ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିବା ବେଳେ ଅନୁଷ୍ଠାନର ସୂର୍ଯ୍ୟାଂଶୀ ହୋତା ସୁଷମ ଓ ନିରାପଦ ଖାଦ୍ୟ ମଣିଷ ପାଇଁ ଅପରିହାର୍ଯ୍ୟ ତେଣୁ ଯଥେଷ୍ଟ ପରିମାଣର ଅର୍ଥ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏବଂ ପ୍ରଦୂଷଣ କମ୍ କରିବା ପାଇଁ ଖର୍ଚ୍ଚ ହେବା ଆବଶ୍ୟକ । ଯାହାଦ୍ୱାରା ପରିବେଷ ଭଲ ରହିଲେ ହିଁ ଆମ ସ୍ୱାସ୍ଥ୍ୟ ମଧ୍ୟ ରହିବ ବୋଲି ଜଣାଇଥିଲେ ।
ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ କରୋନା ଆକ୍ରାନ୍ତଙ୍କ ମାଗଣା ଚିକିତ୍ସାଠାରୁ ଆରମ୍ଭ କରି ସମୁହ ଟୀକାକରଣ ଯାଏଁ ଅଭିଯାନ ଚଳାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡିବା ପାଇଁ ପ୍ରତିବର୍ଷ ସ୍ୱାସ୍ଥ୍ୟ ବଜେଟରେ ଅନେକ ବ୍ୟୟବରାଦ ମଧ୍ୟ କରାଯାଉଛି । ତେବେ ନିଜର ଏବଂ ନିଜ ପରିବାରର ସ୍ୱାସ୍ଥ୍ୟ କିପରି ସଠିକ୍ ରହିବ ସେନେଇ ନିଜେ ହିଁ ସଜାଗ ହେବା ଆବଶ୍ୟକ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଚେୟାରମ୍ୟାନ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ସଭିଁଙ୍କୁ ବାର୍ତ୍ତା ଦେଇଥିଲେ ।