jayashree

ବଲାଙ୍ଗିର ‘ସମାଜ’ ସଂସ୍କରଣ ଦ୍ୱିତୀୟ ସ୍ୱନକ୍ଷତ୍ର

  • ଜନଗଣଙ୍କ ସ୍ୱର ହୋଇଛି ‘ସମାଜ’

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବିକେ ଅଞ୍ଚଳ ପାଇଁ ‘ସମାଜ’ର ଏକ ସ୍ୱତନ୍ତ୍ର ଦରଦ ରହିଛି । ଜନଗଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ବଲାଙ୍ଗିର ‘ସମାଜ’ ସଂସ୍କରଣର ପରିକଳ୍ପନା । ବଲାଙ୍ଗିର ଜିଲା ସାମ୍ବାଦିକ ଭବନରେ ଆୟୋଜିତ ସଂସ୍କରଣର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ‘ସମାଜ’ ସଂପାଦକ ତଥା କାର୍ଯ୍ୟବାହୀ ମହାପ୍ରବନ୍ଧକ ତପନ କୁମାର ମିଶ୍ର ସଭାପତିତ୍ୱ କରି ଏହି ମତପୋଷଣ କରିଛନ୍ତି । ଉତ୍ସବରେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଅଧିକ୍ଷକ ଡା. ମାନସୀ ପଣ୍ଡା ଅତିଥି ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରାକ୍ତନ ଉପସଭାପତି ଗାୟତ୍ରୀ ସରାଫ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ପ୍ରାୟ ୬୦ରୁ ୭୦ ବର୍ଷ ତଳେ ଖବରକାଗଜ କହିଲେ କେବଳ ‘ସମାଜ’ ହିଁ ବୁଝା ପଡୁଥିଲା ବୋଲି ଅତିଥି ବକ୍ତା ଶ୍ରୀମତୀ ସରାଫ ମତବ୍ୟକ୍ତ କରିଥିଲେ । ସମାଜ ନିର୍ଭିକ, ନିରପେକ୍ଷ ଖବର ପରିବେଷଣରେ ଏକ ନମ୍ବର । ତେଣୁ ତା’ ଲୋକପ୍ରିୟତା ବଜାୟ ରହିଛି ବୋଲି ଶ୍ରୀମତୀ ସରାଫ କହିଥିଲେ । ସେହିପରି ଅତିଥି ଡା.ପଣ୍ଡା ‘ସମାଜ’ ଓ ଏହାର ସହଯୋଗୀ ଅନୁଷ୍ଠାନ ଲୋକସେବକ ମଣ୍ଡଳର ସେବା କାର୍ଯ୍ୟକ୍ରମ ସଂପର୍କରେ ମତବ୍ୟକ୍ତ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଓ ଦୁସ୍ଥଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି ଡା.ପଣ୍ଡା କହିଥିଲେ । ଉତ୍ସବ ପ୍ରାରମ୍ଭରେ ମା’ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ୱଳନ ଓ ସମାଜ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ରିପୋର୍ଟର ତଥା ସହସଂପାଦକ ବିଭୁ କଲ୍ୟାଣ ଗଡ଼ତ୍ୟା ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ବଲାଙ୍ଗିର ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡା, ନୂଆପଡ଼ା ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ମହାପାତ୍ର, ବୌଦ୍ଧ ଜିଲ୍ଲା ପ୍ରତିନିଧି ଶଶାଙ୍କ ଶେଖର ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସ୍ୱାଧୀନ ମେହେର, ବିଜ୍ଞାପନ ବିଭାଗ ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ ପ୍ରମୁଖ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଖବର, ପ୍ରସାରଣ, ବିଜ୍ଞାପନ କ୍ଷେତ୍ରରେ ସଫଳ କାର୍ଯ୍ୟ କରିଥିବା ୭ଜଣ ପ୍ରତିନଧିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଡେସ୍କ ଇନଚାର୍ଜ ଯୋଗେଶ ବଢେଇ, ବିଜ୍ଞାପନ ବିଭାଗ ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନା ୟକ, ପ୍ରସାରଣ ବିଭାଗ କରନଜିତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଦୃଷ୍ଟିବାଧିତ ଲୋକ କଳାକାର ପବିତ୍ର କୁମ୍ଭାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ରିପୋର୍ଟର୍‌ ତଥା ସହ ସଂପାଦକ ବଳରାମ ମିଶ୍ର ମାନପତ୍ର ପାଠ କରିଥିଲେ । ପରେ ଡେସ୍କ ଇନଚାର୍ଜ ଶ୍ରୀ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ବଲାଙ୍ଗିର ସଂସ୍କାରଣର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ବଲାଙ୍ଗିର ସହରର ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କ ସହ ‘ସମାଜ’ର ବିଭିନ୍ନ ଜିଲାର ବ୍ଲକ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.